ନବୀନଙ୍କ ପଦକ୍ଷେପକୁ ଅନୁସରଣ କରୁ ପାର୍ଲାମେଣ୍ଟ: ସସ୍ମିତ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରୁଥିବା କରୋନାକୁ ମୁକାବିଲା କରିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି। କିଛିଦିନ ତଳେ ଓଡ଼ିଶାରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ। ଏଥିସହିତ ବିଧାନସଭା ପରିସରରେ ଏକ ହାତଧୁଆ କାର୍ଯ୍ୟକ୍ରମ କରାଯାଇ ଜନପ୍ରତିନିଧି ଏବଂ ଅଫିସରମାନଙ୍କୁ ସଚେତନ କରାଯାଇଥିଲା। ଅନୁରୂପଭାବେ ପାର୍ଲାମେଣ୍ଟ ଏମ୍‌ପିମାନଙ୍କ ପାଇଁ ତାହା କରାଯାଉ ବୋଲି ବିଜେଡିର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ସୋମବାର କହିଛନ୍ତି।
ସେହିଭଳି ଏଟିଏମ୍‌ ମାଧ୍ୟମରେ ସାନିଟାଇଜର ଏବଂ ଆବଶ୍ୟକ ସାମଗ୍ରୀ ବିତରଣ, ବ୍ୟାପକ ସଂଖ୍ୟାରେ ଯାଞ୍ଚ କେନ୍ଦ୍ର, ଡାକ୍ତରମାନଙ୍କ ପାଇଁ ପିପି ସ୍ୟୁଟ୍‌, ସମସ୍ତ ବିମାନ ବନ୍ଦରରେ ଯାଞ୍ଚ କରାଯିବା ନେଇ ସସ୍ମିତ ଦାବି କରିଛନ୍ତି। ବର୍ତ୍ତମାନ କେବଳ ଅନ୍ତର୍ଜାତୀୟ ବିମାନ ବନ୍ଦରଗୁଡିକରେ ଯାଞ୍ଚ କରାଯାଉଥିବା ସସ୍ମିତ ସୂଚନା ଦେଇଥିଲେ। କରୋନା କାରଣରୁ ସାରା ଦେଶର ଏକ ସ୍ବାସ୍ଥ୍ୟଜନିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ୱାରା ଦେଶର ଏକ ବିରାଟ ଶ୍ରମଶକ୍ତି ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ ହୋଇଛି। ତେଣୁ ସେମାନଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ସସ୍ମିତ ଦାବି କରିଛନ୍ତି।