ଅତାବିରା,୬ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଅଧୀନ ଥିବା ବିଭିନ୍ନ ମଣ୍ଡିରୁ କେବଳ ୭୦୧୧ ପ୍ୟାକେଟ ଧାନ ଉଠାଯାଇଛି। ବର୍ତ୍ତମାନ ସୁଦ୍ଧା ଅତାବିରା ଆର୍ଏମ୍ସି ଅଧୀନରେ ଅତାବିରା ବ୍ଲକର ବିଭିନ୍ନ ମଣ୍ଡିରେ ସରକାରୀ ଟୋକନ ଥିବା ଚାଷୀଙ୍କ ୧ଲକ୍ଷ ୭୩ ହଜାର ୫୬୭ ପ୍ୟାକେଟ ପଡ଼ିଥିବା ବେଳେ ବେସରକାରୀ ଭାବେ ଆଉ ଲକ୍ଷାଧିକ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଶୁକ୍ରବାର ୪ହଜାର ୫୦୫ ପ୍ୟାକେଟ ଉଠିଥିବା ସ୍ଥଳରେ ଆହୁରି ୧ଲକ୍ଷ ୬୯ହଜାର ୬୨ ପ୍ୟାକେଟ ବିକ୍ରି ଅପେକ୍ଷାରେ ମଣ୍ଡିଗୁଡିକରେ ପଡ଼ିଛି l ନାନା ଆଳ ଦେଖାଇ ଧାନକିଣାକୁ ମନ୍ଥର କରାଯାଉଥିବା ବେଳେ ଅଭାବୀ ଧାନ ବିକ୍ରିକୁ ଦେଖି ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି କାରଣରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ହୋଇ ସାରିଛି। ଅନ୍ୟପଟେ ଚଳିତବର୍ଷ କେନ୍ଦ୍ର ସରକାର ଏମ୍ଏସ୍ପି ଉପରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି। ଯାହାକି ଧାନର ସହାୟକ ମୂଲ୍ୟ ୨୩୬୯ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ୮୦୦ଟଙ୍କା ବୋନସକୁ ମିଶାଇଲେ ଚାଷୀ ତା’ର ପ୍ରାପ୍ୟ କୁଇଣ୍ଟାଲ ପିଛା ୩୧୬୯ ଟଙ୍କା ପାଇବା କଥା। କିନ୍ତୁ ବର୍ତ୍ତମାନ ସରକାର କହିଛନ୍ତି ଚାଷୀ କେବଳ ୩୧୦୦ ଟଙ୍କା ହିଁ ପାଇବ। ତେବେ ବର୍ଦ୍ଧିତ ଏମ୍ଏସ୍ପି ଗଲା କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ। ଗତ ଖରିଫ ଧାନ କିଣାବିକା ବର୍ଷରେ ଆଜିର ଦିନରେ ଚାଷୀଙ୍କ ୬୦ ହଜାର ୬୩ ପ୍ୟାକେଟ ଧାନ ଉଠିଥିଲା ବେଳେ ବିଭିନ୍ନ ମଣ୍ଡିରେ କେବଳ ୮୫ ହଜାର ୧୬୭ ପ୍ୟାକେଟ ଧାନ ପଡ଼ି ରହିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଧାନ କିଣାବିକାରେ ବହୁ ମନ୍ଥରତା ଦେଖି ଚାଷୀ ଚିନ୍ତିତ ରହିଛନ୍ତି।
Dharitri – Odisha’s No.1 Odia Daily


