ଧାନବିଲକୁ ଯାଉଥିବା ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ନାକଟିଦେଉଳ, ୨୯।୫ (ଡି.ଏନ.ଏ.)-ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ହିତସରା ଗାଁରେ ଶୁକ୍ରବାର ସକାଳ ୬ଟାରେ ଜଣେ ମହିଳାଙ୍କୁ ହାତୀ କଚାଡି ମାରି ଦେଇଛି। ଏହି ମହିଳା ଜଣଙ୍କ ହେଲେ ହିତସରା ଗାଁର ମିତ୍ରଭାନୁ ଦେହୁରୀଙ୍କ ସ୍ତ୍ରୀ ପ୍ରମିଳା ଦେହୁରୀ (୫୫)। ପୋଲିସ ପ୍ରମିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରେଢାଖୋଲ ପଠାଇବା ସହ ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପ୍ରମିଳା ନିଜ ଘର ଠାରୁ ପ୍ରାୟ ଦେଢ କି.ମି. ଦୂର ଗଙ୍ଗାମୁଣ୍ଡାଠାରେ ଥିବା ନିଜର ଧାନବିଲକୁ ଯାଉଥିଲେ। ଏହି ସମୟରେ ସେ ଏକ ଦନ୍ତାହାତୀ ସହ ମୁହଁାମୁହଁି ହୋଇଥିଲେ । ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡ଼ି ଦେବା ସହ କିଛି ଦୂରକୁ ଘୋଷାଡ଼ି ନେଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରମିଳାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ନାକଟୀଦେଉଳ ଥାନା ଅଧିକାରୀ ଇସ୍ମାଇଲ ଏକ୍କା, ବନାଞ୍ଚଳାଧିକାରୀ ଅଶ୍ୱିନୀ କୁମାର ବେହେରା ଏବଂ ଫରେଷ୍ଟର ସୌମ୍ୟରଞ୍ଜନ ଖିଲାରୀ ପ୍ରମୁଖ ସଦଳବଳ ସେଠାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ସମୟରେ ଗ୍ରାମବାସୀ ସେଠାରେ ଏକତ୍ରିତ ହୋଇ ପାଟିତୁଣ୍ଡ କରିଥିଲେ। ଗାଁରେ ନିୟୋଜିତ ଫରେଷ୍ଟ ୱାଚରମାନେ ଠିକ୍‌ ଭାବେ କାର୍ଯ୍ୟ ନିର୍ବାହ କରୁ ନାହାନ୍ତି। ଏଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ, ହାତୀ ଉପଦ୍ରବରୁ ରକ୍ଷା ପାଇଁ ଗ୍ରାମର ଜଙ୍ଗଲ ସୀମାରେ ଚାରିପାଖେ ଟ୍ରେଞ୍ଜ ଖୋଳାଯାଉ, ହାତୀ ଗତିବିଧି ଉପରେ ନଜର ରଖିବାକୁ ସେହି ସ୍ଥାନରେ ଏକ ୱାଚ ଟାୱାର ନିର୍ମାଣ କରାଯାଉ ଓ ମୃତକଙ୍କ ପରିବାର ବର୍ଗଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ଦାବି କରିଥିଲେ। ଉପସ୍ଥିତ ପୋଲିସ ଓ ବନବିଭାଗ ଅଧିକାରୀମାନେ ଉତ୍ତେଜିତ ଗ୍ରାମବାସୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ଏହି ଦାବିଗୁଡ଼ିକ ପୂରଣ କରିବାକୁ ରେଞ୍ଜ ଅଫିସର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନାଯୋଗ୍ୟ, ଗତ ୨୩ ତାରିଖ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ବେଠିଆବେର୍ଣ୍ଣୀ ଗ୍ରାମର ଦଇମତୀ ଦେହୁରୀ ନାମ୍ନୀ ଜଣେ ମହିଳାଙ୍କ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା।