Categories: ଯାଜପୁର

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ବିଭିନ୍ନ ସମସ୍ୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଧର୍ମଶାଳା,୮ା୬(ଡି.ଏନ.ଏ.)- ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଜନଅସନ୍ତୋଷ ଦେଖାଦେଇଛି। ଏ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ଏହା ଅଧୀନରେ ଥିବା ୭ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହ ମିର୍ଜାପୁର ଗ୍ରାମପଞ୍ଚାୟତରେ ଏକ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ପୂର୍ବତନ ବିଧାୟକ ରବି ଲାବଣ୍ୟ ଦାବି କରିଛନ୍ତି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଧର୍ମଶାଳା ସମେତ ବରୀ ଏବଂ କୋରେଇ ନିର୍ବାଚନମଣ୍ଡଳୀର ଜନସାଧାରଣ ମଧ୍ୟ ନିର୍ଭର କରନ୍ତି। ୧୬ ନଂ. ଜାତୀୟ ରାଜପଥ ନିକଟରେ ଅବସ୍ଥିତ ଏହି ଡାକ୍ତରଖାନାକୁ ଦୈନିକ ଶହଶହ ରୋଗୀ ଆସୁଥିବାବେଳେ ଡାକ୍ତର ନ ଥିବାରୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭେଷଜ, ଶଲ୍ୟ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଆଦି ୪ ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ଧରି ଖାଲି ପଡିଛି। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ କୋତପୁର, ଅରାବଳ, ଆରୁହା, ରାମଚନ୍ଦ୍ରପୁର, ଜେନାପୁର, ହରିଦାସପୁର, ଗଡମଧୁପର ଆଦି ୭ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତୁରନ୍ତ ଡାକ୍ତର ନିଯୁକ୍ତି ଦେବାକୁ ପୂର୍ବତନ ବିଧାୟକ ଲାବଣ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ନେତା ଯତୀନ୍ଦ୍ରନାଥ ଦାଶ, ଯୁବ ସଂଗଠକ ରଣଜିତ ନାୟକ, ସାଧବ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଦାବିପତ୍ର ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଆଗାମୀ ବିଧାନସଭା ଅଧିବେସନ ସମୟରେ ଡାକ୍ତର ନିଯୁକ୍ତି କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପୂର୍ବତନ ବିଧାୟକ ଲାବଣ୍ୟଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।