Categories: Uncategorized

ଦୟାନଦୀ ଜଳ ପ୍ରଦୂଷିତ : ଗ୍ରାମବାସୀ ଚର୍ମରୋଗରେ ଆକ୍ରାନ୍ତ

କଣାସ, ୩୧।୫ (ସ୍ବ.ପ୍ର.): କଣାସ ବ୍ଲକରେ ପ୍ରବାହିତ ହେଉଥିବା ଦୟାନଦୀର ତିରିମଲ୍ଲ ନିକଟ ପାଣ୍ଡିଗିରିଠାରେ ଜଳପ୍ରବାହକୁ ବନ୍ଦକରି ଦିଆଯାଇଛି। ଫଳରେ ବାତ୍ୟାରେ ନଦୀ ଜଳରେ ଗଛପତ୍ରପଡି ପଚିଯାଇଥିବାରୁ ପାଣି ପ୍ରଦୂଷିତ ହୋଇଛି। ନଦୀ ଆଖପାଖ ଗ୍ରାମବାସୀ ନଦୀରେ ଦୈନନ୍ଦିନ ସ୍ନାନକରୁଥିବାରୁ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡିଛି। କୁଆଖାଇରୁ ବାହାରିଥିବା ଦୟାନଦୀ ତିରିମଲ୍ଲଠାରେ ଦୁଇଭାଗ ହୋଇ ରାଜୁଆନଦୀ ସୃଷ୍ଟି ହୋଇଛି। ଦୟାନଦୀର ପ୍ରଦେଶପଥ ଢିପ ହୋଇଥିବାରୁ ପ୍ରତ୍ୟେକ ବର୍ଷ ନଦୀରେ ଜଳପ୍ରବାହିତ ହୁଏନାହିଁ। ଜଳ ସମସ୍ୟାକୁ ନେଇ ତଳମୁଣ୍ଡର ଗ୍ରାମବାସୀ ପ୍ରତିବର୍ଷ ଜଳ କଷ୍ଟ ଭୋଗୁଥିବା ଅଭିଯୋଗ କରିବାରୁ ନଦୀଖୋଳା ଯାଇ ହ୍ୟୁମପାଇପ ପକାଇ ନଦୀଜଳ ଦୟାନଦୀରେ ପ୍ରବେଶ କରୁଥିଲା। ଚଳିତ ବର୍ଷ ହ୍ୟୁମପାଇପ୍‌ ମୁହଁରେ ବାଲି ଓ ନାଲିମୋରମ ଗଦାହୋଇଥିବାରୁ ଦୟାନଦୀରେ ପ୍ରବାହିତ ହେଉଥିବା ଜଳ ନ ଆସି ରାଜୁଆନଦୀରେ ଚାଲିଯାଉଛି। ଫଳରେ ପୂର୍ବରୁ ଗଚ୍ଛିତ ଥିବା ଦୂଷିତ ଜଳ ବ୍ୟବହାର କରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦୟାନଦୀରେ ଜଳଛାଡିବାପାଇଁ ନଦୀକୂଳ ଗ୍ରାମବାସୀ ବାରମ୍ବାର କଣାସ ବିଡିଓ ଏବଂ ତହସିଲଦାରଙ୍କ ନିକଟରେ ଦାବିକରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବାରୁ ଜନଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାପାଇଁ ନଦୀପାଖ ଗ୍ରାମବାସୀ ଦାବିକରିଛନ୍ତି।