ଦୁଇ ବାଇକ୍‌ ଓ ଇଣ୍ଡିଗୋକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

ନୂଆଗାଁ,୨୬ା୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁରଠାରେ ରବିବାର ପୂର୍ବାହ୍ନରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁଇଟି ବାଇକ ଓ ଗୋଟିଏ ଇଣ୍ଡିଗୋକୁ ଧକ୍କାଦେଇଥିଲା। ଫଳରେ ଚାରି ଜଣ ଆହତ ହେବା ସହ ଜଣେ ମହିଳା ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନରେ ଶିଖରଗୋଛା ଗ୍ରାମର ଧନିଆ ନାୟକ ସ୍ତ୍ରୀ ରେବତୀଙ୍କୁ ବାଇକ ଓଡି ୨୫ ଜି ୫୬୬୨ରେ ବସାଇ ନୂଆଗାଁରୁ ନୟାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ଛତିଶଗଡ଼ରୁ ନୟାଗଡ଼ ଯାଉଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ମହିପୁର ରାମଚଣ୍ଡୀ ମନ୍ଦିର ନିକଟରେ ଧନିଆଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉଭୟ ସେଠାରେ ପଡ଼ିଯାଇଥିଲେ। ସେଠାରୁ ଟ୍ରକଟି ଖସି ଯିବାକୁ ଉଦ୍ୟମ କରିବାବେଳେ ଭାଟସାହିର ଅନ୍ତର୍ଯ୍ୟାମୀ ଭଟ୍ଟ ସ୍ତ୍ରୀଙ୍କୁ ନେଇ ଶ୍ୱଶୁର ଘର ଭିରୁଡ଼ାରୁ ନିଜ ଘରକୁ ବାଇକ ନଂ ଓଡି୨୫ ସି ୫୨୫୮ରେ ଯାଉଥିବାବେଳେ ଧକ୍କା ଦେଇଥିଲା । ବାଇକ ଚାଳକ ଓ ତାଙ୍କ ସ୍ତ୍ରୀ ଦୂରକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପୁନର୍ବାର ସେଠାରୁ ଟ୍ରକ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ମହିପୁର ଛକ ନିକଟରେ ଏକ ଇଣ୍ଡିଗୋ କାରକୁ ଧକ୍କା ଦେଇଥିଲା। ଫଳରେ କାର ଚାଳକ ଆହତ ହୋଇଥିଲେ। ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଟ୍ରକଟିକୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ରେବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏପରି ତିନୋଟି ଦୁର୍ଘଟଣା ଘଟାଇ ଟ୍ରକଟି ଖସି ଯିବାକୁ ଉଦ୍ୟମ କରୁଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ନୂଆଗାଁ ଆଇଆଇସି ମନୋରମା ମଲିକ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଦୁଇଟି ବାଇକ, ଇଣ୍ଡିଗୋ ଓ ଟ୍ରକକୁ ଜବତ କରିବା ସହ ଟ୍ରକ ଡାଇଭରକୁ ଥାନାରେ ଅଟକ ରଖିଛନ୍ତି। ଦୁର୍ଘଟଣା ବିଷୟରେ ଟ୍ରକ ଡ୍ରାଇଭର ଦୀପୁ ନାୟକକୁ ପଚାରିବାରୁ ଟ୍ରକଟିର ବ୍ରେକ ଫେଲ୍‌ ହୋଇଯିବାରୁ ଏପରି ଘଟିଲା ବୋଲି କହିଛନ୍ତି।