Categories: ରାୟଗଡା

ଦୁଇ ଆଦିବାସୀ ଗାଁ ବାସିନ୍ଦାଙ୍କ ବିପଦପୂର୍ଣ୍ଣ ଯାତ୍ରା: ତାରକୁ ଧରି ନଦୀ ପାର ହେବାକୁ ପଡ଼େ

ପାରଳାଖେମୁଣ୍ଡି, ୨୧।୬ (ସ୍ବ.ପ୍ର.)- ବର୍ଷାଦିନ ଆସିଲେ ପେକେଟ୍‌ ଓ ଲିମର୍ସିଂ ଗାଁର ଲୋକଙ୍କ ମନରେ ଡର ପଶେ। ଏହି ଦୁଇଟି ଗାଁ ମଝିରେ ରହିଛି ପାରଜୀ ନଦୀ। ବର୍ଷାଦିନେ ପାଣି ଭର୍ତ୍ତି ଥିଲେ ନଦୀ ପାରହେବାର ଏକମାତ୍ର ମାଧ୍ୟମ ହେଉଛି ତାର ଓ କାଠଗଣ୍ଡି। ତଳ ତାରରେ ପାଦ ରଖି, ମୁଣ୍ଡଉପର ତାରକୁ ଧରି ଅତି ସତର୍କତାର ସହ ନଦୀ ପାର ହେଲାବେଳେ ଛୁଆ ହେଉ କି ବୁଢ଼ା, ସମସ୍ତଙ୍କ ଭିତରେ ଜୀବନ ଚାଲି ଯିବାର ଭୟଥାଏ।
ଗଜପତି ଜିଲାର ରାୟଗଡ ବ୍ଲକ ମାର୍ଲବା ପଞ୍ଚାୟତ ଅଧୀନରେ ରହିଛି ଦୁଇଟି ବଡ଼ ଗାଁ ପେକେଟ ଏବଂ ଲିମର୍ସିଂ। ଏହି ଦୁଇ ଗ୍ରାମ ମଝିରେ ପାରଜୀ ନଦୀ ରହିଥିବାବେଳେ ବ୍ଲକ୍‌ ସଦର ମହକୁମାରୁ ଏହି ଗ୍ରାମ ମାତ୍ର ୧୦କିମି ଦୂରତାରେ ରହିଛି। ପେକେଟରୁ ପ୍ରାୟ ଦୁଇ କିମି ଦୂରତାରେ ରହିଥିବା ଲିମର୍ସିଂ ଗାଁକୁ ଯିବା ପାଇଁ କୌଣସି ରାସ୍ତା ନାହିଁ ା ଉଭୟ ଗ୍ରାମରେ ୨୦୦ରୁ ଉର୍ଦ୍ଧ୍ୱ ପରିବାରର ୧୨ଶହରୁ ଉଦ୍ଧ୍ୱର୍ର୍ ଲୋକ ବସବାସ କରୁଥିବାବେଳେ ସେମାନେ ମୁଖ୍ୟତଃ ଜନଜାତି ସଂପ୍ରଦାୟର। ଲିମର୍ସିଂ ଗ୍ରାମବାସୀ ପ୍ରତିଦିନ ବ୍ଲକ କାମ, ବନ୍ଧୁବାନ୍ଧବଙ୍କ ଘରକୁ ଯିବାଆସିବା, ଦୋକାନ ବଜାର ଯିବା, ସ୍କୁଲ, ଡାକ୍ତରଖାନା ଯିବା ଆସିବା ପାଇଁ ଏହିପରି ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରିବାକୁ ବାଧ୍ୟ ହୋଇଥାନ୍ତି ା ପେକେଟ ଗ୍ରାମକୁ ଯିବାକୁ ହେଲେ ବିଲ ହିଡ଼ ଦେଇ କିଛି ଦୂର ଚାଲିବାପରେ ପୁଣି ପାରଜୀ ନଦୀର ପଥର ଶଯ୍ୟା ଦେଇ ଚାଲିବାକୁ ପଡିଥାଏ ା ବର୍ଷାଦିନେ ପ୍ରାୟ ୫ମାସ ଗ୍ରାମବାସୀ ନଦୀର ଦୁଇ ପାର୍ଶ୍ୱରେ ଲମ୍ବା ଗଛ ଗଣ୍ଡି ପକାଇ କିମ୍ବା ଉଭୟ ପାଖ ଗଛରେ ବିଦ୍ୟୁତ ତାର ବାନ୍ଧି ତାହା ସହାୟତାରେ ଜୀବନକୁ ପାଣି ଛଡ଼ାଇ ନଦୀ ପାର ହୋଇଥାନ୍ତି। ସେହିପରି ବନ୍ୟା ଜଳ ଯୋଗୁ କାଠଗଣ୍ଡି ଭାସିଗଲେ ନଦୀ ପାର ହେବା ପାଇଁ ବିଦ୍ୟୁତ ତାର ହିଁ ଏକମାତ୍ର ଭରସା ହୋଇଥାଏ। ବର୍ଷାଦିନେ ଏହିପରି ଯାତାୟାତ ସମୟରେ ପାଣିରେ ଭାସି ଲୋକେ ପ୍ରାଣ ହରାଇଥିବା ମଧ୍ୟ ଲିମର୍ସିଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପାରଜୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦାବିକରି ଗତ ନିର୍ବାଚନ ସମୟରେ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ତେବେ ଏ ସଂପର୍କରେ ଖବର ପାଇ କେତେକ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ରାସ୍ତା ଓ ପୋଲ ତୁରନ୍ତ ନିର୍ମାଣ ପାଇଁ ପ୍ରଶାସନିକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ଫଳରେ ଗ୍ରାମବାସୀ ଭୋଟ ଦେଇଥିଲେ ା ହେଲେ ଭୋଟ ପରେ ଆଉ କାହାର ଦେଖା ମିଳୁନାହିଁ ବୋଲି ସୀତା ଶବର, ସାବିତ୍ରୀ ଭୂୟାଁ, ଶ୍ୟାମ ଭୂୟାଁ, ବୀରସିଂ ରାଇକା, ସେବିକା ରାଇକା, ଗଙ୍ଗାଧର ଗମାଙ୍ଗ, ଶ୍ରୀଧର ରାଇକା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ରାୟଗଡ଼ ବିଡିଓ ଲୁକାଶ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ନଦୀଟି ଓସାରିଆ ଏବଂ ଅତ୍ୟନ୍ତ ପଥୁରିଆ ରାସ୍ତା ଯୋଗୁ ସେଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇ ତିନିଥର ଟେଣ୍ଡର ଡକା ଯାଇଥିଲା। କିନ୍ତୁ କେହି ମଧ୍ୟ ଟେଣ୍ଡର ପକାଉ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ଘଟୁଛି।