Heavy rain at Mahim on Wednesday. Express photo by Nirmal Harindran, 4th September 2019, Mumbai.
ଭୁବନେଶ୍ୱର,୩୦ା୩(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାପମାତ୍ରା ବଢ଼ିବାରେ ଲାଗିଛି। ଦିନବେଳା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ହେଲେ ଅପରାହ୍ନରୁ ହଠାତ ପାଗରେ ପରିବର୍ତ୍ତନ ଘଟୁଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ହୋଇଛି। ଆସନ୍ତା ଦୁଇଦିନ ଏହିଭଳି ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଉପକୂଳ ଓଡ଼ିଶା, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି। ଝଡ଼ତୋଫାନ ଓ ବଜ୍ରପାତ ନେଇ ଉପକୂଳ ଓଡ଼ିଶା ସମେତ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେନ୍ଦୁଝରକୁ ସତର୍କ କରାଯାଇଛି। ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ରାୟଗଡ଼ା, କୋରାପୁଟ, କନ୍ଧମାଳ, ବୌଦ୍ଧ, ଗଜପତି, କଳାହାଣ୍ଡି, କେନ୍ଦୁଝର, ମୟୂଭରଞ୍ଜ ଓ ଗଞ୍ଜାମ ଜିଲାରେ ବର୍ଷା ହେବାର ଆଶଙ୍କା ରହିଛି। ଝଡ଼ତୋଫାନ ଓ ବଜ୍ରପାତ ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ରାୟଗଡ଼ା, ଗଜପତି, କୋରାପୁଟ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ।
ଅନ୍ୟପକ୍ଷରେ ରବିବାର ଅନୁଗୋଳରେ ସର୍ବାଧିକ ତାପମାତ୍ରା ୩୯.୫ଡିଗ୍ରୀ ଥିବାବେଳେ ନୟାଗଡ଼ ୩୯, ବାରିପଦା ୩୮.୮, ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୩୮.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୨ଦିନ ପର୍ଯ୍ୟନ୍ତ ୧ରୁ ୨ଡିଗ୍ରୀ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।