The dead man's body. Focus on hand
ନିମାପଡ଼ା,୧୧।୮(ଡି.ଏନ୍.ଏ.)- ନିମାପଡ଼ା ଥାନା ଅନ୍ତର୍ଗତ ରେଞ୍ଚ ମହାନ୍ତିସାହି ଗ୍ରାମରୁ ରବିବାର ଅପରାହ୍ନରେ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। କିଛିଦିନ ପୂର୍ବରୁ ଏହି ଘଟଣା ଘଟିଥିବାରୁ ମୃତଦେହ ପଚି ଦୁର୍ଗନ୍ଧମୟ ହେଉଥିଲା। ମୃତ ଦମ୍ପତି ହେଲେ ଉକ୍ତ ଗ୍ରାମର ବିଶ୍ୱଜିତ ମହାନ୍ତି(୨୯) ଓ ତାଙ୍କ ସ୍ତ୍ରୀ ଲିିଲି ପ୍ରଧାନ(୨୭)। ଖବରପାଇ ନିମାପଡ଼ା ଥାନା ଆଇଆଇସି ଜନାର୍ଦ୍ଦନ ପାଢ଼ୀ ଓ ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ଟିମ ସହ ପହଞ୍ଚତ୍ ମୃତଦେହକୁ ଜବତ କରିଥିଲେ। ଏ ସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ସୋମବାର ପୁରୀର ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ପାଢ଼ୀ କହିଛନ୍ତି। ଅପରପକ୍ଷେ ବିଶ୍ୱଜିତ ଓ ତାଙ୍କ ସ୍ତ୍ରୀ ଗତ ୫ଦିନ ହେବ ଘରରୁ ବାହାରି ନ ଥିବାବେଳେ ଏହି ଦିନ ମଧ୍ୟରେ ଉଭୟେ ଆତ୍ମହତ୍ୟା କରିଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ତେବେ ମୃତ୍ୟୁର ସ୍ପଷ୍ଟ କାରଣ ଜଣାପଡି ନାହିଁ।
ପୋଲିସ ସୂଚନା ମୁତାବକ, ରେଞ୍ଚ ମହାନ୍ତିସାହି ଗ୍ରାମରେ ବିଶ୍ୱଜିତ ମା’ବାପାଙ୍କ ସହ ସପରିବାର ରହୁଥିଲେ। ତେବେ ବିଶ୍ୱଜିତଙ୍କ ମାଆଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ମା’ବାପା ୧୦ଦିନ ତଳେ କଟକ ଯାଇଥିଲେ। ଚିକିତ୍ସା ସାରି ରବିବାର ଫେରି ଘର କବାଟ ଖୋଲିବା ବେଳେ କିଛି ପଚାଗନ୍ଧ ହେଉଥିବାର ଜାଣିପାରିଥିଲେ। ପରେ ଘର ଭିତରକୁ ଯିବାବେଳେ ପୁଅ ବୋହୂ ଦୁଇଜଣ ଘର ବାରଣ୍ଡା ଗମାରେ ଥିବା ଫ୍ୟାନରେ ଏକ ପ୍ଲାଷ୍ଟିକ ରଶିରେ ବାନ୍ଧି ହୋଇ ଝୁଲୁଥିବାର ଦେଖିଥିଲେ। ପରେ ସ୍ଥାନୀୟଲୋକ ଜାଣି ପୋଲିସକୁ ଜଣାଇଥିଲେ। ତେବେ ଘରେ କେହି ନ ଥିବାର ସୁଯୋଗ ନେଇ ଘର ଗେଟ ଭିତର ପଟୁ ତାଲା ପକାଇ କୌଣସି କାରଣରୁ ସ୍ବାମୀ ସ୍ତ୍ରୀ ଆତ୍ମହତ୍ୟା କରିଥିବା ଗ୍ରାମରେ ଚର୍ଚ୍ଚା ହୋଇଛି। ଏହି ଘଟଣା ନେଇ ନାନା ସନ୍ଦେହ ସୃଷ୍ଟି ହେଉଥିବାବେଳେ ଝୁଲନ୍ତା ଶବକୁ ଦେଖିବା ପାଇଁ ଗ୍ରାମରେ ଲୋକଙ୍କ ଭିଡ ଲାଗି ରହିଛି।