ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି। ଅସଜଡ଼ା ଅର୍ଥନୀତି ଯୋଗୁ ଦେଶର ଜିଡିପି ଅଭିବୃଦ୍ଧି ୫%କୁ ଖସି ଆସିଛି। ଗୋଟିଏ ପଟେ ରୋଜଗାର କମିଥିବାବେଳେ ଅନ୍ୟପଟେ ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ବ୍ୟୟଭାର ବୃଦ୍ଧି ପାଇଛି। ଗତ ୫ବର୍ଷରେ ଦେଶର ଅର୍ଥନୀତିକୁ ସମ୍ଭାଳିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଓଡ଼ିଶା ସିଟିଜେନ୍‌ସ ଫୋରମ୍‌ ପକ୍ଷରୁ ସୋମବାର ସ୍ଥାନୀୟ ଶ୍ରମିକ ଭବନଠାରେ ‘ଦେଶରେ ଅର୍ଥନୈତିକ ଅଧୋଗତି’ ବିଷୟବସ୍ତୁକୁ ନେଇ ଆୟୋଜିତ ମାସିକ ଆଲୋଚନାଚକ୍ରରେ ଯୋଗଦେଇଥିବା ବକ୍ତାମାନେ ଏହା କହିଛନ୍ତି। ଆଲୋଚନାଚକ୍ରର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଦୀପକ ମହାପାତ୍ର ‘ମୋଟର ଯାନ ଆଇନ ଓ ଅର୍ଥଦଣ୍ଡ’ ବିଷୟ ଉପରେ ଆଲୋଚନା କରିଥିଲେ। ପାଣ୍ଠି ସଂଗ୍ରହ ପାଇଁ ଏହି ଆଇନରେ ସଂଶୋଧନ କରାଯାଇ ଲୋକଙ୍କୁ ଦଣ୍ଡିତ କରାଯାଉଥିବା ସେ କହିଥିଲେ। ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱ ଏବଂ ଆବାହକ ପ୍ରଦୀପ୍ତ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସାମ୍ବାଦିକ ରାଜେଶ ମହାପାତ୍ର ଅର୍ଥନୈତିକ ଅଧୋଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସିଟିଜେନ୍‌ସ ଫୋରମର ଅଧ୍ୟକ୍ଷ ଡା. ମଧୁସୂଦନ ମିଶ୍ର ଉପସ୍ଥିତ ଥିଲେ।