ଡମ୍ପର ଚାପାରେ ନାବାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ, ଉତ୍ତେଜନା

ଯୋଡ଼ା, ୩।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡି କେମେସି ଗଣେଶ ମନ୍ଦିର ଛକଠାରେ ରବିବାର ଅପରାହ୍ନରେ ଏକ ଡମ୍ପର ଚାପାରେ ଆକାଶ ପୂର୍ତ୍ତି(୮) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ କେନ୍ଦ୍ର କରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ନାବାଳକଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇବାବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ। ସେମାନେ ନାବାଳକଙ୍କ ମୃତଦେହ ରଖି ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ରାସ୍ତାରୋକୋ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସେଠାରେ ଏକ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ଖବର ଲେଖା ହେବାଯାଏ ରାସ୍ତାରୋକୋ ଜାରି ରହିିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଉଥିବା ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଡମ୍ପରଟି କେଏମସି ଖଣି ଆଡୁ ଗଣେଶ ମନ୍ଦିର ଛକ ଦେଇ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ୪୫ରେ ରାସ୍ତା ପାର ହେଉଥିବା ଆକାଶଙ୍କୁ ଧକ୍କା ଦେଇଥିଲା। ଡମ୍ପର ପଛ ଚକ ତଳେ ଆକାଶ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଡମ୍ପରଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ କିଛି ଦୂରକୁ ଯାଇ ଡମ୍ପର ଡ୍ରାଇଭରଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଳକଙ୍କ ପରିବାର ଏବଂ ରାସ୍ତାରୋକୋ କରୁଥିବା ଲୋକଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। କ୍ଷତିପୂରଣ ବାବଦକୁ ୨୦ ହଜାର ଟଙ୍କା ଦିଆଯିବାରୁ ଅଞ୍ଚଳବାସୀ ଏହାକୁ ଗ୍ରହଣ ନ କରି ୫ଲକ୍ଷ ୮୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା। ଫୋର୍ସ ମୁତୟନ ଓ ଆଲୋଚନା ସତ୍ତ୍ୱେ କୌଣସି ସମାଧାନ ବାଟ ବାହାରି ନ ଥିବାରୁ ବାମେବାରୀ ଥାନା ଅଧିକାରୀ ଏନେଇ ବଡବିଲ ଏସଡିପିଓଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି।