ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି, ଧାରଣା କ୍ଷତିଗ୍ରସ୍ତ: ୬ଘଣ୍ଟା ଯାତାୟାତ ବାଧାପ୍ରାପ୍ତ

ଓଡ଼ାପଡ଼ା, ୨୪।୪(ଡି.ଏନ.ଏ)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଙ୍ଗୁରସିଂହ ରେଳଫାଟକ ନିକଟରେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରେଳଧାରଣା କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଦୀର୍ଘ ୬ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମଙ୍ଗଳବାର ଭୋଟ ପାଇଁ ଅଧିକାଂଶ ଯାନବାହନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ। ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବାକୁ ଟ୍ରେନ୍‌ ଉପରେ ନିର୍ଭର କରିଥିଲେ। ହେଲେ ଦୀର୍ଘସମୟ ଟ୍ରେନ୍‌ ଅଟକି ରହିବା କାରଣରୁ ସେମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ  ହେବାକୁ ପଡ଼ିଥିଲା।

ତାଳଚେର-ଭୁବନେଶ୍ୱର ଅପ୍‌ଲାଇନ୍‌ରେ ଯାଉଥିବା ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଗୋଟିଏ ଇଞ୍ଜିନ୍‌ରେ କୌଣସି କାରଣରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଟ୍ରେନ୍‌ଟି ଓ୍ବାଗନଗୁଡ଼ିକୁ ଟାଣିପାରିଲାନାହିଁ। ଚାଳକ ଟ୍ରେନ୍‌କୁ ଆଗକୁ ନେବାକୁ ଯଥାସାଧ୍ୟ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଏପଟେ ଟ୍ରାକ୍‌ ଉପରେ ରେଳ ଇଞ୍ଜିନ ଚକାଗୁଡ଼ିକ କ୍ଷୀପ୍ରଗତିରେ ଘୂରିବା ଫଳରେ ଧାରଣାର ୧୨ଟି ସ୍ଥାନ ଅତିମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ମାଲବାହୀ ଟ୍ରେନ୍‌ ଅଟକି ରହିବା କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରେଲଓ୍ବେ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ହେବାପରେ ରେଳଧାରଣା ମରାମତି ଆରମ୍ଭ ହୋଇଥିଲା। ମରାମତି ସମୟରେ ମୋଟ ୧୨ଟି ଲୁହାଧାରଣା ବଦଳାଯାଇଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ କରିବାକୁ କେତେକ ଏକ୍ପପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌କୁ ଡାଉନ୍‌ ଟ୍ରାକ୍‌ରେ ଛଡ଼ାଯାଇଥିଲା। ସନ୍ଧ୍ୟା ୬ଟାରେ ଉକ୍ତ କାର୍ଯ୍ୟ ଶେଷ ହେବାପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି।