ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଦିନ ବେଳା ଲୁହାପଥର ବୋଝେଇ ଟ୍ରକ୍‌ ଚଳାଚଳ କରୁଥିବାରୁ ରାସ୍ତା ଜାମ ହେଉଛି। ରାସ୍ତାକଡରେ ବାଲି ଜମା ହେଉଛି। ବସ୍‌ ଓ ଅନ୍ୟ ଗାଡି ପାର୍କିଂ ହେଉଥିବାରୁ ରାସ୍ତା ସଙ୍କୁଚିତ ହୋଇପଡୁଛି। ଅବସ୍ଥା ସୁଧାରିବା ପାଇଁ ଟ୍ରାଫିକ୍‌ ପୋଲିସ ପକ୍ଷରୁ  କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।  ୪୯ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ନିର୍ମାଣ ଶିରିପୁର ନିକଟରେ ଚାଲିଥିଲେ ହେଁ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଉଛି । ଗାନ୍ଧୀ ଛକରେ ଡ୍ରେନ ଭାଙ୍ଗି ଆବର୍ଜନା ପାଣି ରାସ୍ତାରେ ଗଡୁଛି। ରାସ୍ତା ମଝିରେ ଖାଲ ହୋଇଯାଇଥିବାରୁ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ପ୍ରଶାସନ, ଏନ୍‌ଏଚ କର୍ତ୍ତୃପକ୍ଷ ତଥା ପୂର୍ତ୍ତ ବିଭାଗ ଚୁପ ବସିଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି।