ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ,ସ୍ବାମୀ ଓ ଝିଅ ଗୁରୁତର

କେନ୍ଦୁଝର, ୯ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍‌ ଧକ୍କାରେ ସ୍ବାମୀ ଓ ଝିଅଙ୍କ ସହ ଏକ ସ୍କୁଟରରେ ବସି ଯାଉଥିବା ସରସ୍ବତୀ ସେଠୀ (୪୨) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ସ୍ବାମୀ ଶୁଭନାଥ ସେଠୀ ଓ ଝିଅ ନିହାରିକା ପ୍ରିୟଦର୍ଶିନୀ ସେଠୀ (୧୯) ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତା ମହିଳାଙ୍କ ନାମ ସରସ୍ବତୀ ସେଠୀ (୪୨) । ସେମାନଙ୍କ ଘର ମୟୂରଭଞ୍ଜ ଜିଲା ଯଶୀପୁର ନିକଟ କପୁଣ୍ଡି ଗ୍ରାମରେ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୋଲିସ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି ା ଶୁଭନାଥ ଘୁଟୁରୁ ଗ୍ରାମର ତାଙ୍କ ଶ୍ୱଶୁର ଘରକୁ ଆସି ସେଠାରୁ ସୋମବାର ଅପରାହ୍ନରେ ଝୁମ୍ପୁରା ବ୍ଲକ ବାଲିବନ୍ଧ ନିକଟ ଏକ ଗ୍ରାମକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ବେଳେ ବଡ଼ବିଲ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଟ୍ରକ ସ୍କୁଟରକୁ ପଛପଟୁ ଧକ୍କା ଦେଇଥିଲା ା ସରସ୍ବତୀ ରାସ୍ତା ଉପରକୁ ଛିଟିକି ପଡିଥିବା ବେଳେ ଟ୍ରକ ଚକ ତାଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା । ଏହି ଅଞ୍ଚଳରେ ସମ୍ପ୍ରତି ବାରମ୍ବାର ଏଭଳି ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ହାନି ଘଟିଥିବାରୁ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।