ଟ୍ରକକୁ ପିଟିଲା ଆମ୍ବୁଲାନ୍ସ, ୨ ମୃତ

ଜଳେଶ୍ୱର, ୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ୬୦ ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ପଛପଟେ ଆମ୍ବୁଲାନ୍ସ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ପଶ୍ଚିମବଙ୍ଗ ରାଜ୍ୟ ବାଙ୍କୁଡ଼ା ଜିଲା ବିଷ୍ଣୁପୁର ଥାନା ବେଲିଆଡ଼ି ଗ୍ରାମର ସେକ୍‌ ବଦରୁଲ (୪୮) ଓ ସେକ୍‌ ଆଇନାଲ(୪୫)। ଏମାନେ ସମ୍ପର୍କରେ ୨ ଭାଇ ବୋଲି ଜଣାପଡ଼ିଛି।
ସୋମବାର ଭୋର ସମୟରେ ଏହି ଆମ୍ବୁଲାନ୍ସ (ନଂ.ଡବ୍ଲ୍ୟୁବି୬୭ବି-୩୫୧୩) ରୋଗୀ ନେଇ କଟକ ଅଭିମୁଖେ ଯାଉଥିଲା। ଗାଡିଟି ଦ୍ରୁତ ବେଗରେ ଯାଉଥିବାରୁ ଚାଳକ ରାସ୍ତାକଡରେ ଥିବା ଟ୍ରକକୁ ହଠାତ୍‌ ଦେଖି ନ ପାରି ପିଟି ହୋଇଯାଇଥିଲେ। ଫଳରେ ଆମ୍ବୁଲାନ୍ସରେ ଥିବା ୬ ଜଣଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଜଳେଶ୍ୱର ପୋଲିସ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସକୁ ଜବତ କରିବା ସହିତ ଏକ ମାମଲା (ନଂ.୧୪୦/୧୯) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇଛି।