Posted inଖେଳ

ଟି୨୦ ପରାଜୟର ପ୍ରତିଶୋଧ ଦିନିକିଆରେ ନେଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୯।୨(ପି.ଟି.)- ଟି୨୦ ସିରିଜ ପରାଜୟର ପ୍ରତିଶୋଧ ଦିନିକିଆରେ ନେଇଛି ଘରୋଇ ନ୍ୟୁଜିଲାଣ୍ଡ। ୫-୦ ବ୍ୟବଧାନରେ ଟି୨୦ ସିରିଜରେ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭାରତକୁ ୨୨ ରନରେ ପରାସ୍ତ କରିଛି। ଏଥିସହିତ ୩ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଭାରତର ବୋଲିଂ ଆଶାନୁରୂପ ହୋଇଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତା ପଦାରେ ପଡିଛି। ଦୁର୍ବଳ ଶଟ ଚୟନ ଭାରତ ପାଇଁ କାଳ ହୋଇଛି। ଟସ୍‌ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବୋଲରମାନେ ଏହି ନିଷ୍ପତ୍ତିର ଯଥାର୍ଥତା ପ୍ରତିପାଦନ କରି ଘରୋଇ ଦଳକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନ ଥିଲେ। ନ୍ୟୁଜିଲାଣ୍ଡ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ ସ୍କୋର କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୨୫୧ ରନକରି ଅଲଆଉଟ ହାଇଥିଲା। ଦିନିକିଆ ପଦାର୍ପଣ କରିଥିବା ୬ ଫୁଟ୍‌ ୮ ଇଞ୍ଚ୍‌ ଉଚ୍ଚତାବିଶିଷ୍ଟ ନ୍ୟୁଜିଲାଣ୍ଡ ବୋଲିଂ ଅଲରାଉଣ୍ଡର ୨୫ ବର୍ଷୀୟ କାଏଲ ଜେମିଶନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେ ୨୪ ବଲରୁ ୧ ଚୌକା ଓ ୨ ଛକା ସହ ୨୫ ରନ କରି ଅପରାଜିତ ରହିବା ସହ ମୂଲ୍ୟବାନ ୨ ଉଇକେଟ ନେଇ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ପ୍ରଥମ ଦିନିକିଆରେ ଭାରତ ୪ ଉଇକେଟରେ ପରାସ୍ତ ହୋଇଥିଲା। ତୃତୀୟ ତଥା ଅନ୍ତିମ ଦିନିକିଆ ମଙ୍ଗଳବାର ମାଉଣ୍ଟ ମାଉନଗାନୁଇରେ ଖେଳାଯିବ।
୨୭୪ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରିଥିବା ଭାରତୀୟ ଦଳ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା। ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୭୧ ରନରେ ଭାରତ ତା’ର ପ୍ରଥମ ୪ ଉଇକେଟ ହରାଇଥିଲା। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ନବଦୀପ ସଇନି ଲଢୁଆ ବ୍ୟାଟିଂ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ଓପନର ମୟଙ୍କ ଅଗ୍ରଓ୍ବାଲ ୩ ରନକରି ପ୍ରଥମେ ଆଉଟ ହେବା ପରେ ପୃଥ୍ବୀ ଶ ୨୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ବିରାଟ କୋହଲି ପୁଣି ଥରେ ଚକ୍‌ମା ଖାଇ ଅଭିଜ୍ଞ୍ୟ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେ ମାତ୍ର ୧୫ ରନ ସଂଗ୍ରହ କରିଥିଲେ। ଇନ୍‌ଫର୍ମ ଲୋକେଶ ରାହୁଲ ଦୀଘ ଦିନ ପରେ ଫେଲ ମାରିଥିଲେ। ସେ ମାତ୍ର ୪ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି କଲିନ ଡି ଗ୍ରାଣ୍ଡହୋମଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। କେଦାର ଯାଦବ ମଧ୍ୟ ବିଫଳ ହୋଇ ମାତ୍ର ୯ ରନକରି ଆଉଟ ହୋଇଥିଲେ। ଶାର୍ଦ୍ଦୂଳ ଠାକୁର ୩ ଚୌକା ସହ ୧୫ ବଲରୁ ୧୮ ରନ କରି ଆଉଟ ହୋଇଥିଲେ। ଭାରତ ୨୦୦ ରନ ମଧ୍ୟରେ ଅଲଆଉଟ ହେବା ମନେହେଉଥିଲା। ତେବେ ଅଷ୍ଟମ ଉଇକେଟରେ ଜାଡେଜା ଓ ସଇନି ୭୬ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ସଇନି ୪୯ ବଲରୁ ୫ ଚୌକା ଓ ୨ ଛକା ସହ ୪୫ ରନ କରି ଜେମିଶନଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଏହାପରେ ୧୦ ରନ କରିଥିବା ୟୁଜବେନ୍ଦ୍ର ଚହଲ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଶେଷରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଜାଡେଜା ଜିମ୍ମି ନିଶାମଙ୍କ ବଲ୍‌ରେ ଲଙ୍ଗ୍‌ଅଫ୍‌ରେ ଗ୍ରାଣ୍ଡହୋମଙ୍କୁ କ୍ୟାଚ୍‌ ଆଉଟ ହେବା ପରେ ଭାରତ ଇନିଂସର ପରିସମାପ୍ତି ଘଟିଥିଲା। ଭୁଲ ଶଟ୍‌ ଚୟନ କରି ଭାରତୀୟ ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡି ଆଉଟ ହୋଇଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ହାମିଶ ବେନେଟ, ସୌଦି, ଜେମିଶନ ଓ ଗ୍ରାଣ୍ଡହୋମ ଦୁଇଟି ଲେଖାଏ, ନିଶାମ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଗୁପ୍ଟିଲ ଓ ନିକୋଲ୍ସ ପ୍ରଥମ ଉଇକେଟରେ ୯୩ ରନ ସଂଗ୍ରହ କରିଥିଲେ। ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ ମଧ୍ୟ ମିଡଲ ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଫେଲ ମାରିଥିଲେ। ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲ ୭୯ ରନ କରି ରନ୍‌ ଆଉଟ ହୋଇଥିଲେ। ସେହିପରି ହେନେରୀ ନିକୋଲ୍ସ ୪୧, ଟମ୍‌ ବ୍ଲଣ୍ଡେଲ ୨୨, ଜେମିଶନ ୨୫ ରନର ଉପଯୋଗୀ ପାଳି ଖେଳିଥିଲେ। ଅଭିଜ୍ଞ ରସ୍‌ ଟେଲର ପୁଣିଥରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଇନିଂସ ଗଢିଥିଲେ। ୭୪ଟି ବଲ ଖେଳି ସେ ୬ ଚୌକା ଓ ୨ ଛକା ସହ ୭୩ ରନ କରି ଶେଷପର୍ଯ୍ୟନ୍ତ ଅପରାଜିତ ରହିବା ସହ ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ନବମ ଉଇକେଟରେ ଟେଲର ଓ ଜେମିଶନ ୫୧ ବଲରୁ ଅପରାଜିତ ୭୬ରନ ସଂଗ୍ରହ କରିଥିଲେ। ବୋଲିଂରେ ଭାରତ ତରଫରୁ ଚହଲ ୩, ଠାକୁର ୨ ଓ ଜାଡେଜା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୭୩/୮
(ଗୁପ୍ଟିଲ- ୭୯, ଟେଲର- ୭୩*, ନିକୋଲ୍ସ- ୪୧, ଜେମିଶନ- ୨୫*, ବ୍ଲଣ୍ଡେଲ-୨୨, ଚହଲ- ୩/ ୫୮, ଠାକୁର- ୨/୬୦, ଜାଡେଜା- ୧/୩୫)।
ଭାରତ ୪୮.୩ ଓଭରରେ ୨୫୧ ଅଲଆଉଟ
(ଜାଡେଜା – ୫୫, ଆୟାର- ୫୨, ସଇନି- ୪୫, ପୃଥ୍ବୀ- ୨୪, ବେନେଟ- ୨/୫୮, ସୌଦି- ୨/୪୧, ଜେମିଶନ- ୨/୪୨, ଗ୍ରାଣ୍ଡହୋମ- ୨/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri