ଟାଙ୍ଗୀରେ ପାନୀୟ ଜଳ ସମସ୍ୟା : ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ହନ୍ତସନ୍ତ

ଟାଙ୍ଗୀ(ଖୋର୍ଦ୍ଧା),୭ା୬(ଡି.ଏନ.ଏ.) : ସମ୍ପ୍ରତି ଟାଙ୍ଗୀରେ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି। ଏଥିଯୋଗୁ ଘୋର ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତେବେ ପ୍ରଶାସନିକ ଅବହେଳା ଏଥିପାଇଁ ଦାୟୀ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରତ୍ନମାଳୀ ପାହାଡ଼ ପାଦଦେଶ ଓ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବୋରିଂ ଦ୍ୱାରା ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ମାତ୍ର ଗ୍ରାମର ଉପରମୁଣ୍ଡରେ ଥିବା ଜନସାଧାରଣଙ୍କ ନିକଟରେ ଏହି ପ୍ରକଳ୍ପରୁ ପାନୀୟ ଜଳ ସହଜରେ ଉପଲବ୍‌ଧ ହୋଇପାରୁ ନ ଥିଲା। ନିକଟସ୍ଥ ଲୋକେ ପାଇପ୍‌ ଯୋଗେ ଏହି ଜଳର ବହୁଳ ଅପବ୍ୟବହାର କରିବା, ବେଆଇନ ଭାବେ ନିଜ ବାସଗୃହକୁୁ ପାଇପ ଯୋଗେ ପାଣି ନେବା ଓ ମନଇଚ୍ଛା ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥିଲା । ଏଥିପାଇଁ ଟାଙ୍ଗୀର ୨୦ଟି ସାହି ବସ୍ତିରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟ ଏଠାରେ ରହିଛି। ସମସ୍ତ ଜନସାଧାରଣ ଘୋର ଜଳ ସମସ୍ୟା ଯୋଗୁ ହନ୍ତସନ୍ତ ହେଉଛନ୍ତି। ତେବେ ସମସ୍ୟାର ସୁଧାର ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରି ୧ ଲକ୍ଷ ଲିଟର ପାନୀୟ ଜଳ ଧାରଣ କରୁଥିବା ଏକ ଓଭର୍‌ହେଡ୍‌ ଟାଙ୍କି ବ୍ଲକ ଅଫିସ ପ୍ରବେଶ ଦ୍ୱାର ନିକଟରେ ନିର୍ମାଣ କରାଯାଇଥିଲା। ନିର୍ମାଣର ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଏହା କାର୍ଯ୍ୟକ୍ଷମ ହୋଇପାରିନି। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ଲଗାଇ ଓଭରହେଡ୍‌ ଟାଙ୍କିକୁ କାର୍ଯ୍ୟକ୍ଷମ କରାଗଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ଶେଷରେ ଗ୍ରାମ୍ୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଜଳନ୍ଧର ସେଠୀଙ୍କ ସହିତ ଆଲୋଚନା ପରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଥିଲେ। ୨-୩ ଦିନ ମଧ୍ୟରେ ମୋଟର ସ୍ଥାପନ କରି ଓଭର୍‌ହେଡ ଟାଙ୍କିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଯନ୍ତ୍ରୀ ଟାଙ୍ଗୀ ସରପଞ୍ଚଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।