ଜେଲ୍‌ ଗଲେ ନକଲି ସୋରିଷ ତେଲ କାରଖାନା ଚଳାଉଥିବା ଦମ୍ପତି

ଉଦଳା, ୧୦।୧୧ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ଉଦଳା ଥାନାଠାରୁ ମାତ୍ର ଦେଢ କି.ମି. ଦୂର ଏନଏସି ଅଧୀନ ୧୨ ନଂ ୱାର୍ଡରେି ଚାଲିଥିବା ନକଲି ସୋରିଷ ତେଲ କାରଖାନା ଠାବ ହେବା ପରେ ପୋଲିସ କାରଖାନା ମାଲିକ ଓ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଉଦଳା ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଏହି କାରଖାନା ସଂକ୍ରାନ୍ତ ସୂଚନାକୁ ଆଧାର କରି ମୟୂରଭଞ୍ଜ ଏସପି ପରମାର ସ୍ମିଥ୍‌ ପୁରୁଷୋତ୍ତମ ଦାସ ଏହାର ତଦନ୍ତ କରିବାକୁ ଉଦଳା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଶୁକ୍ରବାର ଏହି କାରଖାନା ଉପରେ ଚଢାଉ କରାଯାଇଥିଲା। ସେଠାରୁ ନକଲି ତେଲ ପ୍ରସ୍ତୁତି ଲାଗି ବ୍ୟବହାର କରାଯାଉଥିବା ବିଭିନ୍ନ ଯାନ୍ତ୍ରିକ ସରଞ୍ଜାମ ସମେତ ପ୍ୟାକିଂ ହୋଇ ରହିଥିବା ନକଲି ସୋରିଷ ତେଲ ପେଟି ଓ ଟିଣ ଜବତ କରିଥିଲା ା ସେଠାରୁ ମୋଟ ୫ ହଜାର ଲିଟର ସୋରିଷ ତେଲ ଜବତ ହୋଇଥିବା ଜଣାପଡିଛି। ଏହି ଘଯଣାରେ ସମ୍ପକୃକ୍ତ କାରଖାନାର ମାଲିକ ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ବେହେରାକୁ ପୋଲିସ୍‌ ଅଟକ ରଖି ପଚରାଉଚୁରା କରିବା ପରେ ଶନିବାର କୋର୍ଟଚାଲାଣ କରିଛି । ଏ ନେଇ ୪୨୦/୨୭୨/୨୭୩ ଆଇପିସି, ୧୦୩/୧୦୪ ଜେଡ୍‌ ମାର୍କ ଆକ୍ଟ, ୭୯ ଟ୍ରେଡ୍‌ ମାର୍ଚେଣ୍ଟ ଆକ୍ଟ, ୪୮ ଫୁଡ୍‌ ସେଫ୍ଟି ଆକ୍ଟରେ ଅନୁଯାୟୀ ଏକ ମାମଲା (ନଂ . ୧୭୬/୧୯) ରୁଜୁ କରାଯାଇଛି। ପୋଲିସ ଏହି ସୂଚନା ଦେଇ କହିଛି ଯେ, ଗୌରାଙ୍ଗ ଏବଂ ଜ୍ୟୋସ୍ନାରାଣୀ ବାଲେଶ୍ୱର ଜିଲା ଶେରଗଡରୁ ରାଇସ୍‌ ଅଏଲ ଆଣି ସେଥିରେ ଅପମିଶ୍ରଣ କରି ସୋରିଷ ତେଲ ପ୍ରସ୍ତୁତ କରୁଥିଲେ। ସେମାନେ ଏହାକୁ ଉପାନ୍ତ ଅଞ୍ଚଳକୁ ବିକ୍ରି ନିମନ୍ତେ ପଠାଉଥିଲେ ା ବଂଶୀ ଲାଲ ନାମକ ଏକ ବ୍ରାଣ୍ଡରେ ଏହି ତେଲ ବିକ୍ରି କରାଯାଉଥିଲା। ଏହି ନକଲି ତେଲକୁ ସୋରିଷ ତେଲର ରଙ୍ଗ ଦିଆଯିବା ନିମନ୍ତେ ଏକ କେମିକାଲ ବ୍ୟବହାର କରାଯାଉଥିବା ଜଣାଯାଇଛି। ଉଲ୍ଲେଖନୀୟ ଯେ, ଏହି କାରଖାନାକୁ ତେଲ ନେବାକୁ ଆସୁଥିବା ଗାଡି ସର୍ବଦା ମୁଖ୍ୟ ରାସ୍ତା ଉପରେ ଛିଡା ହେଉଥିଲେ ମଧ୍ୟ ପୋଲିସ୍‌ କିମ୍ବା ଖାଉଟି ବିଭାଗ ଏହାର କୌଣସି ସୁରାକ ପାଇ ପାରି ନ ଥିଲା ା