ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ: ‘ଜୈବିକ କୃଷି ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୧୭।୬-ବାଲେଶ୍ୱରସ୍ଥିତ ଓସୱାନ ହଲ୍‌ରେ ମଙ୍ଗଳବାର ଖରିଫ ୨୦୨୦ ନିମନ୍ତେ ଜିଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବ୍ଲକର କୃଷି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ୨୦୧୯-୨୦ ରବିଋତୁର ଲକ୍ଷ୍ୟ ହାସଲ ଏବଂ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ଚଳିତ ଖରିଫ ଋତୁରେ ଚାଷୀମାନଙ୍କର ଉପତ୍ାଦନ ଖର୍ଚ୍ଚକୁ କମାଇବା, ଉନ୍ନତମାନର ବିହନ ଯୋଗାଣ ସହ ତାହାର ବ୍ୟବହାର ପାଇଁ ଚାଷୀମାନଙ୍କୁ ପ୍ରବର୍ତ୍ତାଇବା, ସଏଲ ହେଲ୍‌ଥ କାର୍ଡ଼ ବଣ୍ଟନ ସହ ଚାଷଜମିର କିସମ ଅନୁଯାୟୀ ଚାଷ କାମ କରିବା, ଧାଡ଼ିରୁଆ, ଠିକ୍‌ ସମୟରେ ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବ୍‌ସିଡ଼ି ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷ କରି ଜୈବିକ କୃଷିକୁ ଲୋକପ୍ରିୟ କରାଇବା ଉପରେ ଜିଲାପାଳ ଗୁରୁତ୍ୱ ଦେଇଥିଲେ। ଚଳିତ ଖରିଫ ଋତୁରେ କୃଷି ବିଭାଗ ତରଫରୁ ୧ଲକ୍ଷ ୯୭ହଜାର ୮୭୧ହେକ୍ଟର ଜମିରେ ଧାନ ଫସଲ ଏବଂ ୧୯,୩୬୮ ହେକ୍ଟର ଜମିରେ ଅଣଧାନ ଫସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଣଧାନ ଫସଲ ମଧ୍ୟରେ ଡାଲି ଜାତୀୟ, ମକା, ଚିନାବାଦାମ, ଝୋଟ, ପନିପରିବା, ଅଦା, ହଳଦୀ, ଲଙ୍କା, ଆଖୁ ଆଦି ଚାଷ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସେହିପରି ଉଦ୍ୟାନ କୃଷି ବିଭାଗ ତରଫରୁ ଆମ୍ବ, କଦଳୀ, ଅମୃତଭଣ୍ଡା, ଶଙ୍କରଜାତୀୟ (ହାଇବ୍ରିଡ଼) ପନିପରିବା ଚାଷ କରାଯିବା ଲାଗି ଯୋଜନା ଥିବା ସୂଚନା ଦିଆଯାଇଥିଲା। ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର, ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଡିଆରସିଏସ ପ୍ରଶାନ୍ତ କୁମାର ମହାନ୍ତି, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପାତ୍ର, ଏଲ୍‌ଡିଏମ ସୁଦୀପ ଡାକୁଆ, ବିବିସିସି ବ୍ୟାଙ୍କର ଏଜିଏମ୍‌ ଅଭିରାମ ମହାନ୍ତି, ନିର୍ବାହୀଯନ୍ତ୍ରୀ ସୁବୋଧ କୁମାର ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।