ଜାଲ୍‌ ଟିଡିଆର ଘଟଣା: ବଣ୍ଟି ଅଗ୍ରୱାଲଙ୍କୁ ୨୧ ଦିନ ଜାମିନ

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍‌ ରିସିପ୍ଟ (ଟିଡିଆର୍‌) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭବାନୀପାଟଣାର ସ୍ପେଶାଲ କ୍ଲାସ୍‌ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ ହୋଇଥିଲେ। ତେବେ ଏ ନେଇ ହାଇକୋର୍ଟ ବଣ୍ଟିଙ୍କୁ ୨୧ ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଅନ୍ତରୀଣ ଜାମିନ ପ୍ରଦାନ କରିଥିବା କୁହାଯାଇଛି। ଆବେଦନକାରୀଙ୍କ ନାମରେ ୨୦୧୭ରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ମାମଲା ରୁଜୁ ହୋଇଥିଲା। ମା’ଙ୍କ ଅସୁସ୍ଥତା ନେଇ ତାଙ୍କୁ ଅନ୍ତରୀଣ ଜାମିନ ଦିଆଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ଉପରେ ସେ ଆବେଦନ କରିଥିଲେ।
ସୂଚନାଯୋଗ୍ୟ, ପୋଲିସ ପକ୍ଷରୁ ବଣ୍ଟିଙ୍କ ନାଁରେ ସମୁଦାୟ ୧୧ଟି ମାମଲା ରୁଜୁ ହୋଇଛି। ପୂର୍ବରୁ ତାଙ୍କ ବାପା ସୁପର କ୍ଲାସ୍‌ ଠିକାଦାର ରାଜେନ୍ଦ୍ରଙ୍କ ନାମରେ ୭ ଓ ପତ୍ନୀ ସବିତାଙ୍କ ନାଁରେ ୩ଟି ମାମଲା ଦାଏର ହୋଇଥିଲା। ରାଜେନ୍ଦ୍ର ସମସ୍ତ ମାମଲାରେ ଜାମିନ ପାଇସାରିଛନ୍ତି।