ଟୋକିଓ,୯।୧୨: ସୋମବାର ରାତିରେ ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ ହେବା ପରେ ଲୋକମାନେ ଏବେ ବି ଭୟଭୀତ ଅଛନ୍ତି। ଭୂମିକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ସୁନାମି ଆସିଛି। ଏହି ବିପର୍ଯ୍ୟୟ ସମଗ୍ର ଦେଶକୁ ଥରାଇ ଦେଇଛି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଏକ ଏମରଜେନ୍ସି ଟାସ୍କ ଫୋର୍ସ ଗଠନ କରିଛନ୍ତି।
ଜାପାନରୁ ଧସିଯାଇଥିବା ରାସ୍ତାଠାରୁ କ୍ଷତିଗ୍ରସ୍ତ କୋଠା ପର୍ଯ୍ୟନ୍ତ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି। ଅଗ୍ନି ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଅନୁଯାୟୀ, ଭୂମିକମ୍ପରେ ୩୩ ଜଣଙ୍କ ଆହତ ହୋଇଥିବା ସୂଚନା ମିଳିଛି, ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।
ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ଗଣମାଧ୍ୟମକୁ କହିଛନ୍ତି ଯେ ଏକ ଏମରଜେନ୍ସି ଟାସ୍କ ଫୋର୍ସ ଗଠନ କରାଯାଇଛି। ‘ଲୋକଙ୍କ ଜୀବନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏବଂ ଆମେ ସେମାନଙ୍କୁ ବଞ୍ଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ,’ ବୋଲି ସେ କହିଛନ୍ତି। ଏହି ଅଞ୍ଚଳରେ ଥିବା ପରମାଣୁ ଶକ୍ତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ଯାଞ୍ଚ କରାଯାଉଛି।
ସୋମବାର ରାତି ପ୍ରାୟ ୧୧ଟା୧୫ ସମୟରେ ଘଟିଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ଜାପାନର ହୋନଶୁ ଦ୍ୱୀପ ନିକଟରେ ଅବସ୍ଥିତ ଥିଲା, ଯାହା ଫଳରେ ଜାପାନର ଅଧିକାଂଶ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମୁଦ୍ରରେ ତରଙ୍ଗ ସୃଷ୍ଟି କରିଥିଲା ଏବଂ ଜାପାନ ସମେତ ପ୍ରଶାନ୍ତ ମହାସାଗର ଆଖପାଖ ଦେଶଗୁଡ଼ିକ ପାଇଁ ସୁନାମି ଚେତାବନୀ ଜାରି କରାଯାଇଥିଲା।
Dharitri – The Largest & Most Trusted Odia Daily


