ଜରିମାନାରୁ ବର୍ତ୍ତିବା ପାଇଁ ଯୁବକଙ୍କ ନିଆରା ଉପାୟ

ବାରିପଦା ଅଫିସ,୧୯ା୧୨- ନୂତନ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗାଡ଼ି ଚାଳକମାନଙ୍କଠାରୁ ଏଭଳି ଭାବେ ଜରିମାନା ଆଦାୟ କରାଯାଉଛି ଯେ, ଲୋକେ ଘରୁ ଗାଡ଼ିି କାଢ଼ିବା ବନ୍ଦ କରିଦେଇଛନ୍ତି। ଏପରିସ୍ଥଳେ ବାରିପଦା ସହର ପୋଡାଅସ୍ତିଆ ଅଞ୍ଚଳର ସୁଶାନ୍ତ ସିଂ ନାମକ ଜଣେ ଯୁବକ ନିଆରା ଉପାୟରେ ନିଜ ଗାଡ଼ିର କାଗଜପତ୍ର ପ୍ରଦର୍ଶନ କରୁଛନ୍ତି। ତାଙ୍କ ମୋଟର ସାଇକେଲର ରେଜିଷ୍ଟ୍ରେଶନ ସାର୍ଟିଫିକେଟ, ପଲ୍ୟୁଶନ ସାର୍ଟିଫିକେଟ ଓ ଡ୍ରାଇଭିଂ ଲାଇସେନ୍ସକୁ କଲର ଜେରକ୍ସ କରି ଗାଡି ସମ୍ମୁଖରେ ଲଗାଇଛନ୍ତି। ଫଳରେ ପୋଲିସକୁ କାଗଜପତ୍ର ଯାଞ୍ଚ ବେଳେ ଅଳ୍ପ ସମୟ ନଷ୍ଟ ହେବ ଓ ତାଙ୍କର ମଧ୍ୟ ସମୟ ଅପଚୟ ହେବ ନାହିଁ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ରାସ୍ତାରେ ଗାଡ଼ି ଚଲାଇବା ବେଳେ ସମସ୍ତ ପ୍ରକାର ନିୟମ ମାନିବାକୁ ମଧ୍ୟ ସେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଏଭଳି ନିଆରା ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି।