Posted inଜାତୀୟ

ଜଗନ୍ନାଥ କ୍ଷମାଦେଇ ନ ଥାନ୍ତେ: ସିଜେଆଇ

ନୂଆଦିଲ୍ଲୀ,୧୯ା୬(ପି.ଟି.):ଚଳିତବର୍ଷ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ନଜରରେ ରଖି ବୃହତ୍‌ ଜନସ୍ବାର୍ଥ ଦୃଷ୍ଟିରୁ ରଥଯାତ୍ରା ଉପରେ ଗୁରୁବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌. ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଏହି ଐତିହାସିକ ପରମ୍ପରା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କେବଳ ପୁରୀ ନୁହେଁ, ସାରା ଓଡ଼ିଶାର କୌଣସି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହେବନାହିଁ। କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା କରି ନ ଥାନ୍ତେ ବୋଲି ଖଣ୍ଡପୀଠ କହିଛନ୍ତି।
ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଜନସ୍ବାସ୍ଥ୍ୟ ସ୍ବାର୍ଥ ଓ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଏବର୍ଷ ପୁରୀରେ ରଥଯାତ୍ରାକୁ ଅନୁମତି ଦିଆଯାଇ ପାରିବ ନାହିଁ। ମହାମାରୀ କରୋନା ସମୟରେ ବିଶାଳ ଜନସମାଗମ ହେବା ଅନୁଚିତ। ରଥଯାତ୍ରା ହେବାକୁ ଅନୁମତି ଦେଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମାକରିବେ ନାହିଁ ବୋଲି ସିଜେଆଇ ବୋବ୍‌ଡେ କହିଛନ୍ତି। ଏହାସହ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର କୌଣସି ସ୍ଥାନରେ ରଥଯାତ୍ରା, ଭକ୍ତଙ୍କ ସମାଗମ ଓ ଯାତ୍ରା ସମ୍ପର୍କିତ କୌଣସି ପ୍ରକାର ରୀତିନୀତିକୁ ଅନୁମତି ପ୍ରଦାନ ନ କରିବାକୁ ଓଡ଼ିଶା ସରକାରଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀ ଏନ୍‌ଜିଓ ‘ଓଡ଼ିଶା ବିକାଶ ପରିଷଦ’ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ରଥଯାତ୍ରାକୁ ଅନୁମତି ଦିଆଗଲେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଏହି ବିଶାଳ ଜନ ସମାଗମ ଯୋଗୁ ସଂକ୍ରମଣ ବଢ଼ିବ ଓ ଲୋକଙ୍କ ଜୀବନ ବିପନ୍ନ ହେବ। ଏହାକୁ ଖଣ୍ଡପୀଠ ଏକ ଗମ୍ଭୀର ମାମଲା ବୋଲି ଅଭିହିତ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁକ୍ରବାର ଏହା ଉପରେ ଜବାବ ଦାଖଲ କରିବେ ବୋଲି କହିଥିଲେ। ଏଥିସହ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ ନ ଲଗାଇବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ, ଜୁନ ୩୦ ପର୍ଯ୍ୟନ୍ତ କୌଣସି ଜନ ସମାଗମ ହେବ ନାହିଁ ବୋଲି ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି। ସିଜେଆଇ ବୋବ୍‌ଡେ କହିଥିଲେ, ପୂର୍ବ ଅନୁଭୂତିରୁ ଜଣାଯାଏ ଯେ ରଥଯାତ୍ରା ବା ଏପରି ବିଶାଳ ଜନସମାଗମ ହେଉଥିବା ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦେଲେ ଅସମ୍ଭାଳ ଭିଡ଼ ହେବ। ଶେଷରେ ଖଣ୍ଡପୀଠ ଜୁନ ୨୩ରେ ଆରମ୍ଭ ହେବାକୁ ଥିବା ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି କରାଯାଉଛି ବୋଲି ସ୍ପଷ୍ଟ କରିଥିଲେ।
ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରାକୁ ବନ୍ଦ କରାଯାଉ କିମ୍ବା ସ୍ଥଗିତ ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଏନ୍‌ଜିଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରାଯାଇଥିଲା। ୧୦ରୁ ୧୨ ଦିନ ଧରି ଚାଲୁଥିବା ରଥଯାତ୍ରା ବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ଦୁଇଟି ପିଟିଶନ ଦାଏର ହୋଇଥିଲା। ଅନ୍ୟ ପିଟିଶନଟି ଓଡ଼ିଶା ହାଇକୋର୍ଟଙ୍କ ଜୁନ୍‌ ୯ ରାୟକୁ ବିରୋଧ କରି ‘ଭାରତୀୟ ବିକାଶ ପରିଷଦ’ ପକ୍ଷରୁ ଦାଏର ହୋଇଥିଲା। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ରଥଯାତ୍ରା କରାଇବା ପାଇଁ ନିଷ୍ପତ୍ତି ନେବାକୁ ହାଇକୋର୍ଟ ଉକ୍ତ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‘ଭାରତୀୟ ବିକାଶ ପରିଷଦ’ର ସୁରେନ୍ଦ୍ର ପାଣିଗ୍ରାହୀ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ପିଆଇଏଲ୍‌ରେ ଦର୍ଶାଯାଇଥିଲା ଯେ, ରାଜ୍ୟ ସରକାର ଜୁନ ୧ ଓ ୭ ତାରିଖରେ ଗାଇଡ୍‌ଲାଇନ୍‌ ଜାରି କରି ଏଭଳି ଧାର୍ମିକ ସମାଗମ ଉପରେ ରୋକ ଲଗାଇଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ମେ ୩୦ରେ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଥିଲା। ଫଳରେ ରଥଯାତ୍ରା କରିବା ପାଇଁ ଅନୁମତି ଦିଆଗଲେ ଅସମ୍ଭାଳ ଭିଡ଼ ହେବ। ପର୍ଯ୍ୟାପ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ହେବନାହିଁ। ଏଥିଯୋଗୁ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ସରକାରୀ ଅଧିକାରୀ ଓ କର୍ତ୍ତୃପକ୍ଷ ଭାଇରସ୍‌ ସଂକ୍ରମଣ ରୋକିବାରେ ବିଫଳ ହେବେ। ଏସବୁକୁ ଦୃଷ୍ଟିରେ ରଖି ଲୋକଙ୍କ ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ଜୁନ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି ପିଆଇଏଲ୍‌ରେ ଯୁକ୍ତି ବଢ଼ାଯାଇଥିଲା। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଲାଗି ଅନୁମତି ପ୍ରଦାନ ନ କରିବା ସକାଶେ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।
ସେହିପରି ସୁରେନ୍ଦ୍ର ପାଣିଗ୍ରାହୀ ନିଜ ଅପିଲ ପିଟିଶନରେ ଅନୁରୂପ ଯୁକ୍ତି ବାଢ଼ି ଦର୍ଶାଇଥିଲେ ଯେ, ବର୍ତ୍ତମାନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବାବେଳେ ଓଡ଼ିଶା ସମେତ ସାରା ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପୁରୀ ଜିଲାରେ ମଧ୍ୟ ଏହି ମହାମାରୀ ତା’ର ପ୍ରାଦୁର୍ଭାବ ଦେଖାଇଛି। ତେଣୁ ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି ସେ ଶୀର୍ଷ ଅଦାଲତଙ୍କୁ ନିବେଦନ କରିଥିଲେ। ଏହା ପୂର୍ବରୁ ସୁରେନ୍ଦ୍ରଙ୍କ ପକ୍ଷରୁ ଦାଏର ଏକ ପିଟିଶନର ଶୁଣାଣି କରି ହାଇକୋର୍ଟ ଜୁନ ୯ରେ ରାୟ ଦେଇଥିଲେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ରଥଯାତ୍ରା ପାଳନ କରିହେବ କି ତା’ ଉପରେ ରାଜ୍ୟ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ କହିଥିଲେ। ଯଦି ପାଳନ କରିହେବ ତେବେ ସରକାର ଉପଯୁକ୍ତ ଢଙ୍ଗରେ ମେଶିନ କିମ୍ବା ହାତୀ ଦ୍ୱାରା ରଥ ଟଣାଇବା ଉଚିତ ହେବ ବୋଲି ହାଇକୋର୍ଟ ନିଜ ରାୟରେ ପ୍ରସ୍ତାବ ଦେଇଥିଲେ।
ପ୍ରକାଶ ଯେ, ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ପ୍ରତିବର୍ଷ ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ। ହଜାର ହଜାର ବର୍ଷ ପୁରୁଣା ଏହି ପାରମ୍ପରିକ ଯାତ୍ରାରେ ଭକ୍ତମାନେ ରଥକୁ ବଡ଼ଦାଣ୍ଡରେ ଟାଣି ଟାଣି ୩ କି.ମି. ଦୂରରେ ଥିବା ମାଉସୀ ମା’ ମନ୍ଦିରକୁ ନେଇଥାନ୍ତି। ୯ ଦିନ ପରେ ବାହୁଡ଼ାଯାତ୍ରା ହୋଇଥାଏ, ଯାହାକି ଏଥର ଜୁଲାଇ ୧ରେ ପଡ଼ିଥାନ୍ତା। ରିପୋର୍ଟ ଅନୁସାରେ ବାଲେଶ୍ୱରର ୧୨, ମୟୂରଭଞ୍ଜ ୬, ସମ୍ବଲପୁର ୫, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲାର ୨ଟି ଲେଖାଏ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହେବ ନାହିଁ ବୋଲି ମନ୍ଦିରଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଥିଲା। କାରଣ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୫୧୨ ଛୁଇଁଥିବାବେଳେ ଅଦ୍ୟାବଧି ୧୪ ଜଣଙ୍କ ଜୀବନ ନେଇସାରିଛି ଏହି ଘାତକ ଭୂତାଣୁ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-ଶ୍ରୀନଗର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଶ୍ରୀନଗର,୨୯।୩: ଶୁକ୍ରବାର ଜମ୍ମୁ-କଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାମବନ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ କ୍ୟାବ ଖାଲରେ ଖସିପଡିଛି। ଯେଉଁଥିରେ ୧୦ଜଣଙ୍କର...

ମୋଦି-ବିଲ୍‌ ଗେଟ୍ସ ଆଲୋଚନା: ସବୁ ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ ଏକ ବଡ଼ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି,...

ବୁଥ୍‌ରେ ଭୋଟ ଦେବାକୁ ଅଫିସର ଭୋଟରଙ୍କୁ ବାଧ୍ୟ କରିପାରିବେ ନାହିଁ

କୋଲକାତା,୨୯।୩: ପ୍ରତ୍ୟେକ ଯୋଗ୍ୟ ଭୋଟର ଯେପରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ, ସେଥିପାଇଁ ନିର୍ବାଚନ କମିଶନ ଏଥର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ଭୋଟରମାନଙ୍କୁ...

ଭାରତରେ ନିଯୁକ୍ତିର ଉତ୍କଟ ସ୍ଥିତି, ବେରୋଜଗାରିର ୮୩% ଯୁବବର୍ଗ

ନୂଆଦିଲ୍ଲୀ,୨୯।୩: ଭାରତରେ ନିଯୁକ୍ତି ସ୍ଥିତି ଅତ୍ୟନ୍ତ ଉତ୍କଟ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହ୍ୟୁମାନ୍‌ ଡେଭେଲପ୍‌ମେଣ୍ଟ (ଆଇଏଚ୍‌ଡି)ର ଏକ ରିପୋର୍ଟରୁ...

୯୬% ଭାରତୀୟ କମ୍ପାନୀ ସାଇବର ଆକ୍ରମଣ ମୁକାବିଲା ପାଇଁ ଅକ୍ଷମ

ନୂଆଦିଲ୍ଲୀ, ୨୯।୩:ଭାରତରେ ସାଇବର ଆକ୍ରମଣଜନିତ ମାମଲା ଦ୍ରୁତ ଗତିରେ ବଢ଼ିଚାଲିଛି। ଏଭଳି ଆକ୍ରମଣର ମୁକାବିଲା ପାଇଁ ମାତ୍ର ୪ ପ୍ରତିଶତ ଭାରତୀୟ କମ୍ପାନୀ ସକ୍ଷମ। ଅର୍ଥାତ୍‌...

ମନରେଗା ମଜୁରି ବୃଦ୍ଧି: ଓଡ଼ିଶା ଶ୍ରମିକଙ୍କ ଏତିକି ଟଙ୍କା ମଜୁରି ବଢିଲା

ନୂଆଦିଲ୍ଲୀ,୨୯ା୩(ପି.ଟି.):ବିଭିନ୍ନ ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମଜୁରିକୁ ୪ରୁ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଓଡ଼ିଶାରେ...

ବିପଦରେ ନ୍ୟାୟପାଳିକା

ନୂଆଦିଲ୍ଲୀ,୨୯ା୩(ପି.ଟି.):ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଅଦାଲତକୁ ବଦନାମ କରିବାକୁ ଉଦ୍ୟମ...

ମୁଖତାରଙ୍କ ୧୨ଶହ କୋଟି ଟଙ୍କାର ସମ୍ପତ୍ତି

ଲକ୍ଷ୍ନୌ,୨୮।୩: ମୁଖତାର ଅନସାରୀଙ୍କ ନାମ କିଏ ବା ନ ଶୁଣିଛି। ଯଦି ଆମେ ପୂର୍ବାଞ୍ଚଳ ବିଷୟରେ କଥା ହେବା, ସେଠାରେ ଥିବା ସମସ୍ତେ ନିଶ୍ଚୟ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri