Posted inଜାତୀୟ

ଜଗନ୍ନାଥ କ୍ଷମାଦେଇ ନ ଥାନ୍ତେ: ସିଜେଆଇ

ନୂଆଦିଲ୍ଲୀ,୧୯ା୬(ପି.ଟି.):ଚଳିତବର୍ଷ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ନଜରରେ ରଖି ବୃହତ୍‌ ଜନସ୍ବାର୍ଥ ଦୃଷ୍ଟିରୁ ରଥଯାତ୍ରା ଉପରେ ଗୁରୁବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌. ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀ ଏବଂ ଏ.ଏସ୍‌. ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଏହି ଐତିହାସିକ ପରମ୍ପରା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। କେବଳ ପୁରୀ ନୁହେଁ, ସାରା ଓଡ଼ିଶାର କୌଣସି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହେବନାହିଁ। କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା କରି ନ ଥାନ୍ତେ ବୋଲି ଖଣ୍ଡପୀଠ କହିଛନ୍ତି।
ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଜନସ୍ବାସ୍ଥ୍ୟ ସ୍ବାର୍ଥ ଓ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଏବର୍ଷ ପୁରୀରେ ରଥଯାତ୍ରାକୁ ଅନୁମତି ଦିଆଯାଇ ପାରିବ ନାହିଁ। ମହାମାରୀ କରୋନା ସମୟରେ ବିଶାଳ ଜନସମାଗମ ହେବା ଅନୁଚିତ। ରଥଯାତ୍ରା ହେବାକୁ ଅନୁମତି ଦେଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମାକରିବେ ନାହିଁ ବୋଲି ସିଜେଆଇ ବୋବ୍‌ଡେ କହିଛନ୍ତି। ଏହାସହ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟର କୌଣସି ସ୍ଥାନରେ ରଥଯାତ୍ରା, ଭକ୍ତଙ୍କ ସମାଗମ ଓ ଯାତ୍ରା ସମ୍ପର୍କିତ କୌଣସି ପ୍ରକାର ରୀତିନୀତିକୁ ଅନୁମତି ପ୍ରଦାନ ନ କରିବାକୁ ଓଡ଼ିଶା ସରକାରଙ୍କୁ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଆବେଦନକାରୀ ଏନ୍‌ଜିଓ ‘ଓଡ଼ିଶା ବିକାଶ ପରିଷଦ’ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ରଥଯାତ୍ରାକୁ ଅନୁମତି ଦିଆଗଲେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଏହି ବିଶାଳ ଜନ ସମାଗମ ଯୋଗୁ ସଂକ୍ରମଣ ବଢ଼ିବ ଓ ଲୋକଙ୍କ ଜୀବନ ବିପନ୍ନ ହେବ। ଏହାକୁ ଖଣ୍ଡପୀଠ ଏକ ଗମ୍ଭୀର ମାମଲା ବୋଲି ଅଭିହିତ କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁକ୍ରବାର ଏହା ଉପରେ ଜବାବ ଦାଖଲ କରିବେ ବୋଲି କହିଥିଲେ। ଏଥିସହ ଯାତ୍ରା ଉପରେ ସମ୍ପୂର୍ଣ୍ଣ ରୋକ ନ ଲଗାଇବାକୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କହିଥିଲେ, ଜୁନ ୩୦ ପର୍ଯ୍ୟନ୍ତ କୌଣସି ଜନ ସମାଗମ ହେବ ନାହିଁ ବୋଲି ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି। ସିଜେଆଇ ବୋବ୍‌ଡେ କହିଥିଲେ, ପୂର୍ବ ଅନୁଭୂତିରୁ ଜଣାଯାଏ ଯେ ରଥଯାତ୍ରା ବା ଏପରି ବିଶାଳ ଜନସମାଗମ ହେଉଥିବା ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ଦେଲେ ଅସମ୍ଭାଳ ଭିଡ଼ ହେବ। ଶେଷରେ ଖଣ୍ଡପୀଠ ଜୁନ ୨୩ରେ ଆରମ୍ଭ ହେବାକୁ ଥିବା ରଥଯାତ୍ରା ଉପରେ ସ୍ଥଗିତାଦେଶ ଜାରି କରାଯାଉଛି ବୋଲି ସ୍ପଷ୍ଟ କରିଥିଲେ।
ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରାକୁ ବନ୍ଦ କରାଯାଉ କିମ୍ବା ସ୍ଥଗିତ ରଖାଯାଉ ବୋଲି ସୁପ୍ରିମକୋର୍ଟରେ ଏନ୍‌ଜିଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର କରାଯାଇଥିଲା। ୧୦ରୁ ୧୨ ଦିନ ଧରି ଚାଲୁଥିବା ରଥଯାତ୍ରା ବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶବିଦେଶର ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଥିବାରୁ ଏହା ଉପରେ ରୋକ ଲଗାଇବା ପାଇଁ ଦୁଇଟି ପିଟିଶନ ଦାଏର ହୋଇଥିଲା। ଅନ୍ୟ ପିଟିଶନଟି ଓଡ଼ିଶା ହାଇକୋର୍ଟଙ୍କ ଜୁନ୍‌ ୯ ରାୟକୁ ବିରୋଧ କରି ‘ଭାରତୀୟ ବିକାଶ ପରିଷଦ’ ପକ୍ଷରୁ ଦାଏର ହୋଇଥିଲା। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ରଥଯାତ୍ରା କରାଇବା ପାଇଁ ନିଷ୍ପତ୍ତି ନେବାକୁ ହାଇକୋର୍ଟ ଉକ୍ତ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ‘ଭାରତୀୟ ବିକାଶ ପରିଷଦ’ର ସୁରେନ୍ଦ୍ର ପାଣିଗ୍ରାହୀ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ପିଆଇଏଲ୍‌ରେ ଦର୍ଶାଯାଇଥିଲା ଯେ, ରାଜ୍ୟ ସରକାର ଜୁନ ୧ ଓ ୭ ତାରିଖରେ ଗାଇଡ୍‌ଲାଇନ୍‌ ଜାରି କରି ଏଭଳି ଧାର୍ମିକ ସମାଗମ ଉପରେ ରୋକ ଲଗାଇଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ମେ ୩୦ରେ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଥିଲା। ଫଳରେ ରଥଯାତ୍ରା କରିବା ପାଇଁ ଅନୁମତି ଦିଆଗଲେ ଅସମ୍ଭାଳ ଭିଡ଼ ହେବ। ପର୍ଯ୍ୟାପ୍ତ ସାମାଜିକ ଦୂରତ୍ୱ ବଜାୟ ରଖିବା ସମ୍ଭବପର ହେବନାହିଁ। ଏଥିଯୋଗୁ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହିଛି। ସରକାରୀ ଅଧିକାରୀ ଓ କର୍ତ୍ତୃପକ୍ଷ ଭାଇରସ୍‌ ସଂକ୍ରମଣ ରୋକିବାରେ ବିଫଳ ହେବେ। ଏସବୁକୁ ଦୃଷ୍ଟିରେ ରଖି ଲୋକଙ୍କ ବୃହତ୍‌ ସ୍ବାର୍ଥ ଦୃଷ୍ଟିରୁ ଜୁନ ୨୩ରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ରଖାଯାଉ ବୋଲି ପିଆଇଏଲ୍‌ରେ ଯୁକ୍ତି ବଢ଼ାଯାଇଥିଲା। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରଥଯାତ୍ରା ଲାଗି ଅନୁମତି ପ୍ରଦାନ ନ କରିବା ସକାଶେ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।
ସେହିପରି ସୁରେନ୍ଦ୍ର ପାଣିଗ୍ରାହୀ ନିଜ ଅପିଲ ପିଟିଶନରେ ଅନୁରୂପ ଯୁକ୍ତି ବାଢ଼ି ଦର୍ଶାଇଥିଲେ ଯେ, ବର୍ତ୍ତମାନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିଚାଲିଥିବାବେଳେ ଓଡ଼ିଶା ସମେତ ସାରା ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ପୁରୀ ଜିଲାରେ ମଧ୍ୟ ଏହି ମହାମାରୀ ତା’ର ପ୍ରାଦୁର୍ଭାବ ଦେଖାଇଛି। ତେଣୁ ରଥଯାତ୍ରାକୁ ବନ୍ଦ କରାଯାଉ ବୋଲି ସେ ଶୀର୍ଷ ଅଦାଲତଙ୍କୁ ନିବେଦନ କରିଥିଲେ। ଏହା ପୂର୍ବରୁ ସୁରେନ୍ଦ୍ରଙ୍କ ପକ୍ଷରୁ ଦାଏର ଏକ ପିଟିଶନର ଶୁଣାଣି କରି ହାଇକୋର୍ଟ ଜୁନ ୯ରେ ରାୟ ଦେଇଥିଲେ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ରଥଯାତ୍ରା ପାଳନ କରିହେବ କି ତା’ ଉପରେ ରାଜ୍ୟ ସରକାର ବିଚାର କରନ୍ତୁ ବୋଲି ହାଇକୋର୍ଟ କହିଥିଲେ। ଯଦି ପାଳନ କରିହେବ ତେବେ ସରକାର ଉପଯୁକ୍ତ ଢଙ୍ଗରେ ମେଶିନ କିମ୍ବା ହାତୀ ଦ୍ୱାରା ରଥ ଟଣାଇବା ଉଚିତ ହେବ ବୋଲି ହାଇକୋର୍ଟ ନିଜ ରାୟରେ ପ୍ରସ୍ତାବ ଦେଇଥିଲେ।
ପ୍ରକାଶ ଯେ, ଭଗବାନ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରା ପ୍ରତିବର୍ଷ ବହୁ ଆଡ଼ମ୍ବରରେ ପାଳିତ ହୋଇଥାଏ। ହଜାର ହଜାର ବର୍ଷ ପୁରୁଣା ଏହି ପାରମ୍ପରିକ ଯାତ୍ରାରେ ଭକ୍ତମାନେ ରଥକୁ ବଡ଼ଦାଣ୍ଡରେ ଟାଣି ଟାଣି ୩ କି.ମି. ଦୂରରେ ଥିବା ମାଉସୀ ମା’ ମନ୍ଦିରକୁ ନେଇଥାନ୍ତି। ୯ ଦିନ ପରେ ବାହୁଡ଼ାଯାତ୍ରା ହୋଇଥାଏ, ଯାହାକି ଏଥର ଜୁଲାଇ ୧ରେ ପଡ଼ିଥାନ୍ତା। ରିପୋର୍ଟ ଅନୁସାରେ ବାଲେଶ୍ୱରର ୧୨, ମୟୂରଭଞ୍ଜ ୬, ସମ୍ବଲପୁର ୫, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲାର ୨ଟି ଲେଖାଏ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ହେବ ନାହିଁ ବୋଲି ମନ୍ଦିରଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଥିଲା। କାରଣ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୫୧୨ ଛୁଇଁଥିବାବେଳେ ଅଦ୍ୟାବଧି ୧୪ ଜଣଙ୍କ ଜୀବନ ନେଇସାରିଛି ଏହି ଘାତକ ଭୂତାଣୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?