ଛେଣ୍ଡିପଦା,୧୨।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ ନୂଆତଇଲା ଗ୍ରାମ ନିକଟରେ ଗୁରୁବାର ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ନୁହୁରାଣୀ ନାଳର ଅବବାହିକାରେ ଚାଷ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଅବକାରୀ ଏସ୍ପି ସୁରେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଅବକାରୀ ଡିଏସ୍ପି କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗର ମୋବାଇଲ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, ଏସ୍ଆଇ ପ୍ରଭାସ ଚୌଧୁରୀ, ଏଏସ୍ଆଇ ଜାକିର ହୁସେନ, ବିଜୟ ସାମଲ ପ୍ରମୁଖଙ୍କ ସହ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଚଢ଼ାଉରେ ଏକ ଏକର ସ୍ଥାନରେ ଲାଗିଥିବା ୩୪ଶହରୁ ଅଧିକ ଗଞ୍ଜେଇ ଗଛଗୁଡ଼ିକୁ ପୋଡ଼ି ଦିଆଯାଇଥିଲା। ଏଥିସହ ଗଞ୍ଜେଇ ଲାଗିଥିବା ସ୍ଥାନଗୁଡ଼ିକ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଡିଏସ୍ପି କହିଛନ୍ତି।


