ଛାତ୍ରୀଛାତ୍ରଙ୍କୁ ମାର୍କ କମ୍‌ ମିଳିଥିବା ନେଇ ଅଭିଭାବକ ଫୋରମର ଅଭିଯୋଗ

ବାରିପଦା ଅଫିସ,୨ା୬ : ରାଇରଙ୍ଗପୁର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷବର୍ଷର ଚତୁର୍ଥ ସେମିଷ୍ଟାର ଇଣ୍ଟରନାଲ ପରୀକ୍ଷାରେ କମ୍‌ ମାର୍କ ମିଳିଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ରାଇରଙ୍ଗପୁର ଅଭିଭାବକ ଫୋରମର ସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକ, ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି, ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ ଓ ୟୁନାଇଟେଡ୍‌ ସିଭିଲ ସୋସାଇଟିର ଫାଗୁରାମ ମାରାଣ୍ଡି ପ୍ରମୁଖ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ଜୟନ୍ତ କୁମାର ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳର ଅଭିଯୋଗ ମୁତାବକ ସେମିଷ୍ଟାର ପରୀକ୍ଷାରେ ୫୦ ଶତାଂଶ, ୬୦ ଶତାଂଶ ଓ ୭୦ ଶତାଂଶ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ଇଣ୍ଟରନାଲ ପରୀକ୍ଷାରେ ୦,୧,୨ ମାର୍କ ଦିଆଯାଇଛି। ତୃଟିପୁର୍ଣ୍ଣ ମୂଲ୍ୟାୟନ ହୋଇଥିବା ସେମାନେ ଦର୍ଶାଇଥିଲେ। ତେବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଇଛି। ଏଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଛାତ୍ରୀଛାତ୍ରଙ୍କୁ ପାସ ମାର୍କ ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଏଥିରେ ବ୍ୟତିକ୍ରମ ହେଲେ ରାଇରଙ୍ଗପୁର କଲେଜ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।