Posted inଜାତୀୟ

ଛଦ୍ମ ରାଷ୍ଟ୍ରବାଦକୁ ‘ଝାଡୁ’:ଏକ ଅଙ୍କରେ ସୀମିତ ଭାଜପା, କଂଗ୍ରେସ ଏଥର ବି ମୂଳପୋଛ

ନୂଆଦିଲ୍ଲୀ,୧୨।୨ :ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବିପୁଳ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତୃତୀୟଥର ପାଇଁ କ୍ଷମତା ଦଖଲ କରିବାକୁ ଯାଉଛନ୍ତି। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଶାସକ ଏଏପି ୬୨ ଆସନ ଦଖଲ କରି ପୂର୍ଣ୍ଣସଂଖ୍ୟାଗରିଷ୍ଠତା ଲାଭ କରିଛି। ଭାଜପାକୁ ମାତ୍ର ୮ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ କଂଗ୍ରେସ ଏଥର ମଧ୍ୟ ଖାତା ଖୋଲିପାରି ନାହିଁ। ଏଏପିର ‘ଉନ୍ନୟନମୂଳକ କାର୍ଯ୍ୟକ୍ରମ’ ସପକ୍ଷରେ ଜନାଦେଶ ଯାଇଥିବାବେଳେ ଭାଜପାର ‘ ଜାତୀୟତାବାଦୀ କାର୍ଯ୍ୟସୂଚୀ’ କାମ ଦେଇନାହିଁ। ଦିଲ୍ଲୀବାସୀ ଏହାକୁ ପ୍ରତ୍ୟାଖ୍ୟାନ କରି ଛଦ୍ମ ରାଷ୍ଟ୍ରବାଦକୁ ଝାଡ଼ୁ ମାରିଦେଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ଫଳରେ ନିର୍ବାଚନ ବେଳେ ଧୂଅଁାଧାର ପ୍ରଚାର ଚଳାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଶକ୍ତ ଝଟକା ଲାଗିଛି। ଏହି ବିଜୟ ସହ ଜାତୀୟ ରାଜନୀତିରେ କେଜ୍‌ରିଓ୍ବାଲଙ୍କ ପତିଆରା ବୃଦ୍ଧିପାଇଛି। ଏଏପି ନେତା ଓ କର୍ମୀ ଉତ୍ସବ ମନାଉଥିବାବେଳେ ଭାଜପା ଶିବିରରେ ନୈରାଶ୍ୟ ଖେଲିଯାଇଛି।
ଗତ ୮ ତାରିଖରେ ଦିଲ୍ଲୀ ବିଧାନସଭାର ୭୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୬୨.୫୯% ମତଦାନ ହୋଇଥିଲା। ଏହାସହ ମଇଦାନରେ ଥିବା ୭୯ ମହିଳାଙ୍କ ସମେତ ମୋଟ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ବନ୍ଦ ହୋଇଯାଇଥିଲା। ଉଭୟ ଏଏପି ଏବଂ ଭାଜପା ବିଜୟ ଆଶା ରଖିଥିବାବେଳେ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ କେଜ୍‌ରିଓ୍ବାଲଙ୍କ ଦଳ ସପକ୍ଷରେ ଜନମତ ରହିଥିବା ଭବିଷ୍ୟବାଣୀ କରିଥିଲେ। ଦିଲ୍ଲୀର ୧୧ ଜିଲାର ୨୧ଟି ସ୍ଥାନରେ ଭୋଟଗଣତି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗଣତି ଆରମ୍ଭ ହୋଇଥିଲା। ପ୍ରଥମରୁ ଅଧିକାଂଶ ଆସନରେ ଦୁଇଦଳ ମଧ୍ୟରେ କଡ଼ା ଟକ୍କର ହେଉଥିବା ଜଣାପଡ଼ିଥିଲା। କିନ୍ତୁ ସମୟ ଗଡ଼ିଚାଲିବା ସହ ଫଳାଫଳ ପରିଷ୍କାର ହେବାରେ ଲାଗିଲା। ନିର୍ବାଚନ କମିଶନ (ଇସି)ଙ୍କ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟାନୁସାରେ ଏଏପି ୬୨ ଆସନ ଦଖଲ କରି ପୁଣିଥରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛି। ଭାଜପାକୁ ଶୋଚନୀୟ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। କଂଗ୍ରେସ ୨୦୧୫ ଭଳି ଏହି ନିର୍ବାଚନରେ ମଧ୍ୟ ଖାତା ଖୋଲିପାରି ନାହିଁ। ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ନୂଆଦିଲ୍ଲୀ ଆସନରୁ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ସୁନୀଲ କୁମାର ଯାଦବଙ୍କୁ ୨୧,୬୯୭ ଭୋଟରେ ହରାଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ମନୀଷ୍‌ ସିସୋଡିଆ ପଟପଡ୍‌ଗଞ୍ଜ ଆସନରେ ଭାଜପା ପ୍ରାର୍ଥୀ ରବୀନ୍ଦର ସିଂଙ୍କୁ ୧୧,୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଏପି ନେତା ରାଘବ ଚଢ଼ା (ରାଜିନ୍ଦର ନଗର), ଅତିଶୀ (କାଲକାଜୀ), ଅମାନତୁଲ୍ଲା ଖାନ୍‌ (ଓଖ୍‌ଲା), ଗୋପାଲ ରାଏ (ବାବରପୁର) ଓ ସତ୍ୟେନ୍ଦ୍ର ଜୈନ(ଶକୁରବସ୍ତି) ମଧ୍ୟ ବିଜୟ ଲାଭ କରିଛନ୍ତି। ଅନ୍ୟପକ୍ଷେ ଭାଜପାର ବିଜେନ୍ଦର ଗୁପ୍ତା (ରୋହିଣୀ), ଓମ୍‌ପ୍ରକାଶ ଶର୍ମା (ବିଶ୍ୱାସନଗର) ବିଜୟୀ ହୋଇଥିବାବେଳେ କପିଲ ମିଶ୍ରା (ମଡେଲ ଟାଉନ), ଅଭୟ ବର୍ମା (ଲକ୍ଷ୍ମୀ ନଗର), ମୋହନ ସିଂ ବିଷ୍ଟ୍‌ (କର୍‌ଓ୍ବାଲନଗର) ଓ ଜିତେନ୍ଦର ମହାଜନ (ରୋହତାସ୍‌ପୁର) ପରାଜିତ ହୋଇଛନ୍ତି। କଂଗ୍ରେସର ଅଲ୍‌କା ଲାମ୍ବା (ଚାନ୍ଦନୀ ଚୌକ), ଅରବିନ୍ଦର ସିଂ ଲଭ୍‌ଲି (ଗାନ୍ଧୀନଗର) ଆସନରୁ ହାରିଯାଇଛନ୍ତି। ଏହି ବିପୁଳ ବିଜୟ ପରେ କେଜ୍‌ରିଓ୍ବାଲ ଦିଲ୍ଲୀବାସଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଏପି ମୁଖ୍ୟାଳୟରେ ସ୍ତ୍ରୀ ସୁନୀତା ଓ ଝିଅ ହର୍ଷିତାଙ୍କ ସହ ଏକ ସଭାକୁ ସମ୍ବୋଧିତ କରି କେଜ୍‌ରିଓ୍ବାଲ କହିଛନ୍ତି ଯେ ‘ଦିଲ୍ଲୀଓ୍ବାଲେଁା, ଗଜବ କର୍‌ଦି ଆପନେ।’ ବିଭାଜନବାଦୀ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ସକାରାମତ୍କ ରାଜନୀତିକୁ ବିଜୟୀ କରାଇଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ଏବେ ଏକ ନୂଆ ରାଜନୀତି ଆରମ୍ଭ ହେବାକୁ ଯାଉଛି। ତାହା ହେଉଛି କାମର ରାଜନୀତି। ସ୍ତ୍ରୀ ସୁନୀତାଙ୍କ ଜନ୍ମଦିନରେ କେଜ୍‌ରିଓ୍ବାଲ ତାଙ୍କୁ ଏହି ଐତିହାସିକ ବିଜୟର ଉପହାର ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଚାଲିଥିବାବେଳେ ଦିଲ୍ଲୀ ନିର୍ବାଚନ ଆସିଥିଲା। ବିଶେଷକରି ଦିଲ୍ଲୀ ଶାହିନବାଗରେ ପ୍ରାୟ ଦୁଇମାସ ଧରି ମହିଳାମାନେ ବିକ୍ଷୋଭ କରୁଥିଲେ। ଓଖ୍‌ଲା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ବହୁଚର୍ଚ୍ଚିତ ଅଞ୍ଚଳ ଶାହିନବାଗର ମହିଳା ମତଦାତାମାନେ ଗତ ଶନିବାର ବିକ୍ଷୋଭ ଜାରି ରଖିବା ସହ ପାଳି କରି ଭୋଟ ଦେବାକୁ ଯାଇଥିଲେ। ‘ଶାହିନବାଗ’କୁ ଭାଜପା ଏକ ବଡ଼ ପ୍ରସଙ୍ଗ କରିଥିଲା। ଭାଜାପା ନେତାମାନେ ଏହାକୁ ନେଇ ଏଏପିକୁ ଟାର୍ଗେଟ କରିଥିଲେ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ପ୍ରଚାର ବେଳେ ଭୋଟରଙ୍କୁ ଆହ୍ବାନ ଦେଇଥିଲେ, ଦିଲ୍ଲୀବାସୀ ଇଭିଏମ୍‌ର ବଟନ ଏପରି ଦବାଇବେ ଯେ କରେଣ୍ଟ ସିଧା ଯାଇ ଶାହିନବାଗରେ ଲାଗିବ। ଏପରି କି କେଜ୍‌ରିଓ୍ବାଲଙ୍କୁ ଭାଜପା ନେତାମାନେ ଆତଙ୍କବାଦୀ ଆଖ୍ୟା ଦେବାକୁ ପଛାଇ ନ ଥିଲେ। ଏହାକୁ ଉଭୟ ଏଏପି ଏବଂ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଥିଲା। ଶେଷରେ ଓଖ୍‌ଲା ନିର୍ବାଚନମଣ୍ଡଳୀର ଭୋଟର ଭାଜପାକୁ ପ୍ରତ୍ୟାଖ୍ୟାନ କଲେ। ପ୍ରଚାର ଶେଷ ଆଡ଼କୁ କେଜ୍‌ରିଓ୍ବାଲ ହନୁମାନ ଚାଳିଶା ପାଠ କରିବା ସହ କନ୍ନଟପ୍ଲେସର ହନୁମାନ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ଭାଜପା ନୁହେଁ, ବରଂ ଏଏପି ହିଁ ଅସଲ ହିନ୍ଦୁବାଦୀ ଓ ଦେଶଭକ୍ତ ଦଳ ବୋଲି ଏହା ଥିଲା କେଜ୍‌ରିଓ୍ବାଲଙ୍କ ରାଜନୈତିକ ସଙ୍କେତ। ମୋଟାମୋଟି ଭାବେ କେଜ୍‌ରିଓ୍ବାଲ ଓ ତାଙ୍କ ଦଳର ଅଧିକାଂଶ ନେତାଙ୍କ ପ୍ରଚାର ବିକାଶଭିତ୍ତିକ ଥିଲା। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍‌ ଓ ଭିତ୍ତିଭୂମି ବିକାଶ ଉପରେ ଏଏପି ଗୁରୁତ୍ୱ ଦେଇଥିଲା। କେଜ୍‌ରିଓ୍ବାଲ ସବୁବେଳେ କହୁଥିଲେ, ଆମ ୫ ବର୍ଷର ଶାସନକୁ ଦେଖି ଲୋକେ ଆମକୁ ଭୋଟ ଦେବେ। ପରିଣାମ ତାହା ହିଁ ହୋଇଛି। ୨୦୧୫ ବିଧାନସଭା ନିର୍ବାଚନରେ ଏଏପି ୬୭ ଆସନ ଦଖଲ କରିଥିବାବେଳେ ଏଥର ତା’ ହାତରୁ ୫ଟି ଆସନ ଖସିଯାଇଛି। ଗତଥର ମାତ୍ର ୩ ଆସନ ପାଇଥିବା ଭାଜପା ଏଥର ଅଧିକ ୫ଟି ସିଟ୍‌ ଅକ୍ତିଆର କରିପାରିଛି। କଂଗ୍ରେସର ୬୩ ଜଣ ପ୍ରାର୍ଥୀ ସେମାନଙ୍କ ଅମାନତ ହରାଇଛନ୍ତି। ନିର୍ବାଚନ ଜିତିବା ପରେ କେଜ୍‌ରିଓ୍ବାଲ ଓ ସିସୋଡିଆ ପରିବାର ବର୍ଗ ସହ କନ୍ନଟପ୍ଲେସ୍‌ର ପ୍ରସିଦ୍ଧ ହନୁମାନ ମନ୍ଦିରଙ୍କୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ପରେ ଉଭୟେ ଗଣତି କେନ୍ଦ୍ରକୁ ଯାଇ ବିଜୟ ପ୍ରମାଣପତ୍ର ଆଣିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଜ୍‌ରିଓ୍ବାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତୃତୀୟଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା କେଜ୍‌ରିଓ୍ବାଲ ଦିଲ୍ଲୀବାସୀଙ୍କ ଆଶାଆକାଂକ୍ଷା ପୂରଣ କରିବେ। ତାଙ୍କୁ ଅଭିନନ୍ଦନ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଆସନ୍ତା ୧୪ ତାରିଖରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ କେଜ୍‌ରିଓ୍ବାଲ ଶପଥ ନେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri