ଚୋରାମଦ ବିକ୍ରିକୁ ମହିଳାଙ୍କ ବିରୋଧ

ପଦ୍ମପୁର, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନବିନ୍ଧା ଗ୍ରାମରେ ମଦବିରୋଧୀ ଅଭିଯାନ ଜୋର ଧରିଛି। ବୁଧବାର ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟାମାନେ ଦୋକାନରେ ଚଢ଼ାଉ କରି ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି। ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ବାଲେଶ୍ୱର ଜିଲାରୁ ଚୋରାରେ ଦେଶୀମଦ ଆଣି ବିକ୍ରି କରୁଥିଲେ। ଫଳରେ ଗ୍ରାମର କିଶୋର, ଯୁବକମାନେ ମଦ ପିଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବା ସହ ମାର୍‌ପିଟ୍‌ କରୁଥିଲେ। ଗ୍ରାମରେ ଥିବା ୧୨ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀର ଶତାଧିକ ସଭ୍ୟା ବାରମ୍ବାର ତାଙ୍କୁ ମଦ ବିକ୍ରି ନ କରିବାକୁ ବୁଝାଇଥିଲେ। ହେଲେ ସେ କାହାରି କଥା ନ ଶୁଣି ମଦବିକ୍ରି ଜାରି ରଖିଥିଲେ। ଶତାଧିକ ମହିଳା ବୁଧବାର ମଧ୍ୟାହ୍ନରେ ସେଠାରେ ପହଞ୍ଚି ସେ ବିକ୍ରି କରୁଥିବା ବେଳେ ୪ ଲିଟର ଦେଶୀମଦ ଓ ଗ୍ଲାସ ଛଡ଼ାଇ ଆଣିଥିଲେ। ଏହାକୁ ନେଇ ମଦ ବିକ୍ରେତା ମହିଳାମାନଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବା ଅଭିଯୋଗ ହୋଇଛି। ମହିଳାମାନେ ଏକାଠି ହୋଇ ଗ୍ରାମରେ ଚୋରାମଦ ବିକ୍ରି କରୁଥିବା ଦୁଇ ବ୍ୟକ୍ତିଙ୍କ ନାମରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସେମାନେ ଜବତ କରିଥିବା ମଦକୁ ପୋଲିସ ଜିମା ଦେଇଛନ୍ତି। ଚୋରାମଦ ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ମହିଳାମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ମଦ ବିରୋଧୀ ଆନ୍ଦୋଳନରେ କୁସୁନବିନ୍ଧାର ମା’ ତାରିଣୀ, ମଙ୍ଗଳା, ଜଗନ୍ନାଥ, ପଶ୍ଚିମା, ଗାୟତ୍ରୀ, ଲକ୍ଷ୍ମୀ, କାଳିକା, ଆଙ୍କୁଡେଶ୍ୱରୀ, ଲକ୍ଷ୍ମୀ ଦଧିବାମନଜୀଉ, ଦୁର୍ଗା, ଶ୍ରୀଜଗନ୍ନାଥ ଆଦି ସ୍ବୟଂସହାୟକ ଗୋଷ୍ଠୀର ସଭ୍ୟା ସାମିଲ ଥିଲେ। ପ୍ରକାଶ ଯେ, ମହିଳାମାନେ ମଦ ଜବତ କରି ଅବକାରୀ ବିଭାଗ ଓ ଥାନାକୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ ଘଟଣାସ୍ଥଳରେ କେହି ପହଞ୍ଚି ନ ଥିଲେ। ଜିଲାରେ ଅବକାରୀ ବିଭାଗ ଚୋରାମଦ ବେପାରୀଙ୍କଠାରୁ ମାସିକିଆ ବଟି ନେଇ ଚୁପ୍‌ ହୋଇ ବସିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।