ଚାଷୀ ଆତ୍ମହତ୍ୟା ଘଟଣା:ଜିଲାପାଳଙ୍କୁ ଭେଟିଲା ଚାଷୀ ମୂଲିଆ ସଂଘ

ବାଲେଶ୍ୱର ଅଫିସ,୨୮।୭-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ସୁଶାନ୍ତ କୁମାର ବେହେରା ଗତ ୨୩ତାରିଖରେ ଋଣ ବୋଝ ସହି ନ ପାରି ଆତ୍ମହତ୍ୟା କରିଥିଲେ। ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଓ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ, ବାଲେଶ୍ୱର ଶାଖାର କର୍ମକର୍ତ୍ତାମାନେ ରବିବାର ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲିଖିତ ଦାବି ଜଣାଇଛନ୍ତି।
ସଂଘ ସଭାପତି ବିକାଶ କୁମାର ଦାସ, ଉପସଭାପତି ସୁଶାନ୍ତ କୁମାର ସାହୁ, ରମେଶ ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ଅଜିତ୍‌ କୁମାର ଦାସମହାପାତ୍ର, ସଦସ୍ୟ ଲଲାଟେନ୍ଦୁ ପଣ୍ଡା, ସୁଧାକର ରାଉତ, ମଙ୍ଗୁ ସିଂଙ୍କ ନେତୃତ୍ୱରେ ୭ଜଣିଆ ଦଳ ପଦ୍ମପୁର ଗ୍ରାମରେ ପହଞ୍ଚତ୍ ଚାଷୀ ଆମତ୍ହତ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ଗ୍ରାମବାସୀ ତଥା ପରିବାର ଲୋକଙ୍କଠାରୁ ସଂଗ୍ରହ କରିଥିଲେ। ମୃତ ଚାଷୀ ସୁଶାନ୍ତଙ୍କର ୨ ଏକର ଚାଷଜମି ଥିବାବେଳେ ୩ ଏକର ଭାଗଚାଷ କରିଆସୁଥିଲେ। ଏଥିପାଇଁ ସେବା ସମବାୟ ସମିତିରୁ ୫୦ହଜାର, ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨୫ହଜାର, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୬୦ହଜାର, ହାତ ଉଧାରି ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରିଥିବା ଜଣାପଡ଼ିଛି। ଦୁଇବର୍ଷ ଧରି ବର୍ଷା, ବନ୍ୟା ଓ କୁଆପଥର ମାଡ଼ରେ ଚାଷ ନଷ୍ଟ ହୋଇଥିବା ବେଳେ ଘରେ ରୋଗଣା ସ୍ତ୍ରୀ ଏବଂ ପୁଅ ପାଇଁ ସୁଶାନ୍ତ ମାନସିକ ଭାରସାମ୍ୟ ହରାଇ ଆମତ୍ହତ୍ୟା କରିଛନ୍ତି। ପରିବାରର ଅନ୍ୟ କେହି ଆର୍ଥିକ ଉପାର୍ଜନ ବ୍ୟକ୍ତି ନ ଥିବାରୁ ଦୁଇଝିଅଙ୍କ ପାଠପଢ଼ା ଖର୍ଚ୍ଚ ଯୋଗାଇ ଦେବାକୁ ଦାବି କରାଯାଇଥିବା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ବାଲେଶ୍ୱର ଶାଖା ସଭାପତି ବିକାଶ କୁମାର ଦାସ ପ୍ରକାଶ କରିଛନ୍ତି।