ଚାଷୀଙ୍କୁ ମିଳୁନି କୃଷି ଋଣ: ୧୪ ସେବା ସମିତିରେ ଅବ୍ୟବସ୍ଥା

ଖଇରା, ୨୧।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଖଇରା ଶାଖାରେ କର୍ମଚାରୀ ଅଭାବ ଯୋଗୁ ୧୪ ସେବା ସମବାୟ ସମିତିର ୨ଶହରୁ ଊର୍ଦ୍ଧ ଚାଷୀଙ୍କର ଋଣ ଫାଇଲ ଅଟକି ରହିଛି ା ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଋଣ ଚିନ୍ତା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ତୁରନ୍ତ ଅଧିକାରୀମାନେ ଋଣ ପ୍ରଦାନ ବ୍ୟବସ୍ଥା ଲାଗି ପଦକ୍ଷେପ ନ ନେଲେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ା
ଖଇରା ସମବାୟ ବ୍ୟାଙ୍କ ଶାଖା ଅଧୀନରେ ୧୪ଟି ସମିତି ମାଧ୍ୟମରେ ଅନ୍ୟୁନ ୨ଶହ ଚାଷୀ ୬ମାସ ତଳୁ ଋଣ ପାଇଁ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ। ଏଥିମଧ୍ୟରେ ଅନେକ ଚାଷୀଙ୍କ ବ୍ୟକ୍ତିଗତ ଫାଇଲ ରହିଥିବା ବେଳେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କର ଫାଇଲ ମଧ୍ୟ ରହିଛି ା ହେଲେ ଷ୍ଟାଫ ନ ଥିବା କାରଣ ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଫାଇଲ ପାସ୍‌ କରୁନାହାନ୍ତି। ଫଳରେ ଚାଷୀମାନେ ସାର ଟିକିଏ କିଣି ନ ପାରି ହନ୍ତସନ୍ତ ହେଉଛନ୍ତି। ଚାଷୀମାନେ ଉଭୟ ସମିତି ଓ ବ୍ୟାଙ୍କ ଶାଖାକୁ ବାରମ୍ବାର ଦୌଡି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଷୀଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଅନୁଦାନ ଦେଉଥିବା ନେଇ ଭାଷଣବାଜି ମାରୁଥିବା ବେଳେ ୬ମାସ ଧରି ଚାଷୀଙ୍କ ଦୁର୍ଦ୍ଦଶା କାହାରି ଆଖିକୁ ଦେଖା ନ ଯିବା ଦୁଃଖଦାୟକ ବୋଲି ଗଡପୋଖରୀ ଗ୍ରାମର ଚାଷୀ ବିଶ୍ୱନାଥ ମହାପାତ୍ର କହିଛନ୍ତି ା ବ୍ୟାଙ୍କରେ ସମସ୍ତ ଫାଇଲ ମାସ ମାସ ଧରି ପଡିରହିଛି ା ପରିଚାଳକଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କିଛି ପ୍ରତିକାର କରାଯାଉ ନ ଥିବା ନେଇ ବିଭିନ୍ନ ସମିତିର ସମ୍ପାଦକ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ଶାଖା ପରିଚାଳକ ସଞ୍ଜୟ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ବ୍ୟାଙ୍କରେ ଷ୍ଟାଫ କମ୍‌ ଥିବାରୁ ଫାଇଲ ପ୍ରୋସେସିଂ ହୋଇପାରୁନାହିଁ। ଏ ବିଷୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି। କର୍ମଚାରୀ ଆସିବା ପରେ ଏ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି। ସମବାୟ ବ୍ୟାଙ୍କର ଜିଲା ଅତିରିକ୍ତ ପରିଚାଳକ ଜଳଧର ପଣ୍ଡାଙ୍କୁ ଏ ଅସୁବିଧା ସମ୍ପର୍କରେ ଯୋଗାଯୋଗ କରିବାରେ ସେ ଶାଖା ପରିଚାଳକଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ା