ପୁରୀ,୧୮ା୩(ଅଜିତ୍ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ ମିଳୁଛି। ଚୂନରା ସେବକ ଶ୍ରୀମନ୍ଦିର ପତିତପାବନ ବାନା ପରିବର୍ତ୍ତନ ସମୟରେ ଏକ ଚିଲ ସେଠାରେ କିଛି ସମୟ ଉଡ଼ିବା ପରେ ଅକ୍ଷୟଦଣ୍ଡରେ ବସିଥିବା ଦେଖିବାକୁ ମିଳିଥିଲା। ତେବେ ପତିତପାବନ ବାନା ଉପରେ ଚିଲ ବସିବା ଶୁଭ କି ଅଶୁଭ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କେତେଜଣ ସେବାୟତ ଏହାକୁ ଅଶୁଭ ସଙ୍କେତ ବୋଲି କହିଛନ୍ତି। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଏହା ଏକ ସାଧାରଣ କଥା ବୋଲି ଅନେକ ବ୍ୟକ୍ତବିଶେଷ ମତ ଦେଇଛନ୍ତି। ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡ଼ିବା, ବସିବା, ମାନସିକ ବାନା ଛିଡ଼ିବା ଏବଂ ଶହ ଶହ ସଂଖ୍ୟାରେ ଚିଲ ଶ୍ରୀମନ୍ଦିର ଚାରିପଟେ ବୁଲିବା ନଜିର ରହିଛି।
Dharitri – Odisha’s No.1 Odia Daily

