Categories: ନୟାଗଡ଼

ଗୋରୁ ବ୍ୟବସାୟୀଙ୍କ ଠାରୁ ୮ ଲକ୍ଷ ଲୁଟ୍‌ ଘଟଣା : ମାଷ୍ଟରମାଇଣ୍ଡ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗିରଫ

ଗଣିଆ,୩୧।୫(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମଠାରେ ଗତ ମାର୍ଚ୍ଚ ୧ ତାରିଖରେ ଜଣେ ଗୋରୁ ବ୍ୟବସାୟୀଙ୍କଠାରୁ ବନ୍ଧୁୁକ ଦେଖାଇ ୮ ଲକ୍ଷ ଲୁଟ୍‌ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ କୁହାଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭରଙ୍କୁ ଗଣିଆ ପୋଲିସ ଗୁରୁବାର ଗିରଫ କରିଛି । ଗିରଫ ଡ୍ରାଇଭର ଜଣଙ୍କ ହେଲେ କଟକ ଜିଲା ପଦାମାଳ ଗ୍ରାମର ନାଗୁଣୀ ସେନ ଓରଫ୍‌ ଗୋପୀନାଥ (୩୫) । ଲୁଟ୍‌ ଘଟଣାରେ ସଂପୃକ୍ତ ଥିବା ଆଉ ୫ଜଣ ଲୁଟେରା ଫେରାର ଅଛନ୍ତି। ଗିରଫ ନାଗୁଣୀଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ।
ଥାନା ସୂତ୍ରରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୧ତାରିଖରେ କଟକ ଜିଲା କାନପୁର ଥାନା ଅନ୍ତର୍ଗତ ଚଷାବାରବାଟି ଗ୍ରାମର ଗୋରୁ ବ୍ୟବସାୟୀ ଦେବରାଜ ମଲ୍ଲିକ ଏକ ପିକ୍‌ଅପ୍‌ ଭ୍ୟାନ (ନଂ.ଓଡି ୦୨ସି ୦୮୨୧) ଯୋଗେ ଗୋରୁ କିଣିବା ପାଇଁ ଯାଉଥିଲେ । ଗଣିଆ ଥାନା ଜଗନ୍ନାଥପ୍ରସାଦ ଗ୍ରାମ ନିକଟରେ ୨ଟି ବାଇକରେ ୫ଜଣ ଲୁଟେରା ବନ୍ଧୁକ ଦେଖାଇ ଦେବରାଜଙ୍କଠାରୁ ୮ଲକ୍ଷ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ନେଇ ଦେବରାଜ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ନଂ ୮/୧୯ରେ ମାମଲା ରୁଜୁ କରିଥିଲା। ପରେ ନୟାଗଡ ଏସପି ଶଶିଭୂଷଣ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତିଙ୍କ ନେତୃତ୍ୱରେ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟପ୍ରକାଶ ପରିଡାଙ୍କ ସମେତ ୫ ଜଣିଆ ପୋଲିସ ଟିମ୍‌ ଗଠନ କରାଯାଇ ଲୁଟେରା ଦଳକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଘଟଣା ପରଠାରୁ ଫେରାର ଥିବା ନାଗୁଣୀଙ୍କୁ ପୋଲିସ ଗୁରୁବାର ପଦାମାଳରୁ ଗିରଫ କରିଥିଲା । ମାଷ୍ଟରମାଇଣ୍ଡ କୁହାଯାଉଥିବା ନାଗୁଣୀ ସେନଙ୍କ ପୂର୍ବ ଯୋଜନା ମୁତାବକ ଖୋର୍ଦ୍ଧା ଅଞ୍ଚଳର ସହଯୋଗୀ ୫ଜଣ ଲୁଟେରା ପିକ୍‌ଅପ୍‌ ଭ୍ୟାନର ପିଛା କରି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ଏହି ଲୁଟେରା ଦଳ ନୟାଗଡ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଲୁଟ୍‌ କରୁଥିବା ନାଗୁଣୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଫେରାର ଥିବା ଲୁଟେରାମାନଙ୍କୁ ଖୁବ୍‌ ଶୀଘ୍ର ଧରାଯିବ ବୋଲି ଗଣିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି।