Categories: ପୁରୀ

ଗାଁ ଗାଁ ବୁଲି ମାସ୍କ ବାଣ୍ଟିଲେ, ସଚେତନ କଲେ ସରପଞ୍ଚ

ପିପିଲି,୨୮ା୩(ସ୍ବ.ପ୍ର.)- କରୋନାକୁ ମୁକାବିଲା କରିବାକୁ ହେଲେ ସମସ୍ତେ ନିଜ ଘରେ ରହନ୍ତୁ। ଆବଶ୍ୟକତା ନ ଥିଲେ ପଦାକୁ ବାହାରନ୍ତୁ ନାହିଁ। ବର୍ତ୍ତମାନ କରୋନା ଭୂତାଣୁ ସଙ୍ଗିନ୍‌ ହେବାକୁ ଯାଉଥିବାବେଳେ ଆମେ ସତର୍କ ରହିବା ଉଚିତ। ଆମ ଅଞ୍ଚଳ ସୁରକ୍ଷିତ ରହିବା ପାଇଁ ଆମେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବା ଆବଶ୍ୟକ। ବାରମ୍ବାର ହାତକୁ ସାବୁନ କିମ୍ବା ସାନିଟାଇଜରରେ ଧୋଇବା ଆଦି ଜନସାଧାରଣଙ୍କୁ ହାତ ଯୋଡି ଅନୁରୋଧ କରି କହିବା ସହ ମାସ୍କ ବାଣ୍ଟି ସଚେତନ କରିଥିଲେ ପିପିଲି ବ୍ଲକ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ଅମୟ କୁମାର ପରିଡା। ପିପିଲି ବ୍ଲକର ୨୫ଟି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ନିର୍ଦ୍ଦେଶ ଆସିବା ପରେ ସରପଞ୍ଚ ଅମୟ ଗ୍ରାମରେ ସଚେତନତା କରିବାକୁ ବାହାରିପଡ଼ି ଥିଲେ। ମଙ୍ଗଳପୁର ପଞ୍ଚାୟତରେ ଥିବା ଦୋକାନ ବଜାରଗୁଡିକରେ ନିଜେ ରହି ସାମାଜିକ ଦୂରତ୍ୱ ପାଇଁ ଦୋକାନ ସମ୍ମୁଖରେ ଧଳା ଗାର ଟାଣି ଚିହ୍ନ ଦେଇଥିଲେ। ପ୍ରତି ଗ୍ରାମକୁ ଯାଇ ଲୋକ, ଦୋକାନୀମାନଙ୍କୁ ମାସ୍କ ବଣ୍ଟନ କରିବା ସହ ନିଜେ ସତର୍କ ରହିବାକୁ କହିଥିଲେ। ପଞ୍ଚାୟତ ତରଫରୁ କରୋନା ସନ୍ଦିଗ୍ଧ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହିଭଳି ତାଙ୍କର ଜନସେବା କାର୍ଯ୍ୟକଳାପକୁୁ ପିପିଲି ଅଞ୍ଚଳର ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି। ସରପଞ୍ଚଙ୍କ ସହ ୱାର୍ଡସଭ୍ୟ ଗଦାଧର ପରିଡା, ସ୍ବାସ୍ଥ୍ୟକର୍ମୀ ସ୍ବର୍ଣ୍ଣଲତା ରଥ, ଅଙ୍ଗନୱାଡି କର୍ମୀ ପ୍ରତିମା ପରିଡା, ପଞ୍ଚେଇ ବେହେରା ଏବଂ ଆଶାକର୍ମୀ ଲକ୍ଷ୍ମିପ୍ରିୟା ବାରିକ ପ୍ରମୁଖ ସହେଯାଗ କରିଥିଲେ।