Heart from a book page against a beautiful sunset.
ଭୁବନେଶ୍ୱର,୫-୨(ବ୍ୟୁରୋ):ପ୍ରେମ ବ୍ୟାପାରକୁ ନେଇ ଇନ୍ଫୋସିଟି ଥାନାଞ୍ଚଳରେ ଅପ୍ରୀତିକର ଘଟଣା ଘଟିଛି। ବିବାହ ପାଇଁ ଜିଦ୍ ଧରି ଜଣେ ମୁସଲିମ୍ ସମ୍ପ୍ରଦାୟ ଯୁବତୀ ହାତ କାଟି ଗୁରୁତର ହୋଇଛନ୍ତି। ଏପରିସ୍ଥଳେ ଯୁବତୀଙ୍କ ଗର୍ଭ ନଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣି ତାଙ୍କୁ ପ୍ରେମିକ ଜଣକ ଛାଡ଼ି ଚାଲିଯାଇଛନ୍ତି। ଘଟଣାକୁ ନେଇ ପ୍ରେମିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ତାଙ୍କୁ ବ୍ଲାକ୍ମେଲିଂ କରି ବିବାହ ପାଇଁ ଚାପ ପକାଉଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ଯୁବତୀ ଭିନ୍ନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଛି। ଗର୍ଭବତୀ ହୋଇଥିବାରୁ ଯୁବକ ତାଙ୍କୁ ଗର୍ଭନଷ୍ଟ ମେଡିସିନ ଖାଇବାକୁ ଦେଇଥିଲେ। ଏହାସତ୍ତ୍ୱେ ଗର୍ଭ ନଷ୍ଟ ହୋଇ ନ ଥିଲା। ଅଧିକ ଯନ୍ତ୍ରଣା ହେବାରୁ ଯୁବକ ତାଙ୍କୁ ହସ୍ପିଟାଲରେ ଛାଡ଼ି ପଳାଇଥିଲେ। ଡାକ୍ତର ଚିକିତ୍ସା କରିବା ସମୟରେ ଏସମ୍ପର୍କରେ ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଯୁବକଙ୍କ ଘର କୋରାପୁଟରେ ହୋଇଥିବାବେଳେ ଇନ୍ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରେ ରହି କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ନୟାପଲ୍ଲୀର ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କଥିଲା। ୬ମାସ ତଳେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିବାବେଳେ ଇତିମଧ୍ୟରେ ସେ ଗର୍ଭବତୀ ହୋଇଥିଲେ। ମଙ୍ଗଳବାର ସକାଳେ ଯୁବତୀ ପ୍ରେମିକଙ୍କ ରୁମ୍କୁ ଆସି ବିବାହ କରିବାକୁ ଜିଦ୍ ଧରିଥିଲେ। ନିରାଶ ହେବାରୁ ହାତ କାଟିଥିଲେ। ପୂର୍ବାହ୍ନରେ ଯୁବକ ଇନ୍ଫୋସିଟି ଥାନାକୁ ଯାଇ ତାଙ୍କୁ ଯୁବତୀ ବ୍ଲାକ୍ମେଲିଂ କରୁଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଯୁବତୀ ଆସି ତାଙ୍କୁ ବାହାରକୁ ଡାକି ନେଇଥିଲେ। ଉଭୟ ପୋଲିସକୁ କିଛ ନ ଜଣାଇ ଚାଲିଯାଇଥିଲେ। ପରେ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଗର୍ଭ ନଷ୍ଟ କରିବା ପାଇଁ ଯାଇଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଯୁବତୀ ଗର୍ଭବତୀ ଅଛନ୍ତି କି ଯୁବକଙ୍କୁ ଫସାଇବାକୁ ଏପରି ଅଭିଯୋଗ ଆଣିଛନ୍ତି ମେଡିକାଲ ପରୀକ୍ଷା ପରେ ଜଣାପଡିବ ବୋଲି ଥାନା ଅଧିକାରୀ ବିଶ୍ୱଜିତ୍ ମହାନ୍ତି କହିଛନ୍ତି।