13/06/2013 - BHUBANESWAR: Chief Minister Naveen Patnaik addressing mediapersons after returing from New Delhi, at Naveen Nivas in Bhubaneswar - Express Photo by Shamim Qureshy. [Orissa, Odisha, Politician, Naveen Patnaik]
ଭୁବନେଶ୍ୱର, ୯।୭ (ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନ ପାଇଥିବା ରାଜ୍ୟର ଗରିବ ବ୍ୟକ୍ତିମାନଙ୍କୁ ମାସିକ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର। ସଂସ୍କୃତି ବିଭାଗର ଏଭଳି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଏହି ସହାୟତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ବଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ କୁହାଯାଇଛି। ସୂଚନାଯୋଗ୍ୟ, କିଛିଦିନ ତଳେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଦୈତାରୀ ନାୟକଙ୍କ ବିଷୟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସହାୟତା ଲାଗି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାର ସମସ୍ତ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିତ୍ବଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା। ଜିଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୮୪ଜଣ ବ୍ୟକ୍ତି ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି। ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି, ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି। ଏଭଳି ଆର୍ଥିକ ଦୁରବସ୍ଥାସମ୍ପନ୍ନ ବ୍ୟକ୍ତିତ୍ବମାନଙ୍କର ଦୈନନ୍ଦିନ ଭରଣପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ଖୁବ୍ଶୀଘ୍ର ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ଏହାଦ୍ବାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି।