Faceless Computer Hacker
ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍ ନମ୍ବର ମଧ୍ୟ କେହି ଜାଣି ନାହାନ୍ତି। କିନ୍ତୁ ଅପଣାଛାଏଁ ଉଠୁଛି ଟଙ୍କା। ଗ୍ରାହକଙ୍କ ଅଜାଣତରେ ଏବେ ବାରମ୍ବାର ଏଭଳି ଟଙ୍କା ଉଠୁଥିବା ଘଟଣା ନଜରକୁ ଆସୁଛି । ତେବେ ଗ୍ରାହକ ଟଙ୍କା ଉଠାଉ ନ ଥିବା ବେଳେ କିଏ ଟଙ୍କା ଉଠାଉଛି ସେ ନେଇ ବ୍ୟାଙ୍କ କତ୍ତୃପକ୍ଷ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ଫଳରେ ଏଟିଏମ୍ରୁ ଏବେ ଭୁତ ଟଙ୍କା ଉଠାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବ୍ରହ୍ମପୁର ସହରରେ ଦିନକୁ ଦିନ ଏଭଳି ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ଧାରାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଅଞ୍ଚଳରେ ରହୁଥିବା ଜଣେ ଛାତ୍ର ବଳରାମ ଗୌଡ଼ଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଭୁତ ଉଠାଇ ନେଇଛି। ଯାହାକି ଏବେ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଦିନକୁ ଦିନ ସାଇବର ଅପରାଧ କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ଲୁଟେରା ମାନେ ଗ୍ରାହକଙ୍କ ଏଟିଏମ୍ କାର୍ଡ ଓ ପିନ ନମ୍ବର ଚୋରି କରି ତାଙ୍କ ଏକାଉଣ୍ଟାରୁ ଟଙ୍କା ଠକି ନେଉଥିବା ବେଳେ ଏବେ ସ୍କିମର ଓ ମୋବାଇଲକୁ ଏକ ଲିଙ୍କ ପଠାଇ ତାହାକୁ କ୍ଲିକ କରିବାକୁ କହି ଗ୍ରାହକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି । ଛତ୍ରପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବଳରାମ କମ୍ପିଟେଟଭ୍ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ରହ୍ମପୁର ଆସି ଆଙ୍କୁଲି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଗତ ୧ ତାରିଖରେ ତାଙ୍କ ମୋବାଇଲ କୁ ଏକ ଲିଙ୍କ ମେସେଜ ଆସିଥିଲା। ଯାହାକୁ ସେ କ୍ଲିକ କରିଥିଲେ । ବାସ କିଛି ସମୟ ମଧ୍ୟରେ ତାଙ୍କ ଏକାଉଣ୍ଟରୁ ଲଗାତାର ଭାବେ ୧୦ ହଜାର ଟଙ୍କା ଲେଖାଏଁ ୧୦ ଥର ଉଠାଣ ହୋଇଥିଲା । ସେ କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଛାତ୍ର ଜଣକ ଏନେଇ ଶନିବାର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ୨୫୭/୧୯ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛ ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଲୁଟେରା ମାନେ କ୍ଷଣିକ ମଧ୍ୟରେ ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ସବୁକିଛି ଗ୍ରାହକଙ୍କ ଅଜାଣତରେ ହେଉଛି। ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏଭଳି ଲଗାତାର ବ୍ୟବଧାନରେ ୧୨ରୁ ଊର୍ଦ୍ଧ୍ୱ ଘଟଣା ସାମ୍ନାକୁ ଆସିଲାଣି ।