Posted inଫୁରସତ

ଖୁସି ଦେଇ ଖୁସି ପାଉ

ସେମାନଙ୍କ ଅପେକ୍ଷା ଥାଏ ବଡ଼ଦିନକୁ। ସେଥିପାଇଁ ଥାଏ କେତେ ପ୍ରସ୍ତୁତି। ଖୁସି ମନାନ୍ତି, ଖୁସି ବାଣ୍ଟନ୍ତି। ତେବେ ଏ ଖୁସି ତାଙ୍କର ଅନ୍ୟକୁ ଖୁସି ଦେବାରେ। ସେଥିରେ ହିଁ ତାଙ୍କର ଆନନ୍ଦ। ସେଥିରେ ହିଁ ତାଙ୍କର ଆତ୍ମତୃପ୍ତି। ଆମେ ଏମିତି କିଛି ଯୁବଗୋଷ୍ଠୀଙ୍କ ସମ୍ପର୍କରେ କହୁଛୁ ଯେଉଁମାନେ ହୋଟେଲ ଯାଇ, ପିକ୍‌ନିକ୍‌ କରି ବଡଦିନକୁ ଉପଭୋଗ କରିବା ପରିବର୍ତ୍ତେ ଅସହାୟ, ଗରିବ ଆଉ ଛୋଟ ଛୋଟ ପିଲାଙ୍କୁ ଉପହାର ଦେଇ ତାଙ୍କରି ଖୁସିରେ ଖୁସି ହୁଅନ୍ତି। ଆଉ କେହି କେହି ସମାଜର ମଙ୍ଗଳ ପାଇଁ କିଛି ଜନହିତ କାର୍ଯ୍ୟ କରି ଆତ୍ମତୃପ୍ତି ପାଇଥାନ୍ତି। କେହି କେହି ନିଜସ୍ବ ଉଦ୍ୟମରେ ଏହି କାର୍ଯ୍ୟ କରୁଥିବା ବେଳେ ଆଉ କେହି ଗୋଷ୍ଠୀଗତ ଭାବେ ଏସବୁ କରିଥାନ୍ତି…

ମାଟି ମା’ ପାଇଁ କରିବୁ କାମ: ନୂଆଗଁା ଭୁବନେଶ୍ୱର-୨ର ଯୁବଗୋଷ୍ଠୀମାନଙ୍କ ମିଳିତ ଉଦ୍ୟମରେ ଗଠନ ହୋଇଛି ଆଞ୍ଚଳିକ ବିକାଶ ପରିଷଦ। ଏହି ପରିଷଦରେ ପାଞ୍ଚ ଛଅଟି ପଞ୍ଚାୟତରୁ ପ୍ରାୟ ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ଯେଉଁମାନେ ସ୍ବଇଚ୍ଛାରେ ବିନା ବେତନରେ କାମ କରିପାରିବେ। ସେହିମାନେ ହିଁ ଏହି ପରିଷଦର ସଦସ୍ୟ ରହିପାରିବେ। ଏହି ପରିଷଦର ସଭାପତି ବୃନ୍ଦାବନ ସାହୁ ଥିବାବେଳେ ଉପସଭାପତି ଅଛନ୍ତି ଅକ୍ଷୟ ସ୍ବାଇଁ । ଅଞ୍ଚଳର ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ବୃକ୍ଷରୋପଣ, ପଲିଥିନ ବର୍ଜନ, ଟ୍ରାଫିକ ସଚେତନତା ଆଦି କାର୍ଯ୍ୟକ୍ରମ ଏହାର ସଭ୍ୟମାନେ କରିଥାନ୍ତି। ଦଳଗତ ନିର୍ବିଶେଷରେ ଯେ କୌଣସି ବୟସର ଲୋକ ଏହାର ସଦସ୍ୟ ହୋଇପାରିବେ। ପ୍ରତ୍ୟେକ ରବିବାର ପରିଷଦର ସଦସ୍ୟମାନେ ସଫେଇ କାର୍ଯ୍ୟକ୍ରମ କରିଥାନ୍ତି। ସଫେଇ ନ ଥିଲେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ। ଯାହାକିଛି କାର୍ଯ୍ୟକ୍ରମ ହୁଏ ସଭ୍ୟମାନଙ୍କଠାରୁ ଆଦାୟ ଟଙ୍କାରେ ହିଁ ହୁଏ। ଗତବର୍ଷ ସଭ୍ୟଙ୍କ ଚାନ୍ଦାରେ ଇଟିପୁର, ଡିହପୁର, ଟିକରପଡ଼ା, ବସନ୍ତପୁର, ପଳାଶପୁର, ଗଙ୍ଗେଶ୍ୱରପୁର ଆଦି ଗ୍ରାମର ଅସହାୟ ବୃଦ୍ଧାବୃଦ୍ଧମାନଙ୍କୁ ୭୦୦ରୁ ଊର୍ଦ୍ଧ୍ୱ କମ୍ବଳ ବଣ୍ଟାଯାଇଥିଲା। ଚଳିତ ବର୍ଷ ପାଇଁ ସଭ୍ୟମାନେ ଯୋଜନା କରିଛନ୍ତି ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଇଟିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆଉଟଡୋରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ମ୍ୟୁନିସିପାଲିଟି ରୋଡ଼ ପାର୍ଶ୍ୱରେ ରହିଥିବା ବିଭିନ୍ନ କଲୋନୀ ରାସ୍ତାଗୁଡିକରେ ସଫେଇ କାର୍ଯ୍ୟକ୍ରମ କରିବେ। ଏହି ପରିଷଦର ମୂଳ ଲକ୍ଷ୍ୟ ହେଉଛି ମାଟି ମା’ ପାଇଁ କାମ କରିବା । ସେଥିପାଇଁ ସେମାନେ ସ୍ବଇଚ୍ଛାରେ ଶ୍ରମ ଦେଇ ଆବଶ୍ୟକ ବେଳେ ଅର୍ଥ ଦେଇ ଏହି ପ୍ରକାର କାମକରି ଆନନ୍ଦ ପାଇଥାନ୍ତି।

ପ୍ରକୃତିର ସୁରକ୍ଷା ପାଇଁ ସଂକଳ୍ପ : ଏକଦା ଗଞ୍ଜାମ ଜିଲା ସବୁଜ ବନାନୀରେ ଭରପୂର ଥିଲା। ଆଉ ଜଙ୍ଗଲରେ ବହୁ ସଂଖ୍ୟାରେ ବନ୍ୟ ପଶୁପକ୍ଷୀ ଦେଖିବାକୁ ମିଳୁଥିଲେ। ହେଲେ ବିଭିନ୍ନ କାରଣରୁ ଏସବୁ ଦ୍ରୁତ ଗତିରେ କ୍ଷୟ ହେବାରେ ଲାଗିଲା। ଯାହାର ସୁରକ୍ଷା କରିବାକୁ ଅଣ୍ଟା ଭିଡିଲେ ବ୍ରହ୍ମପୁର ସହର କୁକୁଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର କିଛି ଯୁବ ସ୍ବେଚ୍ଛାସେବୀ। ୨୦୧୧ ମସିହାରେ ସେମାନଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହେଲା ଆଞ୍ଚଳିକ ବିକାଶ ପରିଷଦ। ସେବେଠୁ ସେମାନେ ପଶୁପକ୍ଷୀଙ୍କ ସୁରକ୍ଷାଠୁ ଆରମ୍ଭ କରି ପରିମଳ, ବୃକ୍ଷ ରୋପଣ, ସମାଜରୁ କୁସଂସ୍କାର ଦୂର, ରକ୍ତଦାନ ଶିବିର ଆୟୋଜନ, ଅସହାୟଙ୍କ ସେବା ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି। ବିରଳପ୍ରାୟ ପକ୍ଷୀ ଘରଚଟିଆର ସୁରକ୍ଷା ସହ ସେମାନଙ୍କ ସଂଖ୍ୟା ବୃଦ୍ଧି ଲାଗି ସଦସ୍ୟମାନେ ଚାନ୍ଦା ଆଦାୟ କରି ବ୍ରହ୍ମପୁରର ୨୨ ଟି ବ୍ଲକ୍‌ ସମେତ ମହାନଗରକୁ ମିଶାଇ ପ୍ରାୟ ୩୦ଟି ସ୍ଥାନରେ ମାଟି, ଲାଉ, ପ୍ଲାଏଉଡ୍‌, ନଡ଼ିଆରେ ପ୍ରାୟ ୨୦୦ଟି କୃତ୍ରିମ ବସା ଏବଂ ୫୦ଟି ଖାଦ୍ୟ ବାକ୍ସ ତିଆରି କରି ପ୍ରତ୍ୟେକଙ୍କ ଘର ଆଗରେ ଖଞ୍ଜିଛନ୍ତି। ସଭାପତି ସାଗର କୁମାର ପାତ୍ର କୁହନ୍ତି, ଆସନ୍ତା ନୂଆବର୍ଷରେ ଘରଚଟିଆ ସୁରକ୍ଷା ଅଭିଯାନ ଅନ୍ୟ ଜିଲ୍ଲାକୁ ବି ବ୍ୟାପକ କରାଯିବାର ଯୋଜନା ରଖିଛୁ। ଏମିତିରେ ତ ଆମ ପରିଷଦ ପକ୍ଷରୁ ସାରା ବର୍ଷ ବିଭିନ୍ନ ସମାଜଧର୍ମୀ କାର୍ଯ୍ୟ ଚାଲିଥାଏ, ତେବେ ବଡଦିନ ବା ଖ୍ରୀଷ୍ଟମାସରେ ଆମେ ଏହି କାର୍ଯ୍ୟ ନିଶ୍ଚୟ କରିଥାଉ। ଚଳିତ ବର୍ଷ ପ୍ରକୃତିର ସୁରକ୍ଷା ଲାଗି ବଡଦିନ ହେଉ ଅବା ନୂଆବର୍ଷକୁ ବିଷାକ୍ତ ବାଣ ନ ଫୁଟାଇ ପାଳନ କରିବା ସହ ବୃକ୍ଷ କାଟିବା ପରିବର୍ତ୍ତେ ରୋପଣ କରିବା ଆଦି ବିଷୟରେ ସଚେତନତା କାର୍ଯ୍ୟକ୍ରମ କରିବୁ। ଗଞ୍ଜାମ ଜିଲାରେ ହାତୀ, ଭାଲୁ, କୃଷ୍ଣସାର ମୃଗ, ଅଲିଭ ରିଡ୍‌ଲେ କଇଁଛ, ମୟୂର, ବାଦୁଡି ଏବଂ ଅନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ବିଶେଷ କାର୍ଯ୍ୟକ୍ରମ ହାତକୁ ନେବୁ।

ଅନାଥ ଆଶ୍ରମରେ ପାଳୁ ବଡ଼ଦିନ: ମାତ୍ର କେତେଜଣ ସଦସ୍ୟଙ୍କୁ ନେଇ ଯାଜପୁର ବ୍ୟାସନଗର ପୌର ପରିଷଦ ତଥା ଯାଜପୁର ରୋଡ୍‌ରେ ଆରମ୍ଭ ହୋଇଥିଲା କ୍ଲବ ଦି ୟୁଥ ମାସ୍‌। କୌଣସି ସରକାରୀ ପ୍ରୋତ୍ସାହନ ଉପରେ ନିର୍ଭର କରୁ ନ ଥିବା ଏହି କ୍ଲବର ସଦସ୍ୟମାନେ ନିଜର ବହୁମୂଲ୍ୟ ସମୟ ବାହାର କରି ଏମାନେ ବାଳ ଶ୍ରମିକ ଉଦ୍ଧାର, ନିରାଶ୍ରୟମାନଙ୍କୁ ସାହାଯ୍ୟ କରିବାଠାରୁ ଆରମ୍ଭ କରି ପରିବାର ନ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସକତ୍ାର, କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଆଖପାଖ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଥାନ୍ତି। ଟ୍ରାଫିକ୍‌ ନିୟନ୍ତ୍ରଣ, ମ୍ୟାଲେରିଆ ନିରାକରଣ ଭଳି ବହୁ କାର୍ଯ୍ୟକ୍ରମ ସହ ଜନସଚେତନତା କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି। କ୍ଲବର ସମ୍ପାଦକ ରାଜେଶ କୁମାର ରାଉତ କୁହନ୍ତି, ଆମ କ୍ଲବ୍‌ ପକ୍ଷରୁ ବିଭିନ୍ନ ପ୍ରକାର ସମାଜଧର୍ମୀ କାର୍ଯ୍ୟକ୍ରମ କରାଯାଉଥିଲେ ହେଁ ଖ୍ରୀଷ୍ଟମାସ ବା ବଡଦିନରେ ହେଉଥିବା କାର୍ଯ୍ୟକ୍ରମ ସବୁଠୁ ନିଆରା। ଏହିଦିନ ଆମେ ବିଭିନ୍ନ ବସ୍ତି କିମ୍ବା ଅନାଥ ଆଶ୍ରମକୁ ଯାଇ କେକ୍‌ କାଟିବା ସହ ଖାଦ୍ୟ, କମ୍ବଳ, ସ୍ବେଟର, ଜୋତା, ବହି, ଖାତା, କଲମ ଇତ୍ୟାଦି ବଣ୍ଟନ କରିଥାଉ। ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ପୁରସ୍କୃତ ମଧ୍ୟ କରିଥାଉ। ଅନ୍ୟମାନଙ୍କ ଭଳି ସେମାନଙ୍କୁ ମଧ୍ୟ ଏଭଳି ବିଶେଷ ଅବସରଗୁଡିକର ଭରପୂର ଆନନ୍ଦ ଯୋଗାଇଦେବାକୁ ଚେଷ୍ଟା କରୁ। ଆଉ ଯେତେବେଳେ ସେମାନଙ୍କ ମୁହଁରେ ହସ ଫୁଟିଉଠେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ଭାଷାରେ ପରିପ୍ରକାଶ କରିବା କଷ୍ଟ।

ସବୁଜ ବାହିନୀ: ବ୍ରହ୍ମପୁର ସହରର ଶିବରାମ ପାଣିଗ୍ରାହୀ, ରବିନ କୁମାର ସାହୁ, ସନିଆ ଗୌଡ଼, ଶିବରାମ ବେହେରା, ପ୍ରଶାନ୍ତ ଭୂୟାଁ, ଏ. ପ୍ରକାଶ କୁମାର ଏବଂ ଏମ୍‌. ଦିଲୀପ କୁମାର ପ୍ରମୁଖ କିଛି ଯୁବବନ୍ଧୁଙ୍କର ପ୍ରତିଦିନ ଦେଖା ହୋଇଥାଏ ଏକ ଚା ଖଟିରେ। ଆଉ ବିଭିନ୍ନ ବିଷୟକୁ ନେଇ ଆଲୋଚନା ସମାଲୋଚନା ଚାଲେ। ଥରେ ବୃକ୍ଷ କ୍ଷୟ ଯୋଗୁ ହେଉଥିବା ପରିବେଶ ପ୍ରଦୂଷଣ ଏବଂ ଏହାର ଜୀବ ସମାଜ ଉପରେ ନକାରାତ୍ମକ ପ୍ରଭାବ ସେମାନଙ୍କ ମନରେ ଆଣି ଦେଇଥିଲା ସବୁଜ ସମାଜ ସୃଷ୍ଟି କରିବାର ପ୍ରତିବଦ୍ଧତା ।
ଆଉ ସେମାନଙ୍କ ମିଳିତ ଉଦ୍ୟମରେ ୨୦୧୬ ଅକ୍ଟୋବର ୨ ତାରିଖ ବା ଗାନ୍ଧୀ ଜୟନ୍ତୀରେ ଜନ୍ମନେଲା ‘ସବୁଜ ବାହିନୀ’ । ସେବେଠୁ ଏହି ଯୁବ ସଂଗଠନ ବୃକ୍ଷରୋପଣ, ପରିବେଶ ସୁରକ୍ଷା, ରକ୍ତଦାନ, ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା, ପଲିଥିନ୍‌ ମୁକ୍ତ ପରିବେଶ ସୃଷ୍ଟି ଭଳି ମହତ୍‌ କାର୍ଯ୍ୟ ପାଇଁ ସୁଦୂରପ୍ରସାରି ପରିଚୟ ହାସଲ କରିପାରିଛି । କ୍ଲବ୍‌ ସମ୍ପାଦକ ଏମ୍‌. ଦିଲୀପ କୁମାରଙ୍କ କହିବାନୁଯାୟୀ, ଆମେ ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ କରିବା ସହ ଏନେଇ ଜନସଚେତନତା କାର୍ଯ୍ୟ କରି ଆସୁଛୁ। ତଥାପି ଗଛ କଟା ବନ୍ଦ ନ ହେବା ଆମକୁ ବହୁ କଷ୍ଟ ଦେଉଛି। ଏଥିପାଇଁ ହେଉଥିବା ପରିବେଶ ପ୍ରଦୂଷଣ ଅନେକ ରୋଗର କାରଣ ସାଜୁଛି। ଲୋକେ ପ୍ରଦୂଷଣ ଯୋଗୁ ଆବଶ୍ୟକ ମାତ୍ରାରେ ଅମ୍ଳଜାନ ପାଇ ପାରୁନାହାନ୍ତି। ତେବେ ଏହି ସମସ୍ୟା ଦୂର କରିବା ଲାଗି ଇନ୍‌ଡୋର ଗାର୍ଡେନିଂ ବେଶ୍‌ ଉପକାରୀ। ଆସନ୍ତା ଖ୍ରୀଷ୍ଟମାସ ଓ ନବବର୍ଷରେ ଆମେ ଏ ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ରଖିଛୁ।

ସେବାରେ ପାଆନ୍ତି ଆନନ୍ଦ: ଜଟଣୀ ବାଲିଛକ ସାହିର ବାସିନ୍ଦା ଏସ୍‌. ଜନ୍‌ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ସ୍କୁଲରେ ସେ ଶିକ୍ଷକତା କରନ୍ତି ା ଶିକ୍ଷାଦାନ ସହିତ ସାମାଜିକ କାର୍ଯ୍ୟ ମଧ୍ୟ କରନ୍ତି । ଏହି ଦୁଇ କାର୍ଯ୍ୟକୁ ସେ ବ୍ରତ ଭାବେ ଗ୍ରହଣ କରିଛନ୍ତି ା ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଏକ୍ସମାସ୍‌ରେ ଆର୍ଥତ୍କ ଅନଗ୍ରସର ଲୋକଙ୍କୁ କମ୍ବଳ ବଣ୍ଟନ କରନ୍ତି । ଏଥିସହିତ ଗରିବ ବିଦ୍ୟାର୍ଥୀଙ୍କୁ ଖାତା, ପେନ୍‌ସିଲ, ରବର, ବ୍ୟାଗ ଆଦି ପାଠ୍ୟ ଉପକରଣ ମଧ୍ୟ ଦେଇଥାନ୍ତି । ଏକ୍ସମାସ୍‌ ବ୍ୟତୀତ ଅନ୍ୟଦିନରେ ଦୃଷ୍ଟିହୀନ, ସ୍ବାମୀ ନ ଥିବା ନିରାଶ୍ରୟା ମହିଳା ଓ ରୋଗୀ ଆଦିଙ୍କୁ ଅଟା, ସୁଜି, ଚୂଡ଼ା ଆଦି ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥାନ୍ତି । ବର୍ଷାଦିନେ ଛତା ମଧ୍ୟ ବାଣ୍ଟିଥାନ୍ତି। ମଦର ଟେରେସାଙ୍କ ସେବାମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୨୦ ବର୍ଷ ହେବ ସେ ଏହି କାର୍ଯ୍ୟ କରିଆସୁଛନ୍ତି । ଏଥିପାଇଁ ସେ ପାଉଥିବା ବେତନରୁ ହିଁ ସେ ସମସ୍ତ ଖର୍ଚ୍ଚ କରିଥାନ୍ତି। ତାଙ୍କର ଏହି କାର୍ଯ୍ୟ ଦେଖି କେତେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢାଇଛନ୍ତି ବୋଲି ସେ କୁହନ୍ତି।

ଆମ ବଡ଼ଦିନ ସଂକଳ୍ପ: ଗୋବର୍ଦ୍ଧନ ପ୍ରଧାନ। ଘର ନୂଆଗଁା, ଘଡିଆମାଳ ଗ୍ରାମପଞ୍ଚାୟତ ରାଜନଗର ବ୍ଲକରେ ବାପା ଗଣେଶ୍ୱର ପ୍ରଧାନ ଓ ମା’ କୁସୁମ ଲତା ପ୍ରଧାନ। ଏକାନ୍ନବର୍ତ୍ତୀ ପରିବାରରେ ମା’ ବାପା ତିନି ଭାଇ, ତାଙ୍କ ପିଲାମାନଙ୍କ ସହିତ ପନତ୍ୀ ଓ ପୁଅକୁ ନେଇ ତାଙ୍କ ସଂସାର। ଗୋବର୍ଦ୍ଧନ ରେଭେନ୍‌ଶା କଲେଜରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ କରିବା ପରେ ଏକ ସ୍ବେଚ୍ଛାସେବୀ ସଂଗଠନରେ କାମ କଲେ। ସେଠାରେ ପ୍ରାୟ ୧୦ ବର୍ଷ କାମ କରିବା ପରେ ୨୦୧୦ ମସିହାରେ ଓ୍ବାର୍ଲଡ ବ୍ୟାଙ୍କ ପ୍ରୋଜେକ୍ଟ କାପାସିଟି ବିଲ୍‌ଡିଂ କନ୍‌ସଲଟାଣ୍ଟରେ ୨୦୧୭ ପର୍ଯ୍ୟନ୍ତ କାମ କରିବା ପରେ କିଛି ଦିନ ଜାଭିୟର ସ୍କୁଲରେ ପ୍ରିନ୍ସିପାଲ ବି ରହିଥିଲେ। ଏବେ ସେ ସବୁ ଛାଡି ‘ଶାନ ଓ୍ବେଟଲ୍ୟାଣ୍ଡ’ ନାମରେ ଏକ ସ୍ବେଚ୍ଛାସେବୀ ସଂଗଠନ କରିଛନ୍ତି ା ତାଙ୍କ ସହିତ ପ୍ରୋଗ୍ରାମ ମ୍ୟାନେଜର ଦେବେନ୍ଦ୍ର ରାଉଳ ଓ ଗଁାର ଦଶପନ୍ଦର ଜଣ ସ୍ବେଚ୍ଛାସେବୀ ଯୁବକ ବି କାମ କରୁଛନ୍ତି। ଗୋବର୍ଦ୍ଧନ କୁହନ୍ତି, ‘ଆମେ ଜୈବିକ ପଦ୍ଧତିରେ ପନିପରିବା ଚାଷ କରିବା ସହିତ ଲୋକମାନଙ୍କୁ ମାଗଣାରେ ଟ୍ରେନିଂ ଦେଉଛୁ। ଗରିବ ପିଲାଙ୍କୁ ମାଗଣାରେ ଗୁଣାତ୍ମକ ଇଂଲିଶ ଶିକ୍ଷା ଦେଇଥିଲୁ। ନଦୀପଠାରେ ବୃକ୍ଷରୋପଣ କରିବା ସହିତ ଆଉ ‘ମନେପଡ଼େ ପିଲାଦିନ’ ନାମରେ ଏକ ପ୍ରୋଗ୍ରାମ କରିଛୁ। ଯେଉଁଥିରେ ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିବା ସହ ପୁରସ୍କୃତ କରୁଛୁ। ଏହା ସହିତ ବଡଦିନରେ ଆମେ ବୃଦ୍ଧାଶ୍ରମକୁ ଯାଇ ଆମ ସାଧ୍ୟମତେ ଲୁଗାପଟା ଆଦି ଦେଇଥାଉ। ସମସ୍ତେ ମିଶି ଗାଁ ପୋଖରୀ, ମନ୍ଦିର ଓ ରାସ୍ତାଘାଟ ଆଦି ସଫା କରିଥାଉ। ଏଥର ଆମେ ଘର ପୋଡିଯାଇଥିବା ଏକ ପରିବାରକୁ ସାହାଯ୍ୟ କରିବା ପାଇଁ ସମସ୍ତେ ମିଶି ପ୍ରାୟ ୨୦ ହଜାର ଟଙ୍କା ଯୋଗାଡ କରିଛୁ। ଏମିତି ପ୍ରତିବର୍ଷ ବଡ଼ଦିନରେ ଆମେ ବିଭିନ୍ନ ଲୋକହିତକର କାର୍ଯ୍ୟ କରିଥାଉ। ଏହାଛଡା ଏବର୍ଷ ଆମେ କିଛି ଆମ୍ବଗଛ ଓ ନଡ଼ିଆ ଗଛ ଲଗାଇବାର ଯୋଜନା ବି ରଖିଛୁ। ଆମର ଲକ୍ଷ୍ୟ ଭୋଜିଭାତ ନ କରି ପ୍ରତିବର୍ଷ ଏଭଳି ବଡ଼ଦିନ ପାଳନ କରିବୁ।’

ଉପହାର ସହ ସଚେତନତା ସୃଷ୍ଟି କରାଯାଏ:ବଡଦିନକୁ କିଏ ନାଚି, ଗାଇ ବା ଭୋଜି ଭାତ, ପିକ୍‌ନିକ୍‌ କରି ମନାଉଥିବା ବେଳେ ସାମାଜିକ କର୍ମୀ ସୁଶାନ୍ତ କୁମାର ସାହୁ, ଗୋପୀ ମୋହନ ପଟ୍ଟନାୟକ, ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା ଆଦି ଏକ ଭିନ୍ନ ଢଙ୍ଗରେ ପାଳିଥାନ୍ତି। ଏମାନେ ୨୦୧୬ ମସିହାଠାରୁ ଚନ୍ଦକା ଡମପଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ଥିବା ଆଦିବାସୀ ପଡାକୁ ଯାଇ ସେଠାରେ ଥିବା ଛାତ୍ରୀଛାତ୍ର ଓ ଛୋଟପିଲାମାନଙ୍କୁ ବିଭିନ୍ନ ପ୍ରକାର ଉପହାର ବାଣ୍ଟିଥାନ୍ତି। ସାନ୍ତାକ୍ଲଜ ପୋଷାକ ସିନା ଏମାନେ ପିନ୍ଧି ନ ଥାନ୍ତି କିନ୍ତୁ ପିଲାଙ୍କ ପାଇଁ ଏମାନେ ସାନ୍ତାଠାରୁ କମ ନୁହନ୍ତି। ପ୍ରତିବର୍ଷ ପିଲାମାନେ ଅପେକ୍ଷା କରି ରହିଥାନ୍ତି। କାରଣ ଏହିମାନଙ୍କ ନେତୃତ୍ୱରେ ବିଭିନ୍ନ ବର୍ଗର ଲୋକମାନେ ଯାଇ ପିଲାମାନଙ୍କୁ ଉପହାର ଦେଇଥାନ୍ତି। କେବଳ ଉପହାର ନୁହେଁ ବେଳେବେଳେ ସଚେତନତା କାର୍ଯ୍ୟକ୍ରମ ବି କରିଥାନ୍ତି। ସେମିତି ଥରେ ଡାକ୍ତର ସୁଶ୍ରୀ ସସ୍ମିତା ବେହେରା କନ୍ଦଲେଇ ସ୍କୁଲକୁ ଯାଇ ପିଲାମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କୁ ସ୍କୁଲ ଜୋତା ଉପହାରରେ ଦେଇଥିଲେ। ଜୋତା ପିନ୍ଧିଲେ ଶରୀର କିପରି ସୁସ୍ଥ ରହିଥାଏ ସେ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ। ଏଥର କିନ୍ତୁ ବଡଦିନରେ ଉପହାର ଦେବା ସହିତ ଗଛ ଲଗାଇବାର ଯୋଜନା ରହିଛି। ସେଥିପାଇଁ

ସ୍ଲୋଗାନ ରହିଛି- ”ସାନ୍ତାକ୍ଲଜର ନିଅ ଏ ଭେଟି…
ଲଗାଅ ଗଛ ହସୁ ଏ ମାଟି“
ଉପହାର ଦେବା ପରେ ଗଛ ଲଗାଇ ପରିବେଶ ସଚେତନତା ସମ୍ପର୍କରେ କାର୍ଯ୍ୟ କରିବାର ଯୋଜନା ରହିଛି ବୋଲି କୁହନ୍ତି ସୁଶାନ୍ତ କୁମାର ସାହୁ।

ବଡଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। ସମସ୍ତେ ଚାହାନ୍ତି ଏହି ଦିନଟିକୁ ଖୁସିରେ କାଟିବା ପାଇଁ। କିନ୍ତୁ ସମସ୍ତଙ୍କ ପାଖରେ ସେତିକି ସମ୍ବଳ ନ ଥାଏ। ହେଲେ ଆମ ଭିତରେ ଅଛନ୍ତି ଏମିତି କିଛି ଯୁବଗୋଷ୍ଠୀ ଯେଉଁମାନେ ସେହି ନିରାଶ୍ରୟମାନଙ୍କ ବିଷୟରେ ଭାବିଥାନ୍ତି ଆଉ ତାଙ୍କରି ଖୁସିରେ ନିଜର ଖୁସି ଖୋଜିଥାନ୍ତି।
-ରୋଜାଲିନ ମହାନ୍ତି, ପୌର୍ଣ୍ଣମାସୀ
ତଥ୍ୟ- ଶ୍ରୀକାନ୍ତ ପରିଜା, ସୁବାସ ପ୍ରଧାନ, ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri