ଭୁବନେଶ୍ୱର,୧୯।୨ (ରବିନାରାୟଣ ଜେନା): ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ଭାଜପା ସଦସ୍ୟ ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଡାକିଥିଲେ। ଏହି ସମୟରେ ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେଡି ଓ କଂଗ୍ରେସ ହାତରେ ବ୍ୟାନର, ପୋଷ୍ଟର ଧରି ଗୃହର ମଧ୍ୟଭାଗକୁ ପ୍ରବେଶ କରିଥିଲେ। ବିଜେଡି ସଦସ୍ୟମାନେ ବିଧାନସଭା ସଚିବଙ୍କ ଟେବୁଲ ଉପରେ ଧାନ ଥୋଇ ତୀବ୍ର ପ୍ରତିବାଦ ଜଣାଇଥିଲେ। ମା’ କାନ୍ଦୁଛି, ଚାଷୀ କାନ୍ଦୁଛି, ମୋହନ ସରକାର ଛି ଛି ଏବଂ ଡବଲ ଇଞ୍ଜିନ ସରକାରରେ ଡବଲ କଟ୍ନି ଛଟ୍ନି ଭଳି ବିଭିନ୍ନ ବ୍ୟାନର ଧରିବା ସହ ନାରାବାଜି କରିଥିଲେ। କଂଗ୍ରେସ ସଭ୍ୟମାନେ ମଧ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଶୂନ୍ୟକାଳରେ ଭାଜପା ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଏବଂ ଆଶ୍ରିତ ପଟ୍ଟନାୟକଙ୍କୁ ବାଚସ୍ପତି ଡାକିଥିଲେ, ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳର ରାସ୍ତା ଓ ବିଦ୍ୟୁତ୍ ସମସ୍ୟା ପ୍ରସଙ୍ଗରେ କହିଥିଲେ ହେଁଁ ହଟ୍ଟଗୋଳ ମଧ୍ୟରେ ତାହା ବୁଝାପଡୁ ନ ଥିଲା। ଫଳରେ ପ୍ରଥମାର୍ଦ୍ଧରେ ଦୁଇଟି ପର୍ଯ୍ୟାୟରେ ମାତ୍ର ୫ ମିନିଟ୍ ଗୃହ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ସେହିପରି ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁନର୍ବାର ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସମାନ ଢଙ୍ଗରେ ପ୍ରତିବାଦ ଜାରି ରଖିଥିଲେ। ନିଜ ନିଜ ଆସନକୁ ଫେରିଯିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ହେଁ ସଦସ୍ୟମାନେ ଶୁଣି ନ ଥିଲେ। ଗୃହରେ ଏଭଳି ଅସ୍ବାଭାବିକ ସ୍ଥିତିକୁ ନେଇ ବାଚସ୍ପତି ଅପରାହ୍ନ ୪ଟା ୦୨ ମିନିଟ୍ରୁ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍ ଯାଏ ମୁଲତବୀ ଘୋଷଣା କରିଥିଲେ।
ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ରାଜ୍ୟ ସରକାରଙ୍କ କଥା ଅଧିକ କାମ କମ୍। ରାଜ୍ୟରେ ଚାଷୀମାନେ ଦୁର୍ଦ୍ଦିନ ଭିତରେ ଗତି କରୁଛନ୍ତି। ସରକାର କହିଲେ, ଚାଷୀଙ୍କ ସବୁ ଧାନ କିଣାଯିବ। ହେଲେ ଖାଦ୍ୟଯୋଗାଣ ମନ୍ତ୍ରୀ ଜଣେ ଚାଷୀଙ୍କଠାରୁ ଅତିବେଶିରେ ୧୫୦ କୁଇଣ୍ଟାଲ ଧାନ କିଣିବା ନେଇ ଫତୁଆ ଜାରିକଲେ। ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କ ଅଭିଭାଷଣରେ କିଛି ରହିଲା ନାହିଁ। ସରକାର ଓ ମନ୍ତ୍ରୀଙ୍କ କଥାରେ ତାଳମେଳ ନାହିଁ। କହୁଛନ୍ତି ଗୋଟାଏ କରୁଛନ୍ତି ଆଉ ଗୋଟାଏ। କୃଷିମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କାଡାମ ଦାବି କରିଛନ୍ତି।
ବିଜେଡି ସଦସ୍ୟ ସାରଦା ଜେନା ସରକାରଙ୍କ ଚାଷୀ ମାରଣନୀତିକୁ ନେଇ ତୀବ୍ର ନିନ୍ଦା କରିଛନ୍ତି। ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ମିଛ କୁହାଇଛନ୍ତି। ଚଳିତବର୍ଷ ସରକାର ଚାଷୀଙ୍କଠାରୁ ଧାନ କିଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଚାଷୀମାନେ ଏବେ କାନ୍ଦୁଛନ୍ତି। ନୈତିକତା ଦୃଷ୍ଟିରୁ ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଶାସକ ଦଳ ପକ୍ଷରୁ ସଦସ୍ୟ ବାବୁ ସିଂ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମଙ୍ଗଳବାର ବନ୍ଦ ପରେ ବୁଧବାର ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏ ଚାଲିବା କଥା। ଏହି ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ହେଲେ ବିରୋଧୀମାନେ ଗୃହକୁ ଚଳାଇବାରେ ସହଯୋଗ କରୁନାହାନ୍ତି। ବିରୋଧୀମାନେ ରାଜ୍ୟର ବିକାଶ ଚାହୁଁନାହାନ୍ତି। ଯଦି ସଦସ୍ୟମାନେ ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ କିଛି କହିବାର ଥିଲା, ତାହା କହିପାରିଥାନ୍ତେ। ହେଲେ ରାଜ୍ୟ ସରକାରଙ୍କ ବିକାଶକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି। ରାଜ୍ୟ ବିକାଶରେ ବିରୋଧୀ ବାଧକ ସାଜିଛନ୍ତି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

