କେବଳ ପ୍ରଚାରରେ ସଫଳତା

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାର ୨୦୧୬ ମେ ୧ ତାରିଖରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁଓ୍ବାଇ)ର ଶୁଭାରମ୍ଭ କରିଥିଲେ। ଏହା ପରଠାରୁ ଦେଶର ସବୁଆଡ଼େ ଏହି ଯୋଜନାର ବ୍ୟାପକ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା କେନ୍ଦ୍ରର ସବୁଠାରୁ ସଫଳ କାର୍ଯ୍ୟକ୍ରମ ବୋଲି ଡିଣ୍ଡିମ ମଧ୍ୟ ପିଟାଯାଉଛି। ରାଜ୍ୟର ଯେଉଁ ଅଞ୍ଚଳକୁ ଗଲେ କରଦାତାଙ୍କ ଟିକସ ଅର୍ଥକୁ ବିପୁଳ ପରିମାଣରେ ଖର୍ଚ୍ଚ କରାଯାଇ ରାସ୍ତା କଡ଼ରେ ବଡ଼ ବଡ଼ ରଙ୍ଗିନ୍‌ ହୋର୍ଡିଂ ମରାଯାଇ ଏହି ଯୋଜନାର ପ୍ରଚାର ପ୍ରସାର ଚାଲିଛି। କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ଦେଶର ୮ କୋଟି ଘରେ ଉଜ୍ଜ୍ୱଳା ଯୋଜନା ପହଞ୍ଚି ସାରିଥିବା କୁହାଗଲାଣି। ଓଡ଼ିଶାର କେତେଗୁଡ଼ିଏ ଗ୍ୟାସ ଏଜେନ୍ସିଠାରୁ ବୁଝିବା ପରେ ଜଣାପଡିଛି, ପ୍ରାୟ ୨ ମାସ ତଳୁ ଏହି ଯୋଜନାରେ ହିତାଧିକାରୀ ଚୟନ ବନ୍ଦ କରିଦିଆଯାଇଛି। ଏଥିପାଇଁ ଯେଉଁ ସଫ୍ଟଓ୍ବେୟାର କାର୍ଯ୍ୟ କରୁଥିଲା ତାହା ମଧ୍ୟ ଆଉ ଖୋଲୁନାହିଁ। ହେଲେ କେନ୍ଦ୍ରର ପେଟ୍ରୋଲିୟମ ମନ୍ତ୍ରଣାଳୟ ଯେଉଁ ସଫଳତାକୁ ଧରି ଡିଣ୍ଡିମ ପିଟୁଛନ୍ତି ତା’ର ବାସ୍ତବ ସଫଳତା ସମ୍ପୂର୍ଣ୍ଣ ଓଲଟା। ଉଜ୍ଜ୍ୱଳା ଭାଜପାର ରାଜନୈତିକ ସଫଳତାର ମୁଖ୍ୟ ଅସ୍ତ୍ର ବୋଲି ଅନେକ ସମୟରେ ଲକ୍ଷ୍ୟ କରାଯାଉଛି। ଓଡ଼ିଶାରେ ତୈଳ ମନ୍ତ୍ରଣାଳୟର ପ୍ରମୁଖ ଯୋଜନାକୁ ପ୍ରକୃତରେ ସମ୍ପୂର୍ଣ୍ଣ ସଫଳ କରାଯାଇ ପାରୁନାହିଁ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏବେ ମଧ୍ୟ ବହୁ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ। କେନ୍ଦ୍ର ସରକାର କିନ୍ତୁ ସବୁ ମା’ମାନଙ୍କୁ ଧୂଆଁରୁ ମୁକ୍ତି ଦେଇଥିବା କଥା ଦୋହରାଇ ଚାଲିଛନ୍ତି। ଅନ୍ୟପଟେ ଏଲ୍‌ପିଜି (ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌) ଡିଜିଏମ୍‌ ଧର୍ମେନ୍ଦ୍ର ବେଉରା କହିଛନ୍ତି, ୮କୋଟି ଲୋକଙ୍କୁ ଏହି ଯୋଜନାରେ ଗ୍ୟାସ୍‌ ଦେବାର ଥିଲା, ତାହା ଶେଷ ହୋଇଯାଇଛି। ଏବେ ଦେବା ନ ଦେବା କଥା ଉଠୁନାହିଁ। ବହୁତ ଲୋକ ରିଫିଲିଂ କରୁଛନ୍ତି, ଅନେକ ମଧ୍ୟ କରୁନାହାନ୍ତି। ଯେଉଁମାନେ ରିଫିଲିଂ କରୁନାହାନ୍ତି, ୬ ମାସ ହେଲା ସେମାନଙ୍କୁ ଯୋଗାଯୋଗ କରି ବୁଝାଯାଉଛି ବୋଲି ବେଉରା କହିଛନ୍ତି।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ଭାଜପା ମୁଖ୍ୟାଳୟଠାରୁ ମାତ୍ର ୫୦୦ରୁ ୧ କିମି ଦୂରରେ ଥିବା୩୫ ଓ୍ବାର୍ଡର ମଙ୍ଗଳା ବସ୍ତିରେ ରହୁଥିବା କୁନି ଦାସ ଏବେ ମଧ୍ୟ କାଠଚୁଲି ଉପରେ ନିର୍ଭରଶୀଳ। କୁନିଙ୍କ କହିବା କଥା, ଉଜ୍ଜ୍ୱଳା ଯୋଜନାରେ ସାମିଲ ହେବା ସକାଶେ ସମସ୍ତ କାଗଜପତ୍ର ଦେଇସାରିଥିଲେ ସୁଦ୍ଧା ତାଙ୍କୁ ଗ୍ୟାସ୍‌ ମିଳୁନାହିଁ। କାଠ କିଣିବା ସାଙ୍ଗକୁ ଇଆଡୁ ସିଆଡୁ ଜାଳ ସଂଗ୍ରହ କରି ରୋଷେଇ କରୁଛୁ ବୋଲି କୁନି କହିଛନ୍ତି। କେବଳ ସିଏ ନୁହନ୍ତି, ତାଙ୍କ ଭଳି ଆହୁରି ଅନେକ ପରିବାର ବର୍ତ୍ତମାନ ମଧ୍ୟ ଉଜ୍ଜ୍ୱଳା ସଂଯୋଗ ପାଇନାହାନ୍ତି ବୋଲି ସେ ଯୁକ୍ତି ବାଢିଛନ୍ତି। ରାଜଧାନୀରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଧରିତ୍ରୀ ପକ୍ଷରୁ କେତେଗୁଡ଼ିଏ ବ୍ଲକ ଗସ୍ତ କରି ଉଜ୍ଜ୍ୱଳା ସଫଳତାର ବାସ୍ତବ ରୂପ ପରଖାଯାଇଛି।
ପୁରୀ ଜିଲା ଗୋପ ବ୍ଲକ ଅଫିସ୍‌ର ପଛପଟେ ବଢ଼େଇସାହିର ରାଶନକାର୍ଡ ଉପଭୋକ୍ତା ମଣି ନାୟକ ଉଜ୍ଜ୍ୱଳା ଯୋଜନା କ’ଣ ତାହା ଠିକ୍‌ରେ ଜାଣିନାହାନ୍ତି। ଏବେ ମଧ୍ୟ ମଣି କାଠଚୁଲି ଉପରେ ନିର୍ଭରଶୀଳ। ସେ କହିଛନ୍ତି, ଦୈନିକ ବାଡ଼ି ବଗିଚାରୁ କାଠ ସଂଗ୍ରହ କରି ରୋଷେଇ କରିଥାଆନ୍ତି। କେବଳ ସେ ନୁହନ୍ତି, ସେହି ଅଞ୍ଚଳର ଅଧିକାଂଶ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଏ ପର୍ଯ୍ୟନ୍ତ ହୋଇନାହିଁ। ଉଜ୍ଜ୍ୱଳା ସଂଯୋଗ ପାଇଁ କାଗଜପତ୍ର ଏବଂ ବ୍ୟବସ୍ଥା ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି। ଅନ୍ୟପଟେ ସେହି ସାହିର ରଞ୍ଜନା ମହାରଣାଙ୍କ ଘରେ ପହଞ୍ଚତ୍ବା ସମୟରେ ସେ ଚୁଲିରେ ରୋଷେଇ କରୁଥାଆନ୍ତି। ଚାରିଆଡ଼ ଧୂଆଁମୟ ଦେଖାଯାଉଥିଲା। ତାଙ୍କୁ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, କେନ୍ଦ୍ରର ସେମିତି କିଛି ଯୋଜନା ତାଙ୍କ ନିକଟରେ ପହଞ୍ଚିନି। ଆଗରୁ ଯେମିତି କାଠଚୁଲିରେ ରୋଷେଇ କରୁଥିଲେ, ବର୍ତ୍ତମାନ ମଧ୍ୟ ତାଙ୍କର ସମାନସ୍ଥିତି। ସେହିଭଳି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଆଳିସ ଗାଁର ରାଶନକାର୍ଡ ଉପଭୋକ୍ତା ବୁରେଇ ସାହୁଙ୍କ ଦଶା ମଧ୍ୟ ସମାନ। ଉଜ୍ଜ୍ୱଳା ବୋଲି କିଛି ଯୋଜନା ଅଛି ସେକଥା ତାଙ୍କୁ ଭଲରେ ଜଣାନାହିଁ। ଘରେ ଗ୍ୟାସ କି ଷ୍ଟୋଭ କିଛିନାହିଁ। ରୋଷେଇ ପାଇଁ ଚୁଲି ଉପରେ ସେ ନିର୍ଭରଶୀଳ। ଏଭଳି ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ମହିଳା ଉଜ୍ଜ୍ୱଳାରୁ ବଞ୍ଚିତ ଅଛନ୍ତି।
ଏହା କେବଳ ଯୋଗ୍ୟ ହିତାଧିକାରୀଙ୍କ ଉଜ୍ଜ୍ୱଳା ସମ୍ପର୍କରେ ଥିବା ଅଜ୍ଞତାର ଏକ ପ୍ରମାଣ ଥିଲା। ଉକ୍ତ ଯୋଜନାରେ ଗରିବ ହିତାଧିକାରୀ ମହିଳାଙ୍କୁ ମାଗଣାରେ ଗ୍ୟାସ୍‌ ଦିଆଯାଉଥିବା ପ୍ରଚାର କରାଯାଉଛି। ଜଣେ ଡିଲର ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବାସ୍ତବରେ ପ୍ରଥମେ ଉଜ୍ଜ୍ୱଳା ଗ୍ୟାସ ମାଗଣାରେ ଦେଇ ଦେବା ପରେ ଧୀରେ ଧୀରେ ଗରିବଙ୍କ ପକେଟରୁ ଟଙ୍କା ନିଆଯାଉଛି। ଜଣେ ସାଧାରଣ ଲୋକଙ୍କୁ ଏଲ୍‌ପିଜି ସଂଯୋଗ ପାଇଁ ୧୬୫୦ ଟଙ୍କା ପ୍ରଥମେ ଦେବାକୁ ପଡୁଛି। ମାତ୍ର ଉଜ୍ଜ୍ୱଳା ହିତାଧିକାରୀଙ୍କଠାରୁ ପ୍ରଥମେ ସେହି ଟଙ୍କା ନିଆଯିବା ପରିବର୍ତ୍ତେ ଗ୍ୟାସ୍‌ ରିଫିଲିଂ ପରେ ସେମାନେ ଯେଉଁ ସବ୍‌ସିଡି ପାଇବା କଥା ସେଥିରୁ ୧୬୫୦ ଟଙ୍କା କାଟି ଦିଆଯାଉଛି ବୋଲି ସେ କହିଛନ୍ତି। ହେଲେ ଗରିବ ଖଟିଖିଆଙ୍କ ଟଙ୍କା କିପରି ଭଣ୍ଡେଇ ନିଆଯାଉଛି ତାହା ସେମାନଙ୍କୁ ଜଣାଯାଉ ନାହିଁ। ଏହି ସମୟରେ ଉକ୍ତ ଡିଲରଙ୍କ ନିକଟରେ ଉପସ୍ଥିତ ଜଣେ ଗ୍ରାହକ ଉଜ୍ଜ୍ୱଳାରେ କିପରି ମାଗଣାରେ ଗ୍ୟାସ ପାଇଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ କରୁଥିବା ହିତାଧିକାରୀଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ଦ୍ୱିତୀୟ ଥର ରିଫିଲ୍‌ କରୁନାହାନ୍ତି ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଉଜ୍ଜ୍ୱଳା ସଂଯୋଗ ନେଇଥିବା କେତେଜଣ ହିତାଧିକାରୀଙ୍କୁ ରିଫିଲିଂ ବାବଦରେ ପଚାରିବାରୁ ପ୍ରକୃତ କଥା ଜଣାପଡିଛି। ଯାଜପୁର ଜିଲା କୋରେଇ ବ୍ଲକର ମିନତି ନାୟକ କହିଛନ୍ତି, ଗୋଟିଏ ଥର ଗ୍ୟାସ ସଂଯୋଗ ଆଣିବା ପରେ ଆଉ ଆଣିନାହୁଁ। ୮୦୦ ଟଙ୍କା ଦେଇ ଗ୍ୟାସ ସଂଯୋଗ ନେବା ସମ୍ଭବପର ନୁହେଁ। ଗ୍ୟାସ ଆଣିବା ଦିନଠାରୁ ସିଲିଣ୍ଡର ସେମିତି ଘରେ ପଡ଼ିରହିଛି ବୋଲି ସେ କହିଛନ୍ତି।
ଅନୁରୂପ ଭାବେ କୋରେଇ ବ୍ଲକ ଅଧୀନ ଖଇରା ପଞ୍ଚାୟତର ଉଜ୍ଜ୍ୱଳା ହିତାଧିକାରୀ ରାଜୁ ବାରିକ କହିଛନ୍ତି, ତାଙ୍କ ମା’ଙ୍କ ନାମରେ ଗ୍ୟାସ ସଂଯୋଗ ନେଇଥିଲେ। ମାତ୍ର ତା’ପରଠାରୁ ପ୍ରାୟ ବର୍ଷେ ହେବ ଆଉ ରିଫିଲିଂ କରାଇନାହାନ୍ତି। ଅନ୍ୟପଟେ ଜଣେ ଡିଲରଙ୍କ କହିବା କଥା, ଉଜ୍ଜ୍ୱଳାରେ ଗ୍ୟାସ ସଂଯୋଗ ତ ବହୁ ଲୋକ ନେଉଛନ୍ତି, ମାତ୍ର ରିଫିଲ ୫ରୁ ୧୦ ପ୍ରତିଶତ ଲୋକ କରୁଛନ୍ତି। ଯୋଜନାର ବିଫଳତାକୁ ଘୋଡ଼ାଇବା ପାଇଁ ତୈଳ କମ୍ପାନୀ ଅଧିକାରୀମାନେ ଅନେକ ସମୟରେ ଡିଲରମାନେ ଏହି ରିହାତି ଗ୍ୟାସ୍‌କୁ ହଡ଼ପ କରୁଛନ୍ତି ବୋଲି ଦାବି କରି ନିଜ ଉପରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏ ସମ୍ପର୍କରେ ଧରିତ୍ରୀ ତରଫରୁ ଯାଞ୍ଚ କରାଯାଇଥିବା ସତ୍ତ୍ୱେ ଡିଲରଙ୍କ ବିରୋଧରେ କୌଣସି ଉପଯୁକ୍ତ ପ୍ରମାଣ ମିଳିନାହିଁ। ଅନ୍ୟପଟେ ପ୍ରାୟ ୧ବର୍ଷ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‌ଆଇସି କାର୍ଯ୍ୟାଳୟରୁ ବିଭିନ୍ନ ଜିଲାର ମହିଳାମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଜ୍ଜ୍ୱଳାର ସଫଳତା ବିଷୟରେ ପଚାରି ବୁଝିଥିଲେ। ଉଜ୍ଜ୍ୱଳା ସଂଯୋଗ ଦ୍ୱାରା ମହିଳାମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ସାଙ୍ଗକୁ ତାଙ୍କ ରୋଜଗାର ବଢ଼ିବ ବୋଲି କହିଥିଲେ। ଓଡ଼ିଶାର ପ୍ରାୟ ୧୮ ହଜାର ମହିଳାଙ୍କୁ ଏକତ୍ରିତ କରି ଉଜ୍ଜ୍ୱଳାରୁ ବାହାବା ଗୋଟାଇବାକୁ ସେ ଯଥାସାଧ୍ୟ ଉଦ୍ୟମ ମଧ୍ୟ କରିଥିଲେ। ଏହି ଯୋଜନାରେ କିପରି ମାଗଣାରେ ଗ୍ୟାସ ଗରିବଙ୍କୁ ଦିଆଯାଉଛି ଏବଂ କେତେ ହିତାଧିକାରୀ ସଂଯୋଗ ପାଇନାହାନ୍ତି ତା’ର ଉତ୍ତର କେନ୍ଦ୍ର ସରକାର ରଖନ୍ତୁ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri