ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶୁକ୍ରବାର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଗସ୍ତ କରିଥିଲେ | ସେ ଦାରିଙ୍ଗବାଡିର ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନକ୍ଷେତ୍ର କଫି ବଗିଚା, ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ ଯାଇ ମକାଚାଷିଙ୍କୁ ଦେଖା କରିବା ସହ ଇକୋ ରିଟ୍ରିଟ୍ ପରିଦର୍ଶନ କରିଥିଲେ। ପରେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ପହଞ୍ଚି ସେଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଶାମୁକା ଏସଏଚଜି ସମେତ ଦିପ୍ତିମତି ଏସଏଚଜି, ଗୁରୁଶିକ୍ଷା,କଲ୍ୟାଣୀ,ଗ୍ରେସ,ଜୀବନଜ୍ୟୋତି ଏବଂ ଆଶାସର ଏସଏଚଜି ମହିଳା ମାନଙ୍କ ସହ ତାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ମହିଳା ମାନଙ୍କ ବିକାଶ ପାଇଁ ଅଧିକା ଅନୁଦାନ ସହାୟତା ସମେତ ପ୍ରସ୍ତୁତୀ କରଣ ପାଇଁ ବିଭିନ୍ନ ମେଶିନ ବସାଯାଇ ବିଦ୍ୟୁତ ସଂଯୋଗ ପାଇଁ ରାଜସ୍ୱ ଡିପୋଜିଟ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନଥିବା ଆଦି ଅନେକ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ସେମାନଙ୍କୁ ସହଯୋଗ କରିବାକୁ ଯୁଗ୍ମ ସଚିବ ରୁପା ମିଶ୍ର, କନ୍ଧମାଳ ଜିଲାପାଳ ବେଦ ଭୂଷଣ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସେଠାରେ ୩୦ ଜଣ ମାଣ୍ଡିଆ ଅନ୍ୟାନ୍ୟ କ୍ଷୁଦ୍ରଦାନା ଚାଷୀ ଯୁଗ୍ମ ସଚିବଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ ୨୮ ମହିଳା ଓ ୨ ପୁରୁଷ ମାଣ୍ଡିଆ ଚାଷୀ ରହିଥିଲେ। ସେମାନେ ଅମଳ ସାମଗ୍ରୀ ଉଚିତଦରରେ ବିକ୍ରୀ କରିପାରୁଥିବା କହିଥିଲେ । ହେଲେ ଜଳସେଚନ ବ୍ୟବସ୍ଥା ନଥିବା ହେତୁ ଚାଷୀ ମାନେ ତାଙ୍କ ଚାଷକୁ ବଢ଼ାଇ ପାରୁ ନ ଥିବା ଜଣାଇଥିଲେ। ବିଭିନ୍ନ ସମସ୍ୟା ରହିଥିବାରୁ ମାଣ୍ଡିଆ ଓ କ୍ଷୁଦ୍ରଦାନା ଚାଷ କରିବାକୁ ଇଚ୍ଛା ରହିଥିଲେ ମଧ୍ୟ ସେଚନ ଜମି, ଓ ନିଜର ଜମି ନ ଥିବାରୁ ଅନେକ ଚାଷୀ ଏହି ଚାଷ କାର୍ଯ୍ୟରୁ ବଞ୍ଚିତ ହେଉଥିବା କହିଥିଲେ | ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଚିତ୍ତ ରଞ୍ଜନ ସତପଥୀ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରୋଜ ପାତ୍ର ଏବଂ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ|