ONLINE EDUCATION CONCEPT
ଭୁବନେଶ୍ୱର,୨୯।୪(ବ୍ୟୁରୋ): ବିଶ୍ୱ ମହାମାରୀରେ ପରିଣତ ହୋଇଥିବା କରୋନାର ମୁକାବିଲା ପାଇଁ କେନ୍ଦୁଝର ଜିଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି। ବୁଧବାର ଜିଲାରୁ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ କରାଯାଇଛି। ତେଣୁ ଜିଲାରେ ଲକ୍ଡାଉନର ଅବଧି ସମ୍ପୂର୍ଣ୍ଣ ପ୍ରତ୍ୟାହର ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମ ଅବକାଶ ମଧ୍ୟ ଜାରି ରହିଛି। ତେଣୁ କେନ୍ଦୁଝର ଜିଲାର ବିଭିନ୍ନ ବିଦ୍ୟାଳୟ/ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଅନ୍ଲାଇନ ଶିକ୍ଷା ପ୍ରଦାନ କରାଯାଉ ବୋଲି କେନ୍ଦୁଝର ବିକାଶ ପରିଷଦ(କେଭିପି) ପକ୍ଷରୁ ଦାବି କରାଯାଇଛି।
ନୂଆଶିକ୍ଷା ବର୍ଷ ଆଗତ ପ୍ରାୟ। ହେଲେ ଦଶମ,ଯୁକ୍ତ ୨ ଶେଷ ବର୍ଷ ଇତ୍ୟାଦିକୁ ବାଦ୍ ଦେଲେ ପୂର୍ବରୁ ଅନେକ ପାଠ୍ୟକ୍ରମ ସମାପ୍ତ ହୋଇ ନାହିଁ। ତେଣୁ ନିୟମିତ ପରୀକ୍ଷା ବାଧାପ୍ରାପ୍ତ ହୋଇସାରିଛି। ଏହାକୁ ଭରଣା କରିବା ପାଇଁ ଅନ୍ଲାଇନ ଶିକ୍ଷାଦାନର ଆବଶ୍ୟକତା ରହିଥିବା ପରିଷଦ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡିଲେ ଆଗାମୀ ଶିକ୍ଷାବର୍ଷ(୨୦୨୧-୨୨)କୁ ୨୦୨୧ ସେପ୍ଟେମ୍ବରରେ ଆରମ୍ଭ କରିବା ପାଇଁ ଜାତୀୟସ୍ତରରେ ବିଚାରବିର୍ମଶ ଚାଲୁଥିବା ପରିଷଦ କହିଛି। ତେଣୁ ଚଳିତ ବର୍ଷ ଶିକ୍ଷାବର୍ଷର ଅସମାପ୍ତ ଖସଡା ଅନ୍ଲାଇନ ମାଧ୍ୟମରେ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜିଲାପାଳ ଏବଂ ଉଭୟ(ଗଣଶିକ୍ଷା/ଉଚ୍ଚଶିକ୍ଷା) ବିଭାଗକୁ କେନ୍ଦୁଝର ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି।