କୁଳପତିଙ୍କ ପ୍ରତିଶ୍ରୁତି ପରେ ଛାତ୍ରଙ୍କ ଅନଶନ ପ୍ରତ୍ୟାହୃତ

ବାରିପଦା ଅଫିସ,୯ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆମରଣ ଅନଶନ ଶୁକ୍ରବାର ପ୍ରତ୍ୟାହୃତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଦୀପ କୁମାର ଚାନ୍ଦଙ୍କ ଲିଖିତ ପ୍ରତିଶ୍ରୁତି ପରେ ଛାତ୍ରଛାତ୍ରୀମାନେ ଅନଶନରୁ ଉଠିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ପରୀକ୍ଷା ଫି’ ୭୪୦ ଟଙ୍କା ରଖାଯାଇଥିବା ବେଳେ ଦ୍ୱିତୀୟ ବର୍ଷର ଫି’ କିନ୍ତୁ ୩୯୦ ଟଙ୍କା ରଖାଯାଇଛି। ଏହି ଫି’ କୁ କମାଇବା ପାଇଁ ଛାତ୍ର ନେତା ଚିତେଶ୍ୱର ବେହେରାଙ୍କ ନେତୃତ୍ୱରେ ଛାତ୍ରନେତା ମନୀଷ ଗିରି, ଆକାଶ ମହାନ୍ତି, ଅସଲାମ ମହମ୍ମଦ, ଲୋକନାଥ ମହାନ୍ତ, ରାଜେଶ ସାହୁ, ରାଜକିଶୋର ସ୍ବାଇଁ, ସମୀର ଲେଙ୍କା, ଗୁଣନିଧୀ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ଛାତ୍ରୀଛାତ୍ରମାନେ ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ସେମାନେ ଗୁରୁବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଥିଲେ। ଶୁକ୍ରବାର ସନ୍ଧ୍ୟାରେ କୁଳପତି ଚାନ୍ଦ ଛାତ୍ରମାନଙ୍କ ସହିତ ଆଲୋଚନା କରି ପରୀକ୍ଷା ଫି’ କମାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ କୁଳାଧିପତିଙ୍କ ପ୍ରିନ୍ସିପାଲ ସେକ୍ରେଟେରୀଙ୍କୁ ପତ୍ର ଲେଖିଥିବା ଜଣାଇବା ପରେ ଛାତ୍ରମାନେ ଆମରଣ ଅନସନରୁ ହଟିଥିଲେ।