କିଡ୍‌ନୀ ରୋଗରେ ପୁଣି ୨ ଜୀବନ ଗଲା

କୁଆମରା, ୮ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ପୁରୁଣା ବାରିପଦା ପଞ୍ଚାୟତର ମାଙ୍କଡ଼କେନ୍ଦା ଗ୍ରାମରେ ୫ ଘଣ୍ଟା ଅନ୍ତରରେ ଦୁଇ ଜଣଙ୍କ ଜୀବନଦୀପ ଲିଭିଯିବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସତେଯେମିତି ଅଭିଶପ୍ତ ପାଲଟିଛି ଏହି ଗ୍ରାମ। ଗ୍ରାମରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପ୍ରତିବର୍ଷ ଏକାଧିକ ମୃତ୍ୟୁବରଣ କରୁଛନ୍ତି। ଗତ ୩ ଦିନ ତଳେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ସକାଳେ ବିଶ୍ବମ୍ବର ସିଂ(୩୮)ଙ୍କ ମୃତ୍ୟୁ ହୋଇଛି। ବିଶ୍ୱମ୍ବର ଶୁକ୍ରବାର ସାରେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ ଏକ ଘରୋଇ କ୍ଲିନିକ୍‌ରେ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଶନିବାର ସକାଳେ ଉଦଳା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ରାଜୁ ସିଂ (୨୫)ଙ୍କର ମଧ୍ୟ ଶୁକ୍ରବାର ରାତିରେ ମୃତ୍ୟୁ ଘଟିଛି। କିଛିଦିନ ତଳେ ଅସୁସ୍ଥ ହେବା ପରେ ରକ୍ତ ପରୀକ୍ଷା କରିବାରୁ ସେ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ଅର୍ଥାଭାବରୁ ଡାକ୍ତରୀ ଚିକିତ୍ସା ହୋଇ ନ ପାରି ସେ କବିରାଜି ଓ ଚେରମୂଳୀ ଔଷଧ ଖାଉଥିବା ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି। ଶନିବାର ସକାଳେ ଗୋଟିଏ ଜୁଇ ଲିଭି ନ ଥିବା ବେଳେ ଅନ୍ୟ ଏକ ଜୁଇ ଜଳିବା ଘଟଣା ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଖବର ପାଇ ଖୁଣ୍ଟାରୁ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।