କିଟ୍‌ ଓ କିସ୍‌ ପରିଦର୍ଶନ କଲେ ରିଜିଜୁ: ଅଲିମ୍ପିକ୍ସରେ ଭାରତକୁ ଜିତାଇବେ ଜନଜାତି

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ହେଲେ ଆମକୁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ। ଭାରତକୁ ଫିଟ୍‌ ରଖିବାକୁ ହେଲେ ଆମକୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିବାକୁ ପଡ଼ିବ ବୋଲି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି।
ଶୁକ୍ରବାର କିଟ୍‌ ଓ କିସ୍‌ ପରିଦର୍ଶନରେ ଆସି ରିଜିଜୁ ଦୁଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ୟୁନିଟ୍‌ ବୁଲି ଦେଖିଥିଲେ। ଏହି ଅବସରରେ ସେ କହିଥିଲେ, କିସ୍‌ରେ ଭବିଷ୍ୟତ ଅଲିମ୍ପିଆନ୍‌ମାନେ ରହିଛନ୍ତି। କିସ୍‌ ଛାତ୍ରୀଛାତ୍ର ଭବିଷ୍ୟତରେ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରି ଦେଶରୁ ଗୌରବ ଆଣିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍‌ କିମ୍ବା ପରବର୍ତ୍ତୀ ଅଲିମ୍ପିକ୍‌ରେ ଜନଜାତି ବର୍ଗର ଛାତ୍ରୀଛାତ୍ରମାନେ ଭଲ ପ୍ରଦର୍ଶନ କରିବେ। ଛାତ୍ରୀଛାତ୍ରମାନେ ନିଜ ମଧ୍ୟରେ ଥିବା ଭେଦଭାବ ଭୁଲି ଶିକ୍ଷା ଓ କ୍ରୀଡ଼ା ଉପରେ ଗୁରୁତ୍ୱ ଦେବା ସହ ଦେଶ ଗଠନ ପାଇଁ ଆଗେଇ ଆସିବା ଉଚିତ। କିସ୍‌ର ୨୭ ହଜାର ଛାତ୍ରୀଛାତ୍ରଙ୍କ ମୁହଁରେ ଯେଉଁ ହସ ଦେଖାଯାଉଛି ସେହି ହସ ହେଉଛି ଭାରତର ସାମର୍ଥ୍ୟ। ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତ୍‌ମାନେ ପୂର୍ବାପେକ୍ଷା ଉତ୍ତମ ପ୍ରଦର୍ଶନ କରିବା ଉପରେ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ଗୁରୁତ୍ୱାରୋପ କରୁଥିବା ରିଜିଜୁ କହିଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ବତନ୍ତ୍ର ସଚିବ ବିଶାଳ ଦେବ, ଅଲିମ୍ପିଆନ୍‌ ଦୂତୀ ଚାନ୍ଦ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‌ ଓ କିସ୍‌ର ସଂପାଦକ ଆର.ଏନ୍‌. ଦାଶ, କିସ୍‌ର ସିଇଓ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।