କାହାଠୁ ଟିକେଟ ନେଇ ଲଢ଼ିବାକୁ ଚାହୁଁନି: ତଥାଗତ

ଢେଙ୍କାନାଳ ଅଫିସ, ୨୪।୪- ସାଧାରଣ ନିର୍ବାଚନ-୨୦୧୯ରୁ ନିଜକୁ ଦୂରେଇ ରଖିଥିବା ବରିଷ୍ଠ ବିଜେଡି ନେତା ତଥା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ମଙ୍ଗଳବାର କୁଞ୍ଜକାନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରକୁ ଭୋଟ ଦେବାକୁ ଆସିଥିଲେ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରତିନିଧି ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ସେ କହିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ହେଲେ ସମସ୍ତେ ଭୋଟଦେବା ଜରୁରୀ। ଯେତେ ଅଧିକ ସଂଖ୍ୟାରେ ଭୋଟ ପଡ଼ିବ ସେତିକି ଲୋକଙ୍କ ମତ ଆଗକୁ ଆସିଲା ବୋଲି ବୁଝାପଡ଼ିବ। ଭୋଟ ନ ଦେବା ଗଣତନ୍ତ୍ର ବିରୋଧୀ। ସେ ଗଣତନ୍ତ୍ରର ଜଣେ ଦୃଢ଼ ସମର୍ଥକ ଭାବେ ସବୁବେଳେ ଭୋଟ ଦେଇ ଆସୁଛନ୍ତି। ବଞ୍ଚତ୍ଥିବା ଯାଏ ଭୋଟ ଦେବେ। ଚଳିତ ନିର୍ବାଚନରେ ଭୋଟରମାନେ କେତେକ ସ୍ଥାନରେ ପ୍ରାର୍ଥୀ, କେତେକ ସ୍ଥାନରେ ଦଳ ଏବଂ ଆଉ କେତେକ ସ୍ଥାନରେ ସର୍ବୋଚ୍ଚ ନେତାଙ୍କୁ ଦେଖି ବାଛିବେ। ଲୋକଙ୍କ ପାଖରେ ଅନେକ ସମସ୍ୟା ଅଛି। ଜନସାଧାରଣ କୌଣସି ଦଳ କିମ୍ବା କୌଣସି ପ୍ରାର୍ଥୀ ସହ ସନ୍ତୁଷ୍ଟ ନୁହନ୍ତି ା ତଥାପି ଭୋଟ ନିଶ୍ଚିତ ଭାବେ ଦେବା ଦରକାର ବୋଲି ସେ ମତ ରଖିଥିଲେ।

ଏହି ଅବସରରେ ତଥାଗତ ଆହୁରି ମଧ୍ୟ କହିଲେ, ସେ ରାଜନୀତିରୁ ଦୂରେଇ ଯାଇନାହାନ୍ତି। ତଥାକଥିତ ଇଲେକ୍ଟୋରାଲ ପଲିଟିକ୍ସରୁ ଦୂରେଇ ଯାଇଛନ୍ତି। ଲୋକଙ୍କ ସେବା ପାଇଁ  ରାଜନୀତି ଏକମାତ୍ର ମାଧ୍ୟମ ନୁହେଁ। ଢେଙ୍କାନାଳ, ଅନୁଗୋଳ ସମେତ ଓଡ଼ିଶାବାସୀଙ୍କ  ସେବା କରିବା ପାଇଁ ତାଙ୍କୁ ଏକ ୱାଇଡର ସ୍କୋପ୍‌ ଦରକାର ଥିଲା। ତାହା ସେ ନେଇଛନ୍ତି। ଭବିଷ୍ୟତରେ ଆଉ କାହାଠାରୁ ଟିକେଟ ନେଇ ନିର୍ବାଚନ ଲଢ଼ିବେନି। ସେଭଳି ପରିସ୍ଥିତି ପ୍ରଭୁ ଜଗନ୍ନାଥ ନ ଦିଅନ୍ତୁ ବୋଲି ଏମ୍‌ପି ସତପଥୀ କହିଛନ୍ତି।