କଶ୍ମୀର: ବଢ଼ିଲା ଖର୍ଚ୍ଚ

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ସେଠାକୁ ୧୦,୦୦୦ ଅତିରିକ୍ତ ଯବାନ ପଠାଇବା ଆରମ୍ଭ କରିଛନ୍ତିି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଅମରନାଥ ଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦିଗରେ ଅତିରିକ୍ତ ସୁରକ୍ଷା ବଳ ସହାୟକ ହେବ। ଅବଶ୍ୟ ଅଗଷ୍ଟ ୧୫ରେ ଶେଷ ହେବାକୁ ଥିବା ଅମରନାଥ ଯାତ୍ରାର ସୁରକ୍ଷା ସକାଶେ ୩୨ ହଜାର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ସେଠାରେ ମୁତୟନ ଅଛନ୍ତିି। କିନ୍ତୁ ଅତିରିକ୍ତ ସୁରକ୍ଷା ବଳ ପ୍ରେରଣ କରାଯିବା ପଛରେ ଏକ ଲୁକ୍କାୟିତ ଚିନ୍ତାଧାରା ଥିବା କେତେକ ମହଲରେ ଆଲୋଚନା ହେଉଛି। କୁହାଯାଉଛି ସମ୍ବିଧାନର ଅନୁଚ୍ଛେଦ ୩୫‘ଏ’କୁ ଜମ୍ମୁ ଓ କଶ୍ମୀରରୁ ଉଚ୍ଛେଦ କରିବା। ଏହି ଅନୁଚ୍ଛେଦ ଅନୁଯାୟୀ ସ୍ଥାନୀୟ ବାସିନ୍ଦାଙ୍କୁ ଅନେକ ସୁବିଧା ଦିଆଯାଉଛି ବୋଲି ଦାବି କରାଯାଉଛି। ତନ୍ମଧ୍ୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରତି ସମସ୍ତଙ୍କ ନଜର ପଡ଼ିଛି। ପ୍ରଥମଟି ହେଲା ଭାରତର ଅନ୍ୟ ପ୍ରାନ୍ତରୁ ଯାଇ ନାଗରିକମାନେ ଜମ୍ମୁ ଓ କଶ୍ମୀରରେ ଜମି କିଣିପାରିବେ ନାହିଁ ଏବଂ ଦ୍ୱିତୀୟଟି ହେଲା ରାଜ୍ୟ ସରକାରଙ୍କ ଚାକିରି କରିପାରିବେ ନାହିଁ। କିନ୍ତୁ ଏବେକାର ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ଚାକିରି ଏବଂ ଘରୋଇ କମ୍ପାନୀ ପାଖରେ ନିଯୁକ୍ତି ଅଣ କଶ୍ମୀରୀଙ୍କୁ ମିଳିପାରୁଛି। ଅବଶ୍ୟ ସ୍ବୀକାର କରିବାକୁ ହେବ ଯେ ସେଠାକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଅଧିକାଂଶ ବାହ୍ୟ ଲୋକ ସେଠାକୁ ବଦଳି ହେବାକୁ ଚାହୁଁ ନାହାନ୍ତି।
ଏବେ କେନ୍ଦ୍ର ସରକାର କଶ୍ମୀରକୁ ଅଧିକ ଯବାନ ପଠାଉଥିବାରୁ ତାହାକୁ ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ସମାଲୋଚନା କରିଛନ୍ତି। ଅନୁଚ୍ଛେଦ ୩୫‘ଏ’କୁ ରାଜ୍ୟରୁ ହଟାଇବା ଲାଗି କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମେହବୁବା ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଉକ୍ତ ଅନୁଚ୍ଛେଦ ଉଚ୍ଛେଦ ହେଲେ ଜମ୍ମୁ ଓ କଶ୍ମୀର ତା’ର ସ୍ବାତନ୍ତ୍ର୍ୟ ହରାଇବ। ସେଥିପାଇଁ ସେ କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି ଯେ, ଏହି ଅନୁଚ୍ଛେଦ ଉଚ୍ଛେଦ ହେଲେ କଶ୍ମୀରରେ ନିଆଁ ଜଳିବ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, କେନ୍ଦ୍ର ଯଦି ସକାରାତ୍ମକ ଉଦ୍ଦେଶ୍ୟ ରଖି ଜମ୍ମୁ ଓ କଶ୍ମୀରକୁ ଅଧିକ ସୈନ୍ୟ ପ୍ରେରଣ କରୁଥାଏ, ତେବେ ସମ୍ପୃକ୍ତ ରାଜ୍ୟ ବିଶେଷ ଉପକୃତ ହେବ। କାରଣ ଅନୁଚ୍ଛେଦ ୩୫‘ଏ’ ଉଚ୍ଛେଦ ହେଲେ ବାହାର ରାଜ୍ୟର ବ୍ୟକ୍ତି ଜମ୍ମୁ ଓ କଶ୍ମୀରରେ ସମ୍ପତ୍ତି କିଣି ଔଦ୍ୟୋଗିକ ବିକାଶ କରିପାରିବେ। ଏମିତି ଦେଖିଲେ ପର୍ଯ୍ୟଟନ କ୍ଷେତ୍ରରୁ ଏହି ରାଜ୍ୟ କିଛି ରାଜସ୍ବ ପାଇଥାଏ। ହସ୍ତତନ୍ତ ଭଳି ଅନେକ କୁଟୀର ଶିଳ୍ପ ସେହି ରାଜ୍ୟରେ କରିବା ସମ୍ଭବପର ହୋଇଥାଏ। ଏଥିସହିତ ସେଠାକାର ବାସିନ୍ଦା ଫଳଚାଷ ଏବଂ ଗରମ ପୋଷାକ ତିଆରି କରି ବିକି ସେଥିରୁ କିଛି ଆୟ କରିଥାଆନ୍ତି। କିନ୍ତୁ ବିଭିନ୍ନ କାରଣରୁ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇପାରୁ ନ ଥିବାରୁ ବେକାରଙ୍କ ସଂଖ୍ୟା ବଢ଼ିଚାଲିବା ସହ ଦାରିଦ୍ର୍ୟ ବୃଦ୍ଧି ପାଉଛି। ଆଇନ କଡ଼ାକଡ଼ି ଥିବାରୁ ଅନ୍ୟ ରାଜ୍ୟର ଶିଳ୍ପପତି ଓ ଉଦ୍ୟୋଗୀ ସେଠାରେ ପହଞ୍ଚିପାରୁ ନାହାନ୍ତି। ୩୫‘ଏ’ ଉଚ୍ଛେଦ ହେଲେ ଜମ୍ମୁ ଓ କଶ୍ମୀରରେ ଶିଳ୍ପ ବିକାଶ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା। ହେଲେ ବିଗତ ଦଶନ୍ଧିଗୁଡ଼ିିକରେ ଭାରତର କୌଣସି ରାଜନୈତିକ ଦଳର କେନ୍ଦ୍ର ସରକାର କଶ୍ମୀରର ବାସ୍ତବ ବିକାଶ କଥା ଚିନ୍ତା କରିନାହାନ୍ତି। ସେହିଭଳି ଜମ୍ମୁ ଓ କଶ୍ମୀରର ସ୍ଥାନୀୟ ନେତୃତ୍ୱ ନିଜର ସୁବିଧା ପାଇଲେ ନୀରବ ହୋଇଯାଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଲେ ମେହବୁବା ମୁଫ୍‌ତି। ମୁଖ୍ୟମନ୍ତ୍ରୀ ପଦ ପାଇବା ପାଇଁ ଭାଜପା ସହିତ ମେଣ୍ଟ କରିପାରିଥିବା ମେହବୁବା ଏବେ ସେହି ଦଳର ସରକାର ବିରୋଧରେ ସ୍ବର ଉଠାଉଛନ୍ତି। ଦେଖିବାକୁ ଗଲେ ଜମ୍ମୁ ଓ କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହି ସମସ୍ତେ ଘୋଷି ହେଉଛନ୍ତି। ଯେତେବେଳେ ଏହା ଦେଶର ଏକ ଅଂଶ ଭାବେ ରହିଛି, ସେଠାକୁ ଅନ୍ୟ ପ୍ରାନ୍ତର ବ୍ୟକ୍ତି ଯାଇ ବସତି ସ୍ଥାପନ କରିବାରେ ଅସୁବିଧା କେଉଁଠି ରହିଛି ବୋଲି ପ୍ରଶ୍ନ ହେବା ସ୍ବାଭାବିକ। ଏଠାରେ ମନେପକାଇ ଦିଆଯାଇପାରେ ଯେ, କଶ୍ମୀର ଉପତ୍ୟକାରୁ ପଣ୍ଡିତମାନଙ୍କୁ ହଟେଇ ଦିଆଯିବାର ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ସେମାନେ ନିଜ ମାଟିକୁ ଫେରିପାରି ନାହାନ୍ତି।
ଏଭଳି ପ୍ରଚ୍ଛଦପଟରେ ଅଧିକ ସୈନ୍ୟ ପଠାଇ କଶ୍ମୀର ଅକ୍ତିଆର କରିହେବ ବୋଲି ଭାବିବା ଅସମ୍ଭବ ମନେହେଉଛି। ଦୀର୍ଘ ଦିନର ଅବହେଳା ସହ୍ୟ କରି ଆସିଥିବା ଏହି ରାଜ୍ୟବାସୀ ସବୁବେଳେ ଏବଂ ସବୁ କ୍ଷେତ୍ରରେ ଭାରତୀୟ ମିଲିଟାରୀକୁ ଦେଖି ଅତିଷ୍ଠ ହୋଇ ରହିଛନ୍ତି। କେବଳ ସଶସ୍ତ୍ର ବାହିନୀ ଦ୍ୱାରା ଦମନ କରାଯାଇଥିବା ସ୍ଥାନୀୟ ଲୋକଙ୍କ ମନରେ ଅନ୍ୟ ପ୍ରାନ୍ତରୁ ଯାଇ ବସବାସ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କ ପ୍ରତି ସହାନୁଭୂତି ରହିବ ନାହିଁ। ବାହାରୁ ଯାଇଥିବା ବ୍ୟକ୍ତି ସବୁବେଳେ ଶତ୍ରୁ ପକ୍ଷର ଭାବମୂର୍ତ୍ତି ଧରି ବସିଥିବା କୌଣସି ବ୍ୟବସାୟ କିମ୍ବା ଶିଳ୍ପ କେବେହେଲେ ଏକ ଅଶାନ୍ତ ଏବଂ ଯୁଦ୍ଧ କ୍ଷେତ୍ରରେ ସଫଳତା ପାଇପାରିବ ନାହିଁ। ଗୋଳାବାରୁଦ ବିକ୍ରି କରିବା ବ୍ୟତୀତ କଶ୍ମୀର ଉପତ୍ୟକାରେ ଅନ୍ୟ କୌଣସି ସ୍ବାଭାବିକ ବ୍ୟବସାୟ କରିବା ଅତ୍ୟନ୍ତ କଷ୍ଟକର ହେବାର ସବୁ ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ କେଉଁ କାରଣରୁ ଅଧିକ ସଶସ୍ତ୍ର ବାହିନୀ ଜମ୍ମୁ ଓ କଶ୍ମୀରରେ ମୁତୟନ କରାଯାଉଛି ବୁଝିବା କଷ୍ଟକର। ଭବିଷ୍ୟତରେ ଆଜିର କେନ୍ଦ୍ର ସରକାରଙ୍କ ଯୋଜନା ନିଶ୍ଚୟ ବୁଝାପଡ଼ିବ। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ବସିଥିବା ଭାରତର ଅସଂଖ୍ୟ କରଦାତାଙ୍କର ବିପୁଳ ଅର୍ଥ ଏହି ସୈନିକମାନଙ୍କ ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହୋଇଯାଇଥିବ। ଏବେ ମଧ୍ୟ କଶ୍ମୀରରେ ହେଉଥିବା ଖର୍ଚ୍ଚ ଦେଶର ଆର୍ଥିକ ଅର୍ଥ ଶୋଷିନେଉଛି। ତାହାର ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ସେଥିପାଇଁ ଭାରତୀୟମାନଙ୍କୁ ଆହୁରି କିଛି ନୂତନ କର ବା ସେସ୍‌ ଦେବା ସକାଶେ ପ୍ରସ୍ତୁତ ହେବାକୁ ପଡ଼ିବ।