ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନିଜେ ଚା’ ପ୍ରସ୍ତୁତ କରି ପିଆଇଲେ

ଭୋଗରାଇ, ୨୩।୮(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ଦୀଘା ସୈକତ ସହରକୁ ୪ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ଗୁରୁବାର ପୂର୍ବାହ୍ନରେ ଫେରିଛନ୍ତି। ସେ ଦୀଘାରେ ୪ଦିନ ରହଣି କାଳରେ ୭୪ ଶିଳାନ୍ୟାସ ଓ ୪୭ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶା ସୀମାନ୍ତ ୫ଶହ ମିଟର ବ୍ୟବଧାନରେ ୭୦କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ଆନ୍ତର୍ଜାତିକ କନଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟନ କରିବା ସହିତ ବୁଧବାର ଓଲ୍ଡ ଦୀଘାରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ କରିଛନ୍ତି। ଜନ ସଂଯୋଗ ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଭ ଡ୍ରାଇଭ୍‌-ସେଭ୍‌ ଲାଇଫ୍‌ ନାମ ଧରି ପଶ୍ଚିମବଙ୍ଗ ପୋଲିସ ରାସ୍ତାରେ ବ୍ୟାପକ ଚାନ୍ଦା ଆଦାୟ କରୁଥିବାରୁ ପଶ୍ଚିମବଙ୍ଗ ବଦନାମ୍‌ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅସାଧୁ ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଉଚ୍ଚପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୁଧବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସୀମାନ୍ତ ଉଦୟପୁରସ୍ଥିତ ପଶ୍ଚିମବଙ୍ଗ ଅଧୀନ ବିତ୍ତପୁର ଗାଁକୁ ଆକସ୍ମିକ ଭାବେ ପରିଦର୍ଶନ କରି ଏହି ଗାଁର ଆଦିବାସୀ ପରିବାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେଠାରେ ରହି ଓଡ଼ିଶାର ଗାଁ ଓ ଉଦୟପୁର ବେଳାଭୂମି ସମ୍ପର୍କରେ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦର କର୍ମକର୍ତ୍ତା, ପ୍ରଶାସନ ଓ ରାଜ୍ୟସ୍ତରୀୟ ନେତା, ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଗାଁରେ ରହି ପିଲାମାନଙ୍କୁ ବସ୍ତ୍ର ବଣ୍ଟନ କରିବା ସହିତ ଛୋଟ ପିଲାଙ୍କୁ ଧରି ସ୍ନେହ କରିବା ସହ ଚକୋଲେଟ୍‌ ବାଣ୍ଟିଥିଲେ। ମମତା ସୀମାନ୍ତ ଗାଁକୁ ଯାଉଥିବାବେଳେ ହଠାତ୍‌ ଗାଡ଼ି ଅଟକାଇ ରାସ୍ତାରେ ଓହ୍ଲାଇ ଏକ ଚା’ ଦୋକାନ ବେଞ୍ଚରେ ବସି ପଡ଼ିଥିଲେ। ସେଠାରେ ଚା’ ବିକାଳିଙ୍କୁ ଉଠାଇ ସେ ନିଜେ ଚା’ ପ୍ରସ୍ତୁତ କରିଥିଲେ। ମୁଖ୍ୟମନ୍ତ୍ରୀ ଦୋକାନରେ ଚା’ ପ୍ରସ୍ତୁତ କରି ନିଜେ ପିଇବା ସହିତ ତାଙ୍କ ସହିତ ଆଗତ ସମସ୍ତ ଭିଆଇପିମାନଙ୍କୁ ଚା’ ପିଆଇଥିଲେ। ଏହି ଚା’ପାନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ପୂର୍ବରୁ ଚା’ ଦୋକାନରେ ବସୁଥିଲି। ସେଠାରେ ସମସ୍ତ କଥା ଶୁଣୁଥିଲି ଓ ବହୁ କଥା ଜାଣୁଥିଲି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିନବ କାର୍ଯ୍ୟକୁ ସୀମାନ୍ତବାସୀ ପ୍ରଶଂସା କରିଛନ୍ତି।