ବିଶାଖାପାଟଣା,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଭାଇଜାଗରେ ଖେଳାଯାଇଥିଲା। ଏହି ମ୍ୟାଚ ପାଇଁ ଇଶାନ କିଷାନ ଭାରତୀୟ ପ୍ଲେଇଂ-୧୧ରୁ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ଦଳରେ ସାମିଲ କରାଯାଥିଲା। ଇଶାନଙ୍କ ପ୍ଲେଇଂ-୧୧ରୁ ଅନୁପସ୍ଥିତ ରହିବାର କାରଣ ବ୍ୟାଖ୍ୟା କରି ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଥିଲେ, ସେ ଆହତ ହୋଇଛନ୍ତି। କିନ୍ତୁ ପରେ ଏହି ବୟାନ ମିଥ୍ୟା ପ୍ରମାଣିତ ହୋଇଥିଲା। ଇଶାନ କିଷାନଙ୍କୁ ମ୍ୟାଚ ସମୟରେ ପଡ଼ିଆରେ ଦୌଡ଼ୁଥିବା ଏବଂ ସାଥୀ ଖେଳାଳିଙ୍କୁ ପାଣି ଦେଉଥିବାର ଦେଖାଯାଇଥିଲା।
ସୂର୍ଯ୍ୟକୁମାର ଯାଦବ ଟସ ସମୟରେ କହିଥିଲେ, ଗୌହାଟୀରେ ତୃତୀୟ ଟି-୨୦ ମ୍ୟାଚ ସମୟରେ ଫିଲ୍ଡିଂ କରୁଥିବା ସମୟରେ ଇଶାନ କିଷାନ ଆଘାତ ପାଇଥିଲେ, ଯାହା ଫଳରେ ତାଙ୍କୁ ଭାଇଜାଗ ଟି-୨୦ ପାଇଁ ପ୍ଲେଇଂ-୧୧ରୁ ବାଦ ଦିଆଯାଇଥିଲା। କିନ୍ତୁ ଯେଉଁ ମ୍ୟାଚରୁ ଇଶାନଙ୍କୁ ଆଘାତ ଯୋଗୁ ବାଦ ଦିଆଯାଇଥିଲା, ସେହି ମ୍ୟାଚରେ ସେ ପଡ଼ିଆରେ ଦୌଡ଼ୁଥିବା ଦେଖାଯାଇଥିଲା। ଇଶାନ ତାଙ୍କ ସାଥୀଙ୍କୁ ପାଣି ଦେବାକୁ ଦୌଡ଼ିଥିଲେ।
ଇଶାନ କିଷାନଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ, ସୂର୍ଯ୍ୟକୁମାର ଯାଦବଙ୍କ ତାଙ୍କ ବିଷୟରେ ବୟାନ ଉପରେ ପ୍ରଶ୍ନ ଉଠିଥିଲା। ସୂର୍ଯ୍ୟକୁମାର ମିଛ କହୁଥିଲେ ବୋଲି ପ୍ରଶଂସକମାନେ କହିଥିଲେ।
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ଲାଇଭ ମ୍ୟାଚ କମେଣ୍ଟ୍ରି ସମୟରେ କହିଥିଲେ, ଇଶାନ ଯେପରି ପଡ଼ିଆରେ ଦୌଡ଼ୁଛନ୍ତି, ଜଣାପଡ଼ୁନାହିଁ ଯେ ତାଙ୍କର କୌଣସି ଆଘାତ ଲାଗିଛି।
Dharitri – Odisha’s No.1 Odia Daily

