ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ ଅଛି, ତେବେ ଭବିଷ୍ୟତରେ ଏହାକୁ ବ୍ୟବହାର କରିବା କଷ୍ଟକର ହୋଇଯିବ। ନଭେମ୍ବର ୨୦୧୬ରେ ସରକାର ବିମୁଦ୍ରିକରଣ ଘୋଷଣା କରିଥିଲେ। ଫଳରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ରାତାରାତି ପ୍ରଚଳନ ବନ୍ଦ ହୋଇଯାଇଥିଲା। ଏହା ଫଳରେ ସାରା ଦେଶରେ ନଗଦ ଅଭାବ ଦେଖାଦେଇଥିଲା। ଏହି ସଙ୍କଟକୁ ସମାଧାନ କରିବା ଏବଂ ଅର୍ଥନୀତିରେ ନଗଦ ପ୍ରଚଳନ ବୃଦ୍ଧି କରିବା ପାଇଁ, ସରକାର ଏକ ଉଚ୍ଚ ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରିଥିଲେ, ଯାହାଦ୍ୱାରା ଲୋକମାନେ ସହଜରେ ପୁରୁଣା ନୋଟ ବଦଳାଇପାରିବେ।
୨୦୧୮-୧୯ ସୁଦ୍ଧା, ଦେଶରେ ନଗଦ ସଙ୍କଟ ଦୂର ହୋଇଥିଲା, ଯାହା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରିଦେଇଥିଲା। ପରବର୍ତ୍ତୀ ସମୟରେ, ମେ ୨୦୨୩ରେ, RBI କ୍ଲିନ ନୋଟ ନୀତି ଅଧୀନରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ଘୋଷଣା କରିଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାୟ ୯୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ RBIକୁ ଫେରି ଆସିଛି। ବର୍ତ୍ତମାନ କେବଳ ୫,୬୬୯ କୋଟି ମୂଲ୍ୟର ନୋଟ ପ୍ରଚଳନରେ ଅଛି। ସୁପ୍ରିମକୋର୍ଟର ଆଡଭୋକେଟ-ଅନ-ରେକର୍ଡ ବି. ଶ୍ରବନ୍ତ ଶଙ୍କର କହିଛନ୍ତି, ୨୦୦୦ ନୋଟ ୨୦୨୬ ପର୍ଯ୍ୟନ୍ତ ବୈଧ ରହିବ, କିନ୍ତୁ ଏହାର ବ୍ୟବହାର ବହୁତ ହ୍ରାସ ପାଇଛି।
ଯଦି ଆପଣଙ୍କର ଏବେ ବି ୨୦୦୦ ନୋଟ ଅଛି, ତେବେ ଏହା ଆଇନଗତ ଭାବରେ ବୈଧ ରହିବ। ତଥାପି ୭ ଅକ୍ଟୋବର ୨୦୨୩ପରେ, ଯେକୌଣସି ନିୟମିତ ବ୍ୟାଙ୍କରେ ୨୦୦୦ ନୋଟ ବଦଳାଇବା ବନ୍ଦ କରିଦିଆଯାଇଛି। ଏହାର ଅର୍ଥ ହେଉଛି ଆପଣ ଆଉ ବ୍ୟାଙ୍କରେ ଏହି ନୋଟ ବଦଳାଇ ପାରିବେ ନାହିଁ।
ତଥାପି, ଏକ ରାସ୍ତା ଖୋଲା ଅଛି। ଆପଣ RBIର ୧୯ଟି ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟ ମଧ୍ୟରୁ ଗୋଟିଏରେ ୨୦୦୦ ନୋଟ ଜମା କରିପାରିବେ। ଏହି କାର୍ଯ୍ୟାଳୟଗୁଡ଼ିକ ବେଙ୍ଗାଲୁରୁ, ଅହମ୍ମଦାବାଦ, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ତିରୁଭାନନ୍ତପୁରମ ଏବଂ ବେଲାପୁରରେ ଅବସ୍ଥିତ।
୨୦୦୦ ଟଙ୍କାର ନୋଟ ଏବେ ବି ବୈଧ ହୋଇପାରେ, କିନ୍ତୁ ଏହାର ପ୍ରଚଳନ ପ୍ରାୟତଃ ବନ୍ଦ ହୋଇଯାଇଛି। ତେଣୁନ୍ ଯେଉଁମାନଙ୍କ ପାଖରେ ଏହି ନୋଟଗୁଡ଼ିକ ଅଛି ସେମାନଙ୍କ ପାଇଁ ଏକମାତ୍ର ବ୍ୟବହାରିକ ବିକଳ୍ପ ବାକି ରହିଛି।ତାହା ହେଉଛି ସେଗୁଡ଼ିକୁ RBI କାର୍ଯ୍ୟାଳୟ ମାଧ୍ୟମରେ ଜମା କରିବା।
Dharitri – Odisha’s No.1 Odia Daily

