ଏନ୍‌ପିଆର୍‌, ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇଲା ବିଜେଡି

ନୂଆଦିଲ୍ଲୀ,୩୧-୧:ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗଦେଇ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିବା ସହ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ରେ ଥିବା କେତେକ ବ୍ୟବସ୍ଥା ବାଦ୍‌ ଦେବାକୁ ଦାବି କରିଛି। ସଂଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ନେତା ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଆଗାମୀ ଜନଗଣନାରେ ଏସ୍‌ସି, ଏସ୍‌ଟି ସହିତ ଓବିସି ବର୍ଗ ପାଇଁ ସ୍ବତନ୍ତ୍ର ସ୍ତମ୍ଭ ରଖିବାକୁ ଦାବି କରାଯାଇଥିବା ରାଜ୍ୟ ସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି। ଏଥିସହିତ ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ମଧ୍ୟ ବିଜେଡି ଏହାର ଦାବିକୁ ଦୋହରାଇଛି। ଏନେଇ ରାଜ୍ୟ ବିଧାନସଭାରେ ସର୍ବସମ୍ମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଗାମୀ ଅଧିବେଶନରେ କେନ୍ଦ୍ର ସରକାର ବିଲ୍‌ ଆଣିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ଏନ୍‌ପିଆର୍‌ରେ କେତେକ ପରିବର୍ତ୍ତନ ବିଜେଡି ଚାହୁଁଥିବା ପିନାକୀ ମିଶ୍ର କହିଛନ୍ତି। ନାଗରିକଙ୍କ ମାଆବାପାଙ୍କ ଜନ୍ମସ୍ଥାନ ସମ୍ପର୍କିତ ସୂଚନା ସ୍ତମ୍ଭ ୧୩(୨)ରୁ ବାଦ୍‌ ଦେବାକୁ ଦାବି କରାଯାଇଛି। ଏହା ଉପରେ ବିଚାର କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିବା ଦୁଇ ନେତା କହିଛନ୍ତି।