Students in exam hall at a college in Andheri as HSC examination started on Tuesday. Express Photo by Santosh Parab. 28.02.2017. Mumbai.
କଟକ ଅଫିସ,୪ା୧- ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଝାବେରୀଙ୍କର ଶନିବାର ଥିଲା କାର୍ଯ୍ୟକାଳର ଅନ୍ତିମ ଦିବସ। ଏହି ଶେଷ ଦିନରେ ଜଷ୍ଟିସ ଝାବେରୀ ରାଜ୍ୟ ପାଇଁ ଏକ ବଡ଼ ଖୁସି ଖବର ଆଣି ଦେଇଛନ୍ତି। କଟକ ଜିଲା ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ(ଏନ୍ଏଲ୍ୟୁ)ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏନ୍ଏଲ୍ୟୁର କୁଳାଧିପତି ଜଷ୍ଟିସ ଝାବେରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମଥର ନିମନ୍ତେ ଏହି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ମେଧାବୀ ଛାତ୍ରୀଛାତ୍ରଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ପୂର୍ବରୁ ଅନେକ ଥର ପ୍ରସ୍ତାବ ଦିଆଯାଇଥିବାବେଳେ ଝାବେରୀଙ୍କ କାର୍ଯ୍ୟକାଳର ଶେଷ ଦିନରେ ଏହାକୁ ଗୃହୀତ କରାଯାଇଥିଲା। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ରହିବ। ଏହି ବିଶ୍ୱବିଦ୍ୟାଳୟରେ ୧୮୦ଟି ସ୍ନାତକ ଓ ୫୦ଟି ସ୍ନାତକୋତ୍ତର ସିଟ୍ ରହିଛି। ବୈଠକରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ଶ୍ରୀକ୍ରିଷ୍ଣା ଦେବା ରାଓ, କୁଳସଚିବ ଡ. ଯୋଗେଶ ପ୍ରତାପ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।